ବିଧାନସଭାରୁ…

ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ଅଭିଯୋଗର ତଥ୍ୟ ସଂଗ୍ରହ ଚାଲିଛି
ଭୁବନେଶ୍ବର : ଗତ ୧୦ବର୍ଷରେ ସାଧାରଣ ଲୋକଙ୍କ ପ୍ରତି ପୁଲିସ ଅତ୍ୟାଚାର ଅଭିଯୋଗର କେତେ ମାମଲା ରୁଜୁ ‌ହୋଇଛି। କେତେ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ସମୟ ମଧ୍ୟରେ କେତେ ପୁଲିସ କର୍ମଚାରୀ ଭିଜିଲାନ୍‌ସ ମାମଲାରେ ଛନ୍ଦି ହୋଇଛନ୍ତି ଓ ସେମାନଙ୍କର କେତେ ମୂଲ୍ୟର ସଂପତ୍ତି ଠାବ ହୋଇଛି। ଏହାର ଜିଲ୍ଲାୱାରୀ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ହେଲେ ଏସବୁ ପ୍ରଶ୍ନର ତଥ୍ୟ ସଂଗ୍ରହ କରାଯାଉଥିବା କହିଛନ୍ତି ରାଷ୍ଟ୍ରମନ୍ତ୍ରୀ(ସ୍ବରାଷ୍ଟ୍ର) ତୁଷାରକାନ୍ତି ‌ବେହେରା।

୫ବର୍ଷରେ ଭିଜିଲାନ୍ସ ହାତରେ ଧରାପଡ଼ିଲେଣି ୧୬୮ଜଣ ମହିଳା କର୍ମଚାରୀ
ଭୁବନେଶ୍ବର : ଗତ ୫ବର୍ଷରେ (୧.୧.୨୦୧୭ରୁ ୩୧.୧୨.୨୦୨୧) ମଧ୍ୟରେ ମହିଳା ଓ ଶିଶୁ ବିଭାଗ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର ୧୬୮ଜଣ ମହିଳା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଚଢାଉ ବେଳେ ସେମାନଙ୍କ ଠାରୁ ୭୧କୋଟି ୨୬ଲକ୍ଷ ୨୩ହଜାର ୯୪୯ଟଙ୍କା ସମ୍ପତ୍ତି ଠାବ କରାଯାଇଛି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

୫ବର୍ଷରେ ରାଜ୍ୟରେ ୨୪୩୬୫ଜଣ ଆତ୍ମହତ୍ୟା କରିଛନ୍ତି
ଭୁବନେଶ୍ବର : ରାଜ୍ୟରେ ଗତ ୫ବର୍ଷରେ ୨୦୧୭ରୁ ୨୦୨୧ ଶେଷ ସୁଦ୍ଧା ୨୪୩୬୫ ଜଣ ଆତ୍ମହତ୍ୟା କରିଥିବା ମାମଲା ପଞ୍ଜୀକୃତ ହୋଇଛି। ଏହାବାଦ୍ ପୁଲିସ ହେପାଜତରେ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ପୁଲିସ ହେପାଜତରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୪ଟି ମାମଲାର ତଦନ୍ତ ଶେଷ ହୋଇଥିବାବେଳେ ବାକି ୨୧ଟି ମାମଲାର ତଦନ୍ତ ଅଦ୍ୟାବଧି ଚାଲିଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

ଆଦିବାସୀ ଅଞ୍ଚଳରେ କିଡ୍‌ନି ରୋଗ ବୃଦ୍ଧି ପାଇବା କଥା ସତ୍ୟ ନୁହେଁ
ଭୁବନେଶ୍ବର : ରାଜ୍ୟର ଆଦିବାସୀ ବହୁଳ ତଥା ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ କିଡ୍‌ନି ସଂପର୍କିତ ରୋଗ ବୃଦ୍ଧି ପାଉଥିବା କଥା ସତ୍ୟ ନୁହେଁ। ଏହି ରୋଗ ପାହାଡ଼ିଆ ଅଞ୍ଚଳ, ଆଦିବାସୀ ବହୁଳ ଓ ଅଣ-ଆଦିବାସୀ ଥିବା ଅଞ୍ଚଳରେ ମଧ୍ୟ ଦେଖାଯାଉଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ କିଡ୍‌ନି ସଂପର୍କିତ ରୋଗର ଚିକିତ୍ସା ପାଇଁ ସମସ୍ତ ମଧୁମେହ, ଉଚ୍ଚ ରକ୍ତଚାପ, ସ୍ଥୂଳତା ଥିବା ଓ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସମୟରେ କିଡ୍‌ନି ରୋଗର ପରୀକ୍ଷା କରାଯାଉଛି। ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତର ୟୁରିଆ, କ୍ରିଏଟିନିନ ପରୀକ୍ଷା କରିବାର ବ୍ୟବସ୍ଥା କରାଯାଇଛି। ଅଧିକ ଆଶଙ୍କା ପ୍ରବଣ ବ୍ୟକ୍ତିମାନଙ୍କୁ ଚିକିତ୍ସା ଓ ବ୍ୟବହାରଗତ ପରାମର୍ଶ ଦିଆଯାଉଛି। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଓ କେତେକ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଏଲିସିସ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସମୁଦାୟ ୩୬ଟି ଡାକ୍ତରଖାନାରେ ୩୧୪ଟି ମେସିନ୍ ଦ୍ବାରା ଡାଏଲିସିସ୍ କରାଯାଉଛି।

୩ ବର୍ଷରେ ନିଯୁକ୍ତ ହୋଇଛନ୍ତି ୨୨୪୭ ଡାକ୍ତର
ଭୁବନେଶ୍ବର : ଗତ ୩ବର୍ଷରେ ରାଜ୍ୟରେ ୨୨୪୭ ଡାକ୍ତର ନିଯୁକ୍ତ ହୋଇଛନ୍ତି। ୨୦୧୯ ବର୍ଷରେ ୧୪୦୩, ୨୦୨୦ରେ ୭୬୩ ଓ ୨୦୨୧ରେ ୧୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଚଳିତବର୍ଷ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ସୁପାରିସ ହୋଇଥିବା ୩୫୮ଜଣ ଏଲୋପ୍ୟାଥିକ ଡାକ୍ତରଙ୍କୁ ଗତବର୍ଷ ୨୧ତାରିଖରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ନବକିଶୋର ଦାସ।

ବିଧାୟକ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ଗତ ୩ବର୍ଷ ଭିତରେ ରାଜ୍ୟର ସରକାରୀ ଓ ବେସରକାରୀ ଉଭୟ ମେଡିକାଲ କଲେଜରୁ ୨୪୨୩ଜଣ ମେଡିକାଲ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ପିଜି/ଏମ୍‌ସିଏଚ୍‌ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଶିକ୍ଷା ସମାପ୍ତି ପରେ ପିଜି ପରବର୍ତୀ ବଣ୍ଡ ମାଧ୍ୟମରେ ୨ବର୍ଷ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର