୨୫ରୁ ଡଙ୍ଗରିଆଙ୍କ ନିୟମଗିରି ପର୍ବ

ଲାଞ୍ଜିଗଡ଼: ୨୦୨୨ ଫେବ୍ରୁଆରି ୨୫, ୨୬ ଓ ୨୭ ତାରିଖ ୩ ଦିନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ ଧୁମଧାମରେ ପାଳିତ ହେବ ବୋଲି ନିୟମଗିରି ସୁରକ୍ଷା ସମିତି ନିଷ୍ପତ୍ତି ନେଇଛି। ଜଳ, ଜମି ଏବଂ ଜଙ୍ଗଲର ସୁରକ୍ଷା ତଥା ନିୟମଗିରିକୁ ବହୁରାଷ୍ଟ୍ରୀୟ କମ୍ପାନି ଠାରୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର ଆଦିବାସୀ ମାନେ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାକୁ ପୂଜା କରି ଆସୁଛନ୍ତି। ପ୍ରକୃତିର ନିୟମଗିରି ପର୍ବତ ଉପରେ ପ୍ରାୟ ୨ଶହ ଖଣ୍ଡ ଗାଁର ୮ ହଜାରରୁ ଅଧିକ ଡଙ୍ଗରିଆ ଏବଂ ଝରଣିଆ କନ୍ଧ ବସବାସ କରିଥାନ୍ତି।

ଏମାନେ ପର୍ବତ ଉପରେ କାନ୍ଦୁଲ, ମାଣ୍ଡିଆ, କୋଳଥ, ମକା, କମଳା, କଦଳୀ, ସପୁରୀ ଆଦି ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧମାନଙ୍କ ବିଶ୍ୱାସ ରହିଛି ଯେ, ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କଠାରେ ବଳିଦେଇ ସନ୍ତୁଷ୍ଟ କଲେ ସମସ୍ତ ରୋଗ କଷ୍ଟରୁ ମୁକ୍ତି ମିଳିବା ସହ ଫସଲ ଉତ୍ପାଦନ ବଢ଼ିବ। ତେଣୁ ପ୍ରତିବର୍ଷ ନିୟମଗିରି ପର୍ବତ ଶିଖର ଉପରେ ଥିବା ନିୟମରାଜାଙ୍କ ଧରଣୀପେନୁ ଠାରେ କୁକୁଡ଼ା, ପାରା, ବୋଦା, ଘୁଷୁରି ଓ ପୋଢ ଆଦି ବଳି ଦେଇ ନିୟମରାଜାଙ୍କୁ ସନ୍ତୁଷ୍ଟ କରାଯାଏ।

ଏହାସହ ରକ୍ତ ଚାଉଳ ଧରି ଜୀବନ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ବଜ୍ର ଶପଥ ନେଇଥାନ୍ତି। ବିଭିନ୍ନ ଜନ ଆନ୍ଦୋଳନ ସଂଗଠନ, ସ୍ବେଚ୍ଛାସେବୀ, ପରିବେଶବିତ୍‌ ଓ ପ୍ରକୃତିପ୍ରେମୀଙ୍କୁ ଏହି ଯାତ୍ରାରେ ସାମିଲ ହେବା ପାଇଁ ନିୟମଗିରି ସୁରକ୍ଷା ସମିତି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଆଦିବାସୀ ନେତା ସମେତ ନିୟମଗିରି ଅଞ୍ଚଳରେ ବାସ କରୁଥିବା ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ଆହ୍ୱାନ କରିଛନ୍ତି।

ସମ୍ବନ୍ଧିତ ଖବର