ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗରେ କାମ କରିବାକୁ ନନେବାରୁ ୨ ଜଣ ସାଙ୍ଗଙ୍କୁ ଏସିଡ୍‌ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

Advertisment

ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଜୁନାଗଡ଼ ସହରର ଗୋଥିପଡ଼ାର ଶାନ୍ତନୁ ବିଶି, ନୀଳାମ୍ବର ମାଝୀ ଓ ମୋହନଲାଲ ବିଶି ଆଗରୁ ମିଶିକି କାମ କରୁଥିଲେ। ଶାନ୍ତନୁ ମଦ ପିଉଥିବାରୁ ନୀଳାମ୍ବର ଓ ମୋହନଲାଲ ତାକୁ ସାଙ୍ଗରେ କାମକୁ ନେଉନଥିଲେ। ବୁଧବାର ଶାନ୍ତନୁ ଉଭୟଙ୍କୁ ରାସ୍ତାରେ ଦେଖି ମତେ କାହିଁକି କାମକୁ ନେଉନ ବୋଲି କହି ପାଟିତୁଣ୍ଡ କରିଥିଲା। ସେତିକିରେ ସେ ଶାନ୍ତ ‌ହୋଇନଥିଲା। ନୀଳାମ୍ବର ଓ ମୋହନଲାଲଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲା। ମୋହନଲାଲର ମୁହଁ ଓ ହାତଗୋଡ଼ରେ ଏସିଡ୍‌ ପଡ଼ିଥିବା ବେଳେ ନୀଳାମ୍ବରର ପିଠି ଓ ହାତରେ ଏସିଡ୍‌ ପଡ଼ିଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ଜୁନାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜୁନାଗଡ଼ ଥାନାରେ ଅଭିଯୋଗ ପରେ ଏସ୍‌ଆଇ ସୋନୁ ଖାଲକୋ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଶାନ୍ତନୁ ବିଶିକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।