ପରକୀୟା ପ୍ରୀତି: ସାଙ୍ଗକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ନିରାକାରପୁର : ପରକୀୟା ପ୍ରୀତିକୁ ନେଇ ଗତକାଲି ଜଙ୍କିଆ ଥାନା ଗୋଡ଼ିପଡ଼ା ପଞ୍ଚାୟତ ତଳମୋଟା ଗ୍ରାମରେ ଘଟିଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ଜଙ୍କିଆ ପୁଲିସ ମୃତ ଅ‌କ୍ଷୟ ସାମନ୍ତରାୟ ଓରଫ ରଘୁଙ୍କ ସାଙ୍ଗ ଟୁଟୁ ବାରିକକୁ ଗିରଫ୍ କରିଛି। ତା ନାମରେ ୨୭୯/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଜଙ୍କିଆ ଥାନା ସବ୍ଇନ୍ସପେକ୍ଟର ବେଣୁଧର ରାୟ ସୂଚନା ଦେଇଛନ୍ତି।

ଶ୍ରୀ ରାୟଙ୍କ ସୂଚନା ଅନୁଯାୟୀ, ତଳମୋଟା ଗ୍ରାମର ରଘୁ ଜଣେ କାଠ ମିସ୍ତ୍ରି ଓ ଟୁଟୁ ବାରିକ୍‌ ଜଣେ ହୋଟେଲ ରୋଷେୟା। ଉଭୟଙ୍କ ମଧ୍ୟରେ ଗଭୀର ବନ୍ଧୁତ୍ବ ଥିଲା। ଉଭୟ ବିବାହ କରିବା ପରେ ଟୁଟୁର ସ୍ତ୍ରୀ ଓ ରଘୁର ସ୍ତ୍ରୀ ମକର ବସିଥିଲେ। ତେଣୁ ଉଭୟ ପରିବାର ମଧ୍ୟରେ ଯିବା ଆସିବା ସମ୍ପର୍କ ଥିଲା। ଅପରପକ୍ଷେ ସମ୍ପର୍କ ଘନିଷ୍ଠ ହେବାରୁ ‌ଉଭୟ ଟୁଟୁ ଓ ରଘୁ ଜଙ୍କିଆ ମିଶି ଟୋଲ୍‌ଗେଟ୍‌ ପାଖରେ ଏକ ଢାବା କରିଥିଲେ। ଏହି ସମୟ ମଧ୍ୟରେ ଟୁଟୁର ସ୍ତ୍ରୀ ସହ ରଘୁର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜାଣିବା ପରେ ରଘୁ ଓ ଟୁଟୁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଗ୍ରାମରେ ବୈଠକ ବସି ରଘୁ ଓ ଟୁଟୁ ପରସ୍ପରଠାରୁ ଅଲଗା ହେବାକୁ ସ୍ଥିର ହୋଇଥିଲା। ତେବେ ରଘୁ ଟୁଟୁର ସ୍ତ୍ରୀ ସହ ସମ୍ପର୍କ କାଟି ପାରିନଥିଲା। ଏହାକୁ ନେଇ ଟୁଟୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଏପରିକି ଏହାକୁ କେନ୍ଦ୍ର କରି ୬ଦିନ ତଳେ ଟୁଟୁ ନିଜ ଘରେ ନିଆଁ ଲଗାଇ ଦେଇଥିଲା। ପରେ ସ୍ବାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ। ହେଲେ ଘଟଣା ଦିନ ରାତି ସାଢ଼େ ୧୧ଟା ବେଳେ ଟୁଟୁ ତାର ପତ୍ନୀଙ୍କୁ ଫୋନ୍‌ କରିବାରୁ ଫୋନ୍‌ ବହୁ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ଦେଖାଇଥିଲା। ତେଣୁ ଟୁଟୁର ସନ୍ଦେହ ରଘୁ ଉପରକୁ ଯାଇଥିଲା। ରଘୁ ତାର ନୂଆ ଘର ଛାତ ଉପରେ ଶୋଇଥିବା ଜାଣି ଟୁଟୁ ସେଠାରେ ପହଞ୍ଚିଥିଲା। ସେଠାରେ ରଘୁ ଓ ଟୁଟୁର ସ୍ତ୍ରୀ ଭିଡିଓ ଚାଟିଂ କରୁଥିବା ଦେଖି ଟୁଟୁ ମୁଣ୍ଡରେ ପୀତ ଚଢ଼ିଯାଇଥିଲା। ସଙ୍ଗେ ସଙ୍ଗେ ଏକ ପଥର ଉଠାଇ ଟୁଟୁ ରଘୁର ମୁଣ୍ଡରେ ଛେଚି ଦେବାରୁ ତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ଅଭିଯୁକ୍ତ ଟୁଟୁ ପୁଲସକୁ ବୟାନ ଦେଇଛି ବୋଲି ସବ୍‌ଇନ୍ସପେକ୍ଟର ଶ୍ରୀ ରାୟ କହିଛନ୍ତି।

ସୂଚନାଯୋଗ୍ୟ, ୪ ତାରିଖ ସକାଳୁ ରଘୁଙ୍କ ପତ୍ନୀ ଡାକିବାକୁ ଗଲାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ବାମୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜଙ୍କିଆ ଥାନା ଅଧିକାରୀ ଅନିତା ସାହୁ, ଖୋର୍ଦ୍ଧା ସାଇଣ୍ଟିଫିକ୍‌ ଟିମ୍‌ ସମେତ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର ପ୍ରମୁଖ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ମୃତ ରଘୁଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ଟୁଟୁ ବାରିକଙ୍କ ସ୍ତ୍ରୀ ସହିତ ରଘୁଙ୍କର ପରକୀୟା ପ୍ରୀତି ରହିଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଅଳ୍ପଦିନ ତଳେ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଟୁଟୁ ରଘୁଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ତେଣୁ ଟୁଟୁ ରଘୁକୁ ହତ୍ୟା କରିଛି ବୋଲି ରଘୁଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ଟୁଟୁକୁ ଗିରଫ କରି ପଚରାଉଚରା କରିବାରୁ ରଘୁକୁ ବାରମ୍ବାର କହିବା ସତ୍ତ୍ବେ ସେ ମୋ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିବାରୁ ତାକୁ ହତ୍ୟା କରିଛି ବୋଲି ଟୁଟୁ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର