ସାଙ୍ଗ ଅଛି ତ ମୁଁ ଅଛି, ସମୁଦ୍ରରେ ବୁଡ଼ିଯାଉଥିବା ଦୁଇ ସାଙ୍ଗଙ୍କ କାହାଣୀ

ରାଜନଗର: କେନ୍ଦ୍ରାପଡା ରାଜନଗରର ପେଣ୍ଠରୁ ଆସିଛି ଚମକ୍ରାର ଚିତ୍ର । ସମୁଦ୍ରରେ ବୁଡି ଯାଉଥିଲା ସାଙ୍ଗ । ଦେବଦୁତ ସାଜି ସମୁଦ୍ର ଭିତରକୁ ଲମ୍ଫ ମାରିଲା ସାଙ୍ଗ । ଆଉ ସମୁଦ୍ରର ଲହଡିକୁ ଚିରି ପାଣି ଭିତରୁ ବୁଡି ଯାଉଥିବା ସାଙ୍ଗକୁ ଉଦ୍ଧାର କରି ନୂଆ ଜୀବନ ଦେଇଛି ସାଙ୍ଗ । ଏଭଳି ଏକ ସାହସିକତାର ଚିତ୍ର ଦେଖିବାକୁ ମିଳିଛି ରାଜନଗର ପେଣ୍ଠ ଅଂଚଳରେ । ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଉଥିଲେ ଦଶମ ଶ୍ରେଣୀର ଛାତ୍ର ପୃଥ୍ୱୀରାଜ ବେହେରା । ନିଜ ସାଙ୍ଗମାନଙ୍କ ସହ ପେଣ୍ଠ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ ।

ଏହା ଜାଣିବା ମାତ୍ରେ ବିଳମ୍ୱ ନକରି ସମୁଦ୍ର ଭିତରକୁ ଡେଇଁଥିଲେ ଜ୍ଞାନରଂଜନ । ସମୁଦ୍ରର ବଡ ଲହଡି ଯେତେବେଳେ ପୃଥ୍ୱୀରାଜଙ୍କୁ ଭିତରକୁ ଭିତରକୁ ଟାଣି ନେଉଥିଲା ଜ୍ଞାନରଂଜନ ଜୀବନକୁ ବାଜି ଲଗାଇ ଲହଡିକୁ ଭେଦ କରି ପୃଥ୍ୱୀରାଜଙ୍କୁ ଟାଣି ଆଣିଥିଲେ ସମୁଦ୍ରର ଲହଡି ଭିତରୁ । ପୃଥ୍ୱୀରାଜ ପହଁରା ଜାଣି ନଥିଲେ । ଏକଥା ଆଗରୁ ଭଲ ଭାବେ ଜାଣିଥିଲେ ଜ୍ଞାନରଂଜନ ।

ଗାଧୋଇବା ବେଳେ ସେ ସମୁଦ୍ର ଲହଡିରେ ଫସି ଯିବା ମାତ୍ରେ ଜ୍ଞାନରଂଜନ ଦେଖାଇଥିଲେ ସାହସିକତାର ପରିଚୟ । ଆଉ ସାଙ୍ଗ ପୃଥ୍ୱୀରାଜଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିଲେ । ଏବେ ସବୁଠି ଜ୍ଞାନରଂଜନଙ୍କ ସାହସିକତାକୁ ସାବାସୀ ମିଳିଛି । ବାସ୍ତବରେ ଛୋଟ ପିଲା ହେଲେ ବି ଜ୍ଞାନରଂଜନ ଯେଭଳି ସାହସିକତା ଦେଖାଇଲେ , ଆଉ ଜଣଙ୍କର ଜୀବନ ବଂଚାଇଦେଲେ, ତାକୁ ନେଇ ଜ୍ଞାନରଂଜନଙ୍କ ସାହସିକତା ନେଇ ସବୁଠି ସାବାସୀ ମିଳିଛି ।

ସମ୍ବନ୍ଧିତ ଖବର