ଭୁବନେଶ୍ବର: ରାଜ୍ୟର ଅନ୍ୟତମ ସମ୍ମାନଜନକ ଶିକ୍ଷାନୁଷ୍ଠାନ ବିଜେବି କଲେଜରେ ଗଣ୍ଡଗୋଳ ଏବେ ନିତିଦିନିଆ ଘଟଣା ପାଲଟି ଗଲାଣି! ଏ ଗଣ୍ଡଗୋଳ ଆଉ ଛାତ୍ରଙ୍କ ଝଗଡ଼ା ସ୍ତରର ହୋଇ ରହୁନାହିଁ, ଏହା ଅନେକ ସମୟରେ ହିଂସ୍ର ହୋଇ ଯାଉଛି। ଆହୁରି ଚିନ୍ତାଜନକ କଥା ହେଉଛି, ଏସବୁ ଗଣ୍ଡଗୋଳରେ ଏଯାଏ ସାବାଳକ ହୋଇ ନଥିବା ଯୁକ୍ତଦୁଇର ପିଲାମାନେ ମଧ୍ୟ ଅନେକ ସମୟରେ ସଂପୃକ୍ତ ରହୁଥିବାର ଦେଖା ଯାଉଛି। ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରିବାଲାଗି ଆୟୋଜିତ ‘ଫ୍ରେସର ପାର୍ଟି’କୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆଜି ମୁହାଁମୁହିଁ ହୋଇ ସଙ୍ଗିନ ସ୍ଥିତି ଉପୁଜିଥିଲା। ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ କିଛି ଛାତ୍ର ଆହତ ହୋଇଥିବାବେଳେ ବଡ଼ଗଡ଼ ଥାନା ପୁଲିସ ୯ଜଣ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି)ରେ ହାଜର କରିଛି।
ସୂଚନା ମୁତାବକ, ଯୁକ୍ତଦୁଇ ଛାତ୍ର ଛାତ୍ରୀଙ୍କ ପାଇଁ ଫ୍ରେସର ପାର୍ଟି ଦ୍ବିତୀୟ ବର୍ଷର କିଛି ଛାତ୍ର ଆୟୋଜନ କରିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ତା’କୁ ବିରୋଧ କରିଥିଲେ। ସେମାନେ ଭିନ୍ନ ଭିନ୍ନ ହ୍ବାଟ୍ସଆପ୍ ଗ୍ରୁପ କରି ନିଜ ନିଜ ହିସାବରେ ଫ୍ରେସର ପାର୍ଟି ପାଇଁ ଯୋଜନା କରିଥିଲେ। ଗୋଟିଏ ଗୋଷ୍ଠୀର ଛାତ୍ର ଛାତ୍ରୀ ଟେଣ୍ଟରେ ବିଶାଳ ଆୟୋଜନ ପାଇଁ ଯୋଜନା କରିଥିବା ବେଳେ ଅନ୍ୟ ଗୋଷ୍ଠୀ କନ୍ଫରେସ୍ସ ହଲ୍ରେ ସ୍ବାଗତ ପାଇଁ ଯୋଜନା କରିଥିଲା। ଏହାକୁ ନେଇ ଗତ ୩-୪ ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଏଭଳି ଛକାପଞ୍ଝା ଆଜି ଭିନ୍ନ ରୂପ ନେଇଥିଲା। ଆଜି, ଅର୍ଥାତ ଶୁକ୍ରବାର ଅପରାହ୍ନ ପାଖାପାଖି ୧୧ଟା ସମୟରେ ଦୁଇ ଗୋଷ୍ଠୀର ଛାତ୍ର କଲେଜ ସମ୍ମୁଖ ପାର୍କ ନିକଟରେ କଥା କଟାକଟିରୁ ହାତାହାତି ହୋଇଥିଲେ। ତା’କୁ ନେଇ ସ୍ଥିତି ବିଗିଡ଼ିଥିଲା। ଗଣ୍ଡଗୋଳ ଅଣାୟତ୍ତ ହେବାର ଖବରପାଇ ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ଉଭୟ ଗୋଷ୍ଠୀର ଛାତ୍ରମାନେ ଛତ୍ରଭଙ୍ଗ ଦେଇଥିଲେ ବି ପୁଲିସ ସେଠାରୁ ୯ ଜଣଙ୍କୁ କାବୁ କରି ନେଇଥିଲା। ସେହିପରି ଆକ୍ରମଣ ଓ ପ୍ରତିଆକ୍ରମଣରେ ଆହତ ହୋଇଥିବା ୫ରୁ ଊର୍ଧ୍ବ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ଏ ନେଇ ଆହତ ହୋଇଥିବା ଜଣେ ଛାତ୍ର ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ୯ ଛାତ୍ରଙ୍କୁ ଜେଜେବିରେ ହାଜର କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଛାତ୍ରଙ୍କୁ କାବୁ କରିବାପାଇଁ ପୁଲିସ ଚଢ଼ଉ ଜାରି ରଖିଛି।