ପୁରୀ: ଶ୍ରୀମନ୍ଦିରରେ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ଆଜି ଛତିଶାନିଯୋଗ ଏହି ନୀତି ନର୍ଘଣ୍ଟରେ ଚୂଡ଼ାନ୍ତ ମୋହର ମାରିଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ଓ ଭୋର ୫ଟା ୨୦ରେ ପହିଲି ଭୋଗ ନୀତି ହେବ। ରାତି ୧୧ଟାରେ ପହୁଡ଼ ହେବ। ସେହିଭଳି ଡିସେମ୍ବର ୧୫ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ଣ ସାଢ଼େ ୧୨ଟାରେ ମହାପ୍ରଭୁ ଶ୍ରୀପୟର ଲାଗି ଅଭିଷେକ ବେଶ ଆରମ୍ଭ ହେବ। ଜାନୁଆରି ୧୫ ତାରିଖ ମକର ସଂକ୍ରାନ୍ତିରେ ପୂର୍ବାହ୍ଣ ୧୧ଟାରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଆଜି ଛତିଶାନିଯୋଗ ବୈଠକରେ ପହିଲି ଭୋଗ ନୀତି ଉପରେ ଆଲୋଚନା ହୋଇଥିଲା। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମୟ ମଧ୍ୟରେ ଗଙ୍ଗାସାଗର ଓ ନୂଆବର୍ଷ ପଡ଼ୁଛି। ଏହିଦିନ ପରିସ୍ଥିତି ଦେଖି ରାତି ୧୦ଟା ପହୁଡ଼ କରିବାକୁ ଚିନ୍ତା କରାଯାଉଛି। ଯଦି ପହୁଡ଼ ନ ହୋଇପାରେ ପ୍ରତୀକ ପହୁଡ଼ କରାଯାଇ ନୀତି ସଂକୁଚିତ କରାଯିବ। ପରଦିନ ଓ ଅନ୍ୟାନ୍ୟ ଦିନରେ ଭିଡ଼ ଦେଖି ଦିବା ପହୁଡ଼ କରାଯିବ। ଜାନୁଆରି ୧୫ରେ ମକର ସଂକ୍ରାନ୍ତିରେ ଲୋକାର୍ପଣ ଉତ୍ସବ ଆରମ୍ଭ ହେବ, ୨୫ ତାରିଖରେ ପୁଷ୍ୟାଭିଷେକ ନୀତି ପଡ଼ୁଛି, ଏହିଦିନ ବି ଶ୍ରୀମନ୍ଦିରରେ ଗହଳି ରହିବ। ଏଥିପାଇଁ ନୀତିକୁ ଶୃଙ୍ଖଳିତ କରିବାକୁ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିରରେ ଡିସେମ୍ବର ୧୬ରୁ ଜାନୁଆରି ୧୪ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଚାଲିବ। ପ୍ରତିଦିନ ରାତି ୨ଟାରେ ଦ୍ବାରଫିଟା ନୀତି ପରେ ୨ଟା ୪୫ରେ ମଙ୍ଗଳ ଆଳତି ହେବ। ଭୋର ୫ଟା ୨୦ରୁ ୬ଟା ଭିତରେ ପହିଲି ଭୋଗ ନୀତି ସଂପନ୍ନ ହେବ। ସାଢ଼େ ୬ଟାରୁ ୮ଟା ଭିତରେ ସକାଳଧୂପ, ୮ଟା ୨୦ରୁ ପୂର୍ବାହ୍ଣ ୧୦ଟା ଭିତରେ ପ୍ରଥମ ଭୋଗମଣ୍ଡପ, ପୂର୍ବାହ୍ଣ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ମଧ୍ୟାହ୍ନଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ଅପରାହ୍ଣ ୧ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ସାଢ଼େ ୨ଟାରେ ଦିବା ପହୁଡ଼ ହେବ। ଅପରାହ୍ଣ ସାଢ଼େ ୪ଟାରେ ଦ୍ବାରଫିଟା ନୀତି ହୋଇ ୫ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ଭିତରେ ସଂଧ୍ୟାଧୂପ, ରାତି ୯ଟାରେ ଚନ୍ଦନଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରେ ବଡ଼ସିଂହାର ଭୋଗ, ୧୦ଟା ୪୫ରେ ଟୋପରଲାଗି ଓ ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ଦେବାଭିଷେକ ପୂର୍ଣ୍ଣିମାରେ ବି ରାତି ୩ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିବ। ମକର ସଂକ୍ରାନ୍ତିରେ ରାତି ୩ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/abhada-nilachal.jpg)