ପୁରୀ : ପୁରୀ ସମୁଦ୍ର କୂଳରେ ଚିହ୍ନଟ ମଧୁର ଜଳଭଣ୍ଡାରର ସୁରକ୍ଷା ତଥା ଏହାର ଜଳସ୍ତରରେ ସ୍ଥିରତା ଆଣିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ମଧୁର ଜଳ ଅଞ୍ଚଳ ରିଚାର୍ଜ(ଭୂତଳ ଜଳସ୍ତର ବୃଦ୍ଧି ପାଇଁ) ପ୍ରକଳ୍ପ। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ବଡ଼ ବଡ଼ ୫ ପୋଖରୀ ନିର୍ମାଣ କରାଗଲା। ବ୍ୟାପକ ଖନନ ସହ ମାଟିତଳେ ପାଇପ ସଂଯୋଗୀକରଣ କାମ ଚାଲିଲା। କିନ୍ତୁ ଦୁର୍ଭାଗ୍ୟ, ୭ ବର୍ଷ ପରେ ବି ଏହି ପ୍ରକଳ୍ପ ନିଜ ଲକ୍ଷ୍ୟ ହାସଲ କରପାରିନି। ପ୍ରକଳ୍ପ ଜଳସ୍ତର ବୃଦ୍ଧି କରିବା ତ' ଦୂରର କଥା ମଧୁର ଜଳଭଣ୍ଡାର ଅଞ୍ଚଳର ଜଳସ୍ତର ବୃଦ୍ଧି ପାଇଁ ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ସବୁ ପୋଖରୀ ଆଜି ଶୁଖିଲା ପଡ଼ିଛି। ଯେଉଁଠି ପାଣି ଲହଡ଼ି ଭାଙ୍ଗିବା କଥା ତାହା ଖେଳପଡ଼ିଆ ପାଲଟିଛି।

Advertisment

ସେପଟେ ଯେଉଁ ଜାଗାରୁ ପାଣି ଆସି ପୋଖରୀ ଭର୍ତ୍ତି ହେବା କଥା, ସେଠାରେ ପିଇବା ପାଇଁ ପାଣି ନିଅଣ୍ଟ ପଡ଼ୁଥିବାରୁ ପ୍ରକଳ୍ପ ପାଇଁ ପାଣି ଯୋଗାଇବା ସମ୍ଭବପର ହେଉନି ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପଟେ ଏହି ପ୍ରକଳ୍ପ ଜରିଆରେ ତିଆରି ହୋଇଥିବା ପୋଖରୀର ପଥର ପ୍ୟାକିଂ ଧସିବା ଆରମ୍ଭ କଲାଣି। ପୋଖରୀ ଭରିବା ପାଇଁ ସଂଯୋଗ ହୋଇଥିବା ପାଇପ ସବୁ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ଅନ୍ୟପଟେ ଏହି ପୋଖରୀ ସବୁ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି। ରାତି ଗଡ଼ିଲେ ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ପୋଖରୀ ଭିତରେ ମାଳମାଳ ମଦ ବୋତଲ ଗଡ଼ୁଛି। ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି।

୨୦୧୬-୧୭ ଆର୍ଥିକ ବର୍ଷରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଭିତ୍ତିପ୍ରସ୍ତର ପକାଇଥିଲେ। ଏହି ପ୍ରକଳ୍ପ ଜରିଆରେ ତାଳବଣିଆ ଅଞ୍ଚଳରେ ତିନୋଟି ଓ ବଳିଆପଣ୍ଡା ଅଞ୍ଚଳରେ ଦୁଇଟି ‌ପୋଖରୀ ଖୋଳାଗଲା। ଲକ୍ଷ୍ୟ ଥିଲା, ଦୁଇ ମଧୁର ଜଳ ଅଞ୍ଚଳରେ ପୋଖରୀ କରି ସମଙ୍ଗ ମୌଜାରେ ଥିବା ବୃହତ୍ତ ପାନୀୟ ଜଳ ପ୍ରକଳ୍ପରୁ ସିଧାସଳଖ ପାଇପ୍‌ ଯୋଗେ ପୋଖରୀରେ ପାଣି ଭରିବା। ଯଦ୍ବାରା ପୋଖରୀର ପାଣି ଭୂତଳ ଜଳସ୍ତରରେ ସ୍ଥିରତା ଆଣିପାରିବ। ଏଣୁ ପୋଖରୀର ତଳ ଭାଗ କଂକ୍ରିଟ୍‌ ନ କରି କେବଳ ଚାରିପଟେ ପଥର ପ୍ୟାକିଂ କରାଯାଇଥିଲା। କିନ୍ତୁ ଆରମ୍ଭରୁ ପ୍ରକଳ୍ପ ପୋଖରୀ ସବୁ ଅଚଳ ଅବସ୍ଥାରେ ପଡ଼ିରହିଛି। ପାଣି ନ ଥିବାରୁ ଭୂତଳ ଜଳ ରିଚାର୍ଜ ଲକ୍ଷ୍ୟ ବି ପୂରଣ ହୋଇପାରିନି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହି ପ୍ରକଳ୍ପ କାମ ବହୁଦିନରୁ ସମ୍ପୂର୍ଣ୍ଣ ହୋଇସାରିଲାଣି। କିନ୍ତୁ ସମଙ୍ଗ ମୌଜା ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣିର ଅଭାବ ପଡ଼ୁଛି। ଯେଉଁ ପୋଖରୀ ସବୁ ଖୋଳାଯାଇଛି, ସେଥିରେ ପାଣି ଅଭାବ ପଡ଼ୁଛି। ଏଭଳି ସ୍ଥିତିରେ ଭୂତଳ ଜଳ ରିଚାର୍ଜ ପୋଖରୀକୁ ପାଣି ଯୋଗାଇବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।