କଟକ: କଟକ ସହରରେ ଗଲା ୧୦ ବର୍ଷ ଭିତରେ ଘରଭଡ଼ା ନେଇ ରହୁଥିବା ଏମିତି ୧୦ ଜଣ ଧରାପଡିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି ଅଲ୍‌-କଏଦା ଆତଙ୍କବାଦୀ ସ˚ଗଠନର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଅଣ୍ଡରଵାର୍ଲଡ୍ ଡନ୍‌ଙ୍କ ସହଯୋଗୀ, ବାଂଲାଦେଶୀ ଅପରାଧୀଙ୍କ ସିମ୍‌ବକ୍ସ ଏଜେଣ୍ଟ, ଜାଲ୍‌ ପରିଚୟପତ୍ରଧାରୀ ଆଫଗାନୀ ନାଗରିକ। ୨୦୧୫ ଏପ୍ରିଲରେ କମିସନରେଟ୍ ପୁଲିସ ଭଡ଼ାଟିଆଙ୍କ ଡାଟାବେସ୍ ପ୍ରସ୍ତୁତି ଓ ପରିଚୟପତ୍ର ଯାଞ୍ଚ କଡ଼ାକଡ଼ି ନେଇ ଜାରି କରିଥିବା ବିଜ୍ଞପ୍ତି ଆଦୌ କାର୍ଯ୍ୟକାରୀ ହେଉନଥିବା ଏଥିରୁ ସ୍ପଷ୍ଟ ହୋଇଛି। 

Advertisment

ଅଲ୍‌-କଏଦା ଆତଙ୍କବାଦୀ ସ˚ଗଠନର ପ୍ରମୁଖ ସଦସ୍ୟ କଟକ ଜଗତପୁର ପଶ୍ଚିମକଚ୍ଛର ଅବଦୁର‌୍‌ ରହେମାନକୁ ୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ଗିରଫ କରିବା ପରେ ସେହି ସ˚ଗଠନର ୫ ଜଣ ସଦସ୍ୟଙ୍କୁ ସେ ଆଣି କଟକ ଲାଲ୍‌ବାଗ ଥାନା ଓଡ଼ିଆ ବଜାର ମସଜିଦ୍‌ ପାଖରେ ଭଡ଼ା ଘରେ ରଖିଥିବା ଜଣାପଡ଼ିଥିଲା। ସେହିଭଳି ୨୦୧୭ ଅଗଷ୍ଟ ୧୨ରେ ଅଣ୍ତରଵାର୍ଲଡ୍‌ ଡନ୍‌ଙ୍କ ୩ ଜଣ ସହଯୋଗୀଙ୍କୁ ସିଡିଏରୁ ଗିରଫ କରାଯାଇଥିଲା। ଏଥିରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ବିହାରର ଧୀରଜ ରାଓଙ୍କ ସମେତ ସ୍ବପ୍ନସଜିତ ପ୍ରଧାନ ଓ ଜନ୍ମେଜୟ ଦାସ ଗିରଫ ହୋଇଥିଲେ। 

୧୦ ବର୍ଷରେ ଧରାପଡ଼ିଲେଣି ୧୦ ଭଡ଼ାଟିଆ
କଡ଼ାକଡ଼ି ହେଉନି ୨୦୧୫ର ନିୟମ

୨୦୨୪ ଅଗଷ୍ଟ ୧୬ରେ କମିସନରେଟ୍ ପୁଲିସ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବନଗର ଅଞ୍ଚଳରୁ ପଶ୍ଚିମବଙ୍ଗ ଚବିଶପ୍ରଗଣାର ରାଜୁ ମଣ୍ଡଳକୁ ଗିରଫ କରିବା ପରେ କଟକ ମଧୁପାଟଣା ଥାନା ରାଜେନ୍ଦ୍ରନଗର ଅଞ୍ଚଳରେ ଏକ ଭଡ଼ା ଘରୁ ୫ଟି ସିମ୍ ବକ୍ସ ଜବତ ହୋଇଥିଲା। ରାଜୁ ୨୦୨୩ ଡିସେମ୍ବର ୬ରୁ ଏହି ଘର ଭଡ଼ା ନେଇଥିବା ବେଳେ ଘର ମାଲିକ କୌଣସି ତଥ୍ୟ ମଧୁପାଟଣା ଥାନା ପୁଲିସ ନିକଟରେ ଦାଖଲ କରି ନଥିଲେ। ସେ ବାଂଲାଦେଶୀ କୁଖ୍ୟାତ ଅପରାଧୀ ଗୋଷ୍ଠୀ ଅସଦୁର୍‌ ଜମାନ୍ ସମ୍ପର୍କରେ ଥିବା ତଦନ୍ତରୁ ଜଣାପଡ଼ିଥିଲା। ଗଲା ୨୧ ତାରିଖରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଗିରଫ ହୋଇଥିବା ଆଫଗାନୀ ନାଗରିକ ମହମ୍ମଦ ୟୁସୁଫ ଓରଫ ୟାହା ଖାଁ କଟକ ପୁରୀଘାଟ ଥାନା ପେଟିନ୍‌ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲା। ସେ ୨୦୧୮ରୁ ସେହି ଘରେ ଭଡ଼ାରେ ରହିବା ସହିତ କେଶର ବ୍ୟବସାୟ କରୁଥିଲା। ସେ ନକଲି ପାସ୍‌ପୋର୍ଟ ରଖିବା ସହିତ ପେଟିନ୍‌ସାହିରେ ରହି ସମସ୍ତ ବ୍ୟକ୍ତିଗତ ପ୍ରମାଣପତ୍ର ହାତେଇ ନେଇଥିଲା।

ଲ୍ଲେଖଯୋଗ୍ୟ ଯେ ୨୦୧୫ ଏପ୍ରିଲ ୮ରେ ତତ୍କାଳୀନ ପୁଲିସ କମିସନର ଡାକ୍ତର ଆର୍‌.ପି.ଶର୍ମା ସହରରେ ଭଡ଼ା ଘରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଘର ମାଲିକମାନେ ଏ ସଂପର୍କିତ ତଥ୍ୟ ଦାଖଲ ନ କରିବେ ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ତବିଧାନ ବ୍ୟବସ୍ଥା ରହିଛି। ନିୟମ ଖିଲାପ କଲେ ଅଭିଯୁକ୍ତଙ୍କ ବିରୋଧରେ ୬ ମାସ ଜେଲ୍‌ଦଣ୍ତ ଓ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କିନ୍ତୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉ ନଥିବା ବେ‌ଳେ ପୁଲିସ ଏହାର ଯାଞ୍ଚ ବି କରୁନି।