ଭୁବନେଶ୍ବର/ଖଣ୍ଡଗିରି: ସନ୍ଧ୍ୟାରୁ ଘରେ ନିଶା ଖାଇ ଆସର ଜମାଇଲେ। ରାତି ଅଧରେ ମୁଣ୍ଡକୁ ନିଶା ଚଢ଼ିବା ପରେ ସାମାନ୍ୟ ପାଟିତୁଣ୍ଡରୁ ସାଙ୍ଗକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କଲା। ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ତ ଭରତପୁର ଥାନା ସୋମନାଥ ବସ୍ତିରେ ଘଟିଛି। ମୃତ ଯୁବକ ଗଞ୍ଜାମଜିଲ୍ଲା ବୁଗୁଡ଼ା ଅଞ୍ଚଳର କୈଳାସ ନାୟକ(୨୫)। କୈଳାସଙ୍କ ମା’ ବେବିନା ନାୟକଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, କୈଳାସ ଜଣେ ରଙ୍ଗମିସ୍ତ୍ରି ଭାବେ କାମ କରନ୍ତି। କିଛି ମାସ ହେବ ସେ ଓ ତାଙ୍କ ମା’ ବୁଗୁଡ଼ାରୁ ରାଜଧାନୀ ଆସି ଭରତପୁର ସୋମନାଥ ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ। ତେବେ କୌଣସି କାରଣକୁ ନେଇ ଗୁରୁବାର ଅପରାହ୍ଣ ୩ଟା ସମୟରେ ମା’ଙ୍କ ସହ କୈଳାସର ପାଟିତୁଣ୍ଡ ହୋଇଥିଲା। ଫଳରେ ମା’ ରାଗିଯାଇ ନିକଟରେ ଥିବା ସମ୍ପର୍କୀୟ ଝିଆରୀ ଘରକୁ ଚାଲିଯାଇଥିଲେ। ମା’ ଚାଲିଯିବା ପରେ କୈଳାସ ତାର ସାଙ୍ଗକୁ ଡାକିଥିଲା। କୁହାଯାଉଛି କୈଳାସର ନରହରି ନାମକ ସାଙ୍ଗ ସହ ଅନ୍ୟ ୨/୩ ଜଣ ଆସି ଭୋଜିଭାତ କରିବା ସହ ନିଶା ଖାଇଥିଲେ। ରାତିରେ ମା’ ଫୋନ କରିବାରୁ ସେମାନେ ଭୋଜିଭାତ କରୁଥିବା କୈଳାସ ଜଣାଇଥିଲା। ତେଣୁ ବେବିନା ଆଉ ଘରକୁ ନ ଫେରି ଝିଆରୀ ଘରେ ରହିଯାଇଥିଲେ।
ଟଙ୍କା ଭାଗବଣ୍ଟାକୁ ନେଇ ଚର୍ଚ୍ଚା
ସିସିଟିଭି ଫୁଟେଜ୍ରୁ ୨ ଚିହ୍ନଟ
୧୩ ଜଣଙ୍କୁ ଜେରା, ପୁଲିସ ଟିମ୍ର ଚଢ଼ଉ
ଶୁକ୍ରବାର ସକାଳେ ସେ ଘରକୁ ଫେରିବାବେଳେ ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଅକୁ ଏଭଳି ଅବସ୍ଥାରେ ଦେଖି ହତବାକ୍ ବେବିନା ‘ନରହରି ମୋ ପୁଅକୁ ମାରିଦେଲା’ କହି କାନ୍ଦିବା ସହ ହସ୍ପିଟାଲ୍ ନେବା ପାଇଁ ବିକଳରେ ପାଟିକରି ପଡ଼ୋଶୀଙ୍କୁ ଡାକିଥିଲେ। ମାତ୍ର ସେତେବେଳକୁ କୈଳାସଙ୍କର ମୃତ୍ୟୁ ଘଟିସାରିଥିଲା। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କୈଳାସଙ୍କ ନିକଟରେ ରକ୍ତଲଗା ପଥର ଓ କିଛି ମଦବୋତଲ ପଡ଼ିଥିବା ଦେଖିଥିଲା। ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରିବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା।
ତେବେ ଭୋଜି କରୁଥିବା ସାଙ୍ଗ ଭିତରୁ କିଏ କୈଳାସଙ୍କୁ ହତ୍ୟା କଲା? ଏଭଳି କ’ଣ ଘଟିଲା ଯେ ସେ ହତ୍ୟା ଭଳି ଚରମ ନିଷ୍ପତ୍ତି ନେଲା? ଏହା ଜାଣିବାକୁ ପୁଲିସ କୈଳାସର ଘନିଷ୍ଠ କୁହାଯାଉଥିବା ୭ଜଣଙ୍କୁ ପଚରାଉଚରା କରିଛି। ସେହିପରି ୬ ଜଣ ପଡ଼ୋଶୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ଏହାଛଡ଼ା ନିକଟରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ୍କୁ ମଧ୍ୟ ପୁଲିସ ସଂଗ୍ରହ କରିଛି। ସିସିଟିଭି ଫୁଟେଜ୍ରୁ ପୁଲିସ ୨ଜଣଙ୍କୁ ଚିହ୍ନଟ କରିଥିବା ବେଳେ ମୋବାଇଲ୍ରୁ ମଧ୍ୟ କିଛି ତଥ୍ୟ ହାତେଇଛି। ପୂର୍ବରୁ କୈଳାସ ନାଁରେ ୬ରୁ ଅପରାଧିକ ମାମଲା ଥିବା ସହ ସେ ଜେଲ୍ ମଧ୍ୟ ଯାଇଥିବା ଜଣାପଡ଼ିଛି। ତେଣୁ ପୁରୁଣା ଅପରାଧିକ ମାମଲା କିମ୍ବା ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।