ପତ୍ନୀ ସହିତ ସାଙ୍ଗର ସଂପର୍କକୁ ସନ୍ଦେହ କରି ହତ୍ୟା: ନଦୀରୁ ମୃତଦେହ ଉଦ୍ଧାର, ଜେଲ ଗଲା ଅଭିଯୁକ୍ତ 

କପ୍ତିପଦା/ଶାଳଚୁଆ: ନିଜ ପତ୍ନୀ ସହିତ ସାଙ୍ଗର ଅନୈତିକ ସଂପର୍କ ଥିବାର ସନ୍ଦେହ କରି ଶ୍ବଶୁର ଘରକୁ ଡ଼ାକି ଆଣି ହତ୍ୟା କରିଛି ସାଙ୍ଗ। କପ୍ତିପଦା ବ୍ଳକ ଶରତ ଥାନା କାଠଚୁଆ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତ ରତନା ସାମାଡ଼କୁ ଗିରଫ କରିଛି ଶରତ ଥାନା ପୁଲିସ।

ପୁଲିସ ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ କୁନ୍ତିଡ଼ିହା ଗ୍ରାମର ରତନା ସାମାଡ଼ ଓ ଲାଲା ବିରୁଲି ଦୁହେଁ ସାଙ୍ଗ ଅଟନ୍ତି। ନିଜ ପତ୍ନୀ ସହ ଲାଲା ବିରୁଲିର ଅନୈତିକ ସଂପର୍କ ଥିବାର ସନ୍ଦେହ କରୁଥିଲା ରତନା। ସାଙ୍ଗକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ରତନା ଗତ ୧ ତାରିଖରେ ଲାଲାକୁ ସାଙ୍ଗରେ ଧରି ନିଜ ଶ୍ବଶୁର ଘର କପ୍ତିପଦା ବ୍ଲକ୍ ଶରତ ଥାନା କାଠଚୁଆ ଗ୍ରାମକୁ ଆସିଥିଲା। ୩ ତାରିଖ ରାତିରେ ଅଭିଯୁକ୍ତ ରତନା ଠେଙ୍ଗାରେ ଲାଲାକୁ ଅତର୍କିତ ଆକ୍ରମଣ କରି ଦରମରା କରିବା ସହ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା। ପରେ ମୃତଦେହକୁ ଘୋଷାଡ଼ି ନେଇ ନଦୀରେ ଫୋପାଡ଼ି ଦେଇଥିଲା। ମଙ୍ଗଳବାର ଦିନ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ଶରତ ପୁଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଲାଲା ବିରୁଲିର ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ରତନାକୁ ପୁଲିସ ଜେରା କରିବା ପରେ ପୁଲିସ ଆଗରେ ସବୁ କଥା ଓଗାଳିଥିଲା ଅଭିଯୁକ୍ତ। କପ୍ତିପଦା ଉପଖଣ୍ତ ପୁଲିସ ଅଧିକାରୀ ସାର୍ଥକ ରାୟ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ଏ ସଂପର୍କରେ ଶରତ ଥାନା କେସ୍‌ ନଂ ୭୬ରେ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ପଥରକୁ ପୁଲିସ ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର