ସିମେଣ୍ଟ ଚୋରିକୁ ନେଇ ସାଙ୍ଗକୁ ହତ୍ୟା କରି ନଦୀପଠାରେ ପୋତିଦେଲା ସାଙ୍ଗ

ଆଠଗଡ଼: ରେଙ୍ଗାଲି ସିମେଣ୍ଟ ସୁପରଭାଇଜର ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ସାଙ୍ଗକୁ ଆଉ ଜଣେ ସାଙ୍ଗ ହତ୍ୟା କରିଥିବାର ପୁଲିସ ଜାଣିବାକୁ ପାଇଛି | ସିସିଟିଭି ଫୁଟେଜକୁ ଆଧାର କରି ନିଖୋଜ ଘଟଣାର ଖୋଳତାଡ କରୁ କରୁ ହତ୍ୟାକାରୀ ପାଖରେ ପହଁଚିଛି ଆଠଗଡ ପୁଲିସ । ହତ୍ୟାକାରୀକୁ ଗିରଫ କରିବା ସହ ନଦୀପଠାରୁ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଗତ ୫ ତାରିଖରେ ଆଠଗଡ ଥାନାରେ ଭଦ୍ରକ, ଧାମନଗର ବ୍ଲକ ଶୋଧ ଗାଁର ସୌମେନ୍ଦ୍ର କୁମାରଙ୍କର ନିଖୋଜ ନେଇ ପରିବାର ଲୋକ ଏତଲା ଦିଆଯାଇଥିଲା । ସୌମେନ୍ଦ୍ର ଆଠଗଡ ରେଙ୍ଗାଲି ସିମେଣ୍ଟ କାରଖାନାରେ ସୁପରଭାଇଜର ଭାବେ କାମ କରୁଥିବାବେଳେ, ଗତ ୩ ତାରିଖରୁ ସେ ନିଖୋଜ ହୋଇଥିଲେ ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ । ପରେ ଆଠଗଡ ପୁଲିସ ତଦନ୍ତ କରି ସୌମେନ୍ଦ୍ରଙ୍କ ହତ୍ୟା ହୋଇଥିବା ଜାଣିବାକୁ ପାଇଛି । ସିମେଣ୍ଟ ଚୋରିକୁ ନେଇ ସୌମେନ୍ଦ୍ର ଏବଂ ତାଙ୍କର ଜଣେ ସୁପରଭାଇଜର ବନ୍ଧୁଙ୍କ ଭିତରେ ବଚସା ହୋଇଥିଲା ।

ସୁପରଭାଇଜର ବିଶ୍ୱଜିତ ସାହୁ ରାଗରେ ରଡରେ ସୌମେନ୍ଦ୍ରଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ସୌମେନ୍ଦ୍ରଙ୍କ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ବାଇକ ଯୋଗେ ଆଠଗଡ ଆଙ୍କୁଲା ନିକଟସ୍ଥ ସାପୁଆ ନଈପଠାରେ ହତ୍ୟାକାରୀ ପୋତି ଦେଇଥିଲା । ଆଉ ପୁଲିସକୁ ଚକମା ଦେଖାଇବା ପାଇଁ ବାରମ୍ବାର ମିଛ କହିଥିଲା ଅଭିଯୁକ୍ତ । କେତେବେଳେ ମୃତଦେହକୁ ଢେଙ୍କାନାଳରେ ପୋତିଥିବାର କହିଥିଲା ତ ପୁଣି କେତେବେଳେ ଆଠଗଡରେ ପୋତିଥିବାର କହିଥିଲା । ଶେଷରେ ଅଭିଯୁକ୍ତ ମୁହଁରୁ ସତ ବାହାର କରିଛି ପୁଲିସ । ଅଭିଯୁକ୍ତକୁ ସାଥିରେ ନେଇ ସାପୁଆ ନଈପଠାରେ ସୌମେନ୍ଦ୍ରଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି ।

ସମ୍ବନ୍ଧିତ ଖବର