ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ତୁଳସୀପୁର ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। କୌଣସି କାରଣରୁ ବସନ୍ତ ସାହୁକୁ (୨୪) ତାର ସାଙ୍ଗ କାଳୁ ପ୍ରଧାନ (୨୫) କାତିରେ ହାଣି ହତ୍ୟା କରିଛି। ଗତ ଜୁଲାଇ ମାସରେ ବ୍ରହ୍ମପୁର ଜିଆରପି ଥାନା ଟ୍ରେନ୍ ଯାତ୍ରୀଙ୍କଠାରୁ ମୋବାଇଲ୍ ଲୁଟ୍ ମାମଲାରେ ଉଭୟ ଗିରଫ ହୋଇ ଜାମିନରେ ମୁକୁଳିଥିଲେ। ଅର୍ଥ ଭାଗବଣ୍ଟା କିମ୍ବା ନିଶାସକ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଅନ୍ୟପକ୍ଷରେ ଧସ୍ତାଧସ୍ତିରେ ଆହତ ଅଭିଯୁକ୍ତ କାଳୁ ପ୍ରାଧନ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଏନେଇ ‌ଏତଲା ଦିଆଯାଇନି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଖଲ୍ଲିକୋଟ ପୁଲିସ ସ୍ପଷ୍ଟ କରିଛି।

Advertisment

ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ କହିଛନ୍ତି, ତୁଳସୀପୁର ଗ୍ରାମର ଚିରଞ୍ଜିବୀ ପ୍ରଧାନଙ୍କ ପୁଅ କାଳୁ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାର ସାଙ୍ଗ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ବସନ୍ତକୁ ଘରକୁ ଡାକିଥିଲା। ଆଜି ଅପରାହ୍‌ଣ ୩ଟାରେ ହଠାତ୍ ବସନ୍ତଙ୍କ କ୍ଷତାକ୍ତ ଶବ ଗ୍ରାମର ଜଳଗିରି ପୋଖରୀ ପାର୍ଶ୍ବ ବିଲରୁ ମିଳିଥିଲା। ବିଲରୁ ପୁଲିସ କିଛି ଧାରୁଆ ବ୍ଲେଡ୍ ବି ଜବତ କରିଛି। ଉଭୟଙ୍କ ଗଣ୍ଡଗୋଳରେ କାଳୁର ବେକରେ ବି ଶକ୍ତ ଆଘାତ ଲାଗିଛି। କାଳୁ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ନିଜେ ଆସି ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲା।