ଶ୍ରୀଜିତ୍‌ଙ୍କ ସହ ଜନ୍ମଦିନ ପାଳିଲେ ସାଙ୍ଗ

କଟକ : କୁହାଯାଏ ସାଙ୍ଗ ହେଉଛି ଜୀବନର ଶ୍ରେଷ୍ଠ ସମ୍ପତ୍ତି। ବିପଦ ବେଳେ କିଏ ସାହାଯ୍ୟ କରୁ ବା ନକରୁ, ପ୍ରକୃତ ବନ୍ଧୁ ସାହା ହେବାକୁ ଧାଇଁ ଆସେ। ଗତମାସ ୨୧ତାରିଖରୁ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର କରି ସାଙ୍ଗ ଶ୍ରୀଜିତ୍‌ ପାଢୀଙ୍କୁ ଏସ୍‌ସିବି ମାନସିକ ୱାର୍ଡରେ ଭର୍ତ୍ତି କରିଥିଲେ ସାଙ୍ଗମାନେ। ଆଜି (ରବିବାର) ଥିଲା ଶ୍ରୀଜିତ୍‌ଙ୍କ ଜନ୍ମଦିନ। ପରିବାର ଲୋକ କେହି ଶ୍ରୀଜିତ୍‌ଙ୍କୁ ସାକ୍ଷାତ କରି ଜନ୍ମଦିନର ଶଭେଚ୍ଛା ଜଣାଇଲେନି। କିନ୍ତୁ ସାଙ୍ଗମାନେ ଏକାଠି ହୋଇ ୱାର୍ଡରେ ସାଙ୍ଗକୁ ନୂଆ ଡ୍ରେସ୍‌ ପିନ୍ଧାଇବା ସହ କେକ୍‌ କାଟିଲେ, ଚକ୍‌ଲେଟ୍‌ ଓ ଜଳଖିଆ ବାଣ୍ଟିଲେ। ଶ୍ରୀଜିତ୍‌ଙ୍କ ସହ ମନଖୋଲା କଥା ମଧ୍ୟ ହେଲେ। ଏଭଳି ନିଆରା ଦୃଶ୍ୟ ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଦେଖିବାକୁ ମିଳିଥିଲା।

ସାଙ୍ଗମାନଙ୍କ କହିବା କଥା ହେଲା, ‘ଯେ ପର୍ଯ୍ୟନ୍ତ ଶ୍ରୀଜିତ୍‌ ସଂପୂର୍ଣ୍ଣ ସୁସ୍ଥ ନହୋଇଛି ସେ ପର୍ଯ୍ୟନ୍ତ ଆମେ ତାସହିତ ରହିବୁ ଓ ପ୍ରତି ରବିବାର ତାକୁ ସାକ୍ଷାତ କରିବାକୁ ଆସିବୁ। ସେ କିପରି ଶୀଘ୍ର ଭଲ ହେବ ସେଥିପାଇଁ ଆମ ସମସ୍ତଙ୍କ ପ୍ରୟାସ ଜାରି ରହିବ। ଜନ୍ମଦିନ ପାଇଁ ଆଜି ଅପରାହ୍ମରେ ‘ବିଶ୍ବାସ’ର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀନାରାୟଣ ପଣ୍ଡା, ଏଆଇସିର ପ୍ରାଶାସନିକ ଅଧିକାରୀ କାଳୀକିଙ୍କର ସାହୁ, ରାଜ୍ୟ ସଡ଼କ ପରିବହନ ନିଗମ ଡାଇରେକ୍ଟର ତପନ ମିଶ୍ର,ଏଆଇସିର ଶାଖା ପରିଚାଳକ ପ୍ରଶାନ୍ତ ସେଠୀ, ଅଜିତ୍‌ ସାହୁ, ଗୋବିନ୍ଦ ଦାସ, ଅବକାରୀ କଷ୍ଟମ୍ସ୍‌ର ଅଧୀକ୍ଷକ ସୁରେଶ ପ୍ରହରାଜଙ୍କ ସମେତ ଅନ୍ୟ ସାଙ୍ଗମାନେ ଉପସ୍ଥିତ ଥିଲେ। ଏମାନେ ସମସ୍ତେ ରେଭେନ୍ସାରେ ୧୯୮୭ରୁ ୧୯୮୯ ପର୍ଯ୍ୟନ୍ତ ଏକାଠି ପାଠ ପଢୁଥିଲେ।

ସୂଚନା ଅନୁସାରେ, ପୁରୀ ବଡ଼ଶଙ୍ଖ ତଳ ନୂଆସାହିର ଶିକ୍ଷିତ ଯୁବକ ଶ୍ରୀଜିତ୍ ପାଢୀଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ସେ ଦୀର୍ଘ ୧୦ବର୍ଷ ହେବ ବଡ଼ଦାଣ୍ଡରେ ଭିକ୍ଷା ମାଗି ପେଟ ପୋଷୁଥିଲେ। ଶ୍ରୀଜିତଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଗତ ମାସ ୨୧ ତାରିଖରେ ତାଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର