ବିଧାନସଭାରୁ…

ରାଜ୍ୟରେ ୧୮,୭୯,୨୨୬ଟି ମାମଲା ବିଚାରାଧୀନ
ଭୁବନେଶ୍ବର : ରାଜ୍ୟରେ ନିମ୍ନ କୋର୍ଟରୁ ଆରମ୍ଭ କରି ହାଇକୋର୍ଟଙ୍କ ପର୍ଯ୍ୟନ୍ତ ମୋଟ୍‌ ୧୮,୭୯,୨୨୬ଟି ମାମଲା ବିଚାରାଧୀନ ଅଛି। ସେଥିରେ ୧୫ବର୍ଷରୁ ଅଧିକ ପୁରୁଣା ମାମଲା ସଂଖ୍ୟା ୧,୨୮,୦୧୯।

ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ମିଳିବା ପରେ ରାଜ୍ୟ ସରକାର ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ସିଭିଲ୍‌ ଜଜ୍ (ଜୁନିଅର ଡିଭିଜନ) ସହ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି। ଏହାସହ ମାମଲାଗୁଡ଼ିକର ତୁରନ୍ତ ଫଇସଲା ନେଇ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି।

ଲୁପ୍ତ ଅବସ୍ଥାକୁ ଆସିଥିବା ଭାଷା ସମ୍ବନ୍ଧରେ ତଥ୍ୟ ନାହିଁ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସ୍ଥାନୀୟ କଥିତ ଭାଷା ପ୍ରଚଳିତ ରହିଛି। ଏହି ସ୍ଥାନୀୟ ଭାଷା ମଧ୍ୟରୁ କୌଣସିଟି ଲୋପ ପାଇଥିବା ଓ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଥିବା ସମ୍ବନ୍ଧରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପାଖରେ କୌଣସି ତଥ୍ୟ ନ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର। ବିଧାୟକୁ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ଯେ ସ୍ଥାନୀୟ କଥିତ ଭାଷା ମଧ୍ୟରେ ସମ୍ବଲପୁରୀ(କୋଶଳୀ), ମୁଣ୍ଡାରୀ, ଭାତରି, ରେଲି କୁରୁମାଳି, କୁଇ, ସାନ୍ତାଳୀ, କୋହ୍ଲ, ହୋ, କିସାନ ଇତ୍ୟାଦି ରହିଛି। କେବଳ ସାନ୍ତାଳୀ ଭାଷାର ଅଲଚିକି ଲିପିକୁ ଛାଡ଼ି ଦେଲେ ଅନ୍ୟ କୌଣସି ଅଞ୍ଚଳିକ ଭାଷାର ଲିପି ନାହିଁ।

୨୦୨୧ ଜଣ ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ୍‌
ଭୁବନେଶ୍ବର : ଉଭୟ ବାପା-ମା’ଙ୍କୁ ହରାଇଥିବା ୨୦୨୧ ଜଣ ଶିଶୁଙ୍କୁ ଆର୍ଶୀବାଦ ଯୋଜନାରେ ମାସକୁ ୨୫୦୦ଟଙ୍କା ହିସାବରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଶିଶୁମାନଙ୍କୁ ୧୮ବର୍ଷ ପୂରିବା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜଣାଇଛନ୍ତି ଯେ, ଆର୍ଶୀବାଦ ଯୋଜନାରେ ୯୮୮ଜଣ ପୁଅ, ୧୦୩୩ ଜଣ ଝିଅ ସାମିଲ୍‌ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୬୦ଜଣ ପିଲା ଥିବାବେଳେ ପୁରୀରେ ସବୁଠୁ କମ୍‌ ୧୭ଜଣ ପିଲା ଅଛନ୍ତି।

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ୧୪୭ ପୀଠ
ଭୁବନେଶ୍ବର : ପୌରାଣିକ କିମ୍ବଦନ୍ତୀ ଦୃଷ୍ଟିରୁ ୧୪୭ଟି ପୀଠକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରାଯାଇଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ଯେ ଜାତୀୟ ଅର୍ଥ କମିସନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର, ଲିଙ୍ଗରାଜ, ମା’ସମଲେଶ୍ବରୀ, ନୀଳମାଧବ ଆଦି ପୀଠ ବ୍ୟତୀତ ଅନ୍ୟାନ୍ୟ ପୀଠଗୁଡ଼ିକ ବିକାଶ ଲାଗି ଖର୍ଚ ହୋଇଥିବା ଅନୁଦାନର ତଥ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ରଖାଯାଏ ନାହିଁ। ସେହିପରି ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ପାଣ୍ଠି ଦ୍ବାରା କରାଯାଇଥିବା ଖର୍ଚର ବିବରଣୀ ବିଭାଗର ପରିସରଭୁକ୍ତ ନୁହେଁ।

ସମ୍ବନ୍ଧିତ ଖବର