ଧାନ କିଣାରୁ ମିଲିଂ ଯାଏ ହାତ ଚିକ୍କଣ: ବର୍ଷକୁ ୩ ହଜାର କୋଟିର ଘୋଟାଲା

ଖୁଦକଣି, ଭଙ୍ଗା ଚାଉଳ, କୁଣ୍ଡା ପଇସା ନେଉଛି କିଏ? ମିଲିଂ ଦର ବୃଦ୍ଧି କରୁନି କେନ୍ଦ୍ର, ମିଲର ମାଲେମାଲ୍

ଭୁବନେଶ୍ବର: ଧାନ କିଣା କେଳେଙ୍କାରୀ ଖବର ଓଡ଼ିଶା ପାଇଁ ନୂଆ ନୁହେଁ। ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରେ ମଧ୍ୟ କଟ୍‌ନି ଛଟ୍‌ନି, ଅଭାବୀ ବିକ୍ରି ସମେତ ଧାନ ବିକ୍ରି ଅନୁମତି ଦେବା କ୍ଷେତ୍ରରେ ଚାଷୀଙ୍କୁ େଯଭଳି ହଇରାଣ ହରକତ କରାଯାଉଛି, ସେସବୁ ଖବର ବେଶ୍ କିଛି ବର୍ଷ ଧରି ରାଜ୍ୟକୁ ଆଚ୍ଛନ୍ନ କରି ରଖିଛି। ଚାଷୀ ସାଂଘାତିକ କ୍ଷତି ସହୁଛନ୍ତି, ସରକାର ନିର୍ବିକାର। ଏହା ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଲର-ସରକାରୀ ବ୍ୟବସ୍ଥାରେ ବାର୍ଷିକ ପାଖାପାଖି ୩୦୦୦ କୋଟିରୁ ଅଧିକ ଟଙ୍କା ହରିଲୁଟ୍ ହେଉଛି। ମିଲିଂ ଦର ବୃଦ୍ଧି କରୁନାହାନ୍ତି କି ଧାନ ମିଲିଂ ପରେ ବାହାରୁଥିବା ଉପ-ଦ୍ରବ୍ୟର ମୂଲ୍ୟ ନିର୍ଧାରଣ ନ କରି କେନ୍ଦ୍ର ସରକାର ଏଭଳି ଏକ କେଳେଙ୍କାରୀ ଲାଗି ସୁଯୋଗ ଦେଇଛନ୍ତି। କେନ୍ଦ୍ର ଆୟକର ବିଭାଗ, ରାଜ୍ୟ ଜିଏସଟି କର୍ତ୍ତୃପକ୍ଷ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ କର୍ତ୍ତୃପକ୍ଷ ସମସ୍ତେ ଏହି ହରିଲୁଟ୍‌ ସଂପର୍କରେ ସବୁ ଜାଣନ୍ତି। ହେଲେ ଏତେ ବଡ଼ ଦୁର୍ନୀତି ସଂପର୍କରେ କେହି େକବେ ‘କିନ୍ତୁ’ ଉଠାଇ ନାହାନ୍ତି, ବରଂ ବର୍ଷ ବର୍ଷ ଧରି ଏଭଳି ହରିଲୁଟ୍‌କୁ ‘ସ୍ବୀକୃତି’ ଦିଆଯାଉଛି। ଚାଷୀ ବାପୁଡାଙ୍କୁ ଏସବୁ ମାଲୁମ୍ ନଥିବାରୁ ସେମାନେ କେବେ ଏ ପ୍ରସଙ୍ଗ ଉଠାଇନାହାନ୍ତି ଏବଂ ସ୍ବାର୍ଥ କୈନ୍ଦ୍ରୀକ ରାଜନୈତିକ ବ୍ୟବସ୍ଥା ମଧ୍ୟ ନିରବ। ଏସବୁଠୁ ବଡ କଥା ହେଲା, ପ୍ରଧାନ ମହାଲେଖାକାର ତଥା ମହାସମୀକ୍ଷକ (ଏଜି)ଙ୍କ ଅଡିଟ୍ ୨୦୧୫ରେ ମିଲିଂ ପ୍ରକ୍ରିୟାରେ ଏଭଳି ଏକ କେଳେଙ୍କାରୀ ସଂପର୍କରେ ତାଙ୍କ ରିପୋର୍ଟରେ ସାମ୍ନାକୁ ଆଣିଥିଲେ। ଜାତୀୟସ୍ତରରେ ଏହି ଖବର ହଇଚଇ ସୃଷ୍ଟି କରିଥିଲା। ଏହା ପରେ ମଧ୍ୟ କେନ୍ଦ୍ର ସରକାର ଆଖିବୁଜି ଦେଇଛନ୍ତି। ଓଡ଼ିଶା କଥା ଯଦି କୁହାଯିବ; ୨୦୧୬ରେ ସିଏଜି ତାଙ୍କ ରିପୋର୍ଟରେ ଧାନ କିଣା ସଂପର୍କରେ ଅନେକ ଅସଙ୍ଗତି କଥା କହିଥିଲେ, ହେଲେ ଏ ନେଇ ବି ତାଙ୍କ ରିପୋର୍ଟ ନିରବ ଥିଲା।

ଖବର ଅନୁସାରେ, ପ୍ରତି କ୍ବିଣ୍ଟାଲ ଧାନ ମିଲିଂରେ ୬୮ କେଜି ଯାଏ ଉଷୁନା ଚାଉଳ ବାହାରେ। ଅରୁଆ ଚାଉଳ କ୍ଷେତ୍ରରେ ଏହାର ପରିମାଣ କ୍ବିଣ୍ଟାଲ ପିଛା ୬୫ରୁ ୬୭ କେଜି। ମିଲରକୁ ଧାନ ଦେଇ ଏଥିରୁ ଉତ୍ପାଦିତ ଏହି ଚାଉଳ ରାଜ୍ୟ ସରକାର ହିଁ ଆଣିଥାନ୍ତି। ଏଥିରୁ ପାଖାପାଖି ୨୫ଲକ୍ଷ କ୍ବିଣ୍ଟାଲ ଚାଉଳ ପିଡିଏସ୍‌ ବାବଦରେ ରାଜ୍ୟ ସରକାର ବ୍ୟବହାର କରିଥାନ୍ତି ଓ ବଳକା ଚାଉଳ ଏଫ୍‌ସିଆଇ ନେବାର ବ୍ୟବସ୍ଥା ରହିଛି। ଧାନ ସଂଗ୍ରହ ଠାରୁ ମିଲିଂ ଯାଏ, କେଉଁଥି ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, ତାହା କେନ୍ଦ୍ର ସରକାର ଧାର୍ଯ୍ୟ କରିଥାନ୍ତି ଓ ଦେଇଥାନ୍ତି। ସେ ଅନୁସାରେ ମିଲରଙ୍କୁ ତାଙ୍କର ପ୍ରାପ୍ୟ ବି ମିଳିଥାଏ।

କିନ୍ତୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଲା, ଧାନ ମିଲିଂ ବା ରୂପାନ୍ତର ପ୍ରକ୍ରିୟାରେ ବାହାରୁଥିବା ଉପ-ଦ୍ରବ୍ୟ ଅର୍ଥାତ୍ ରାଇସ୍ ବ୍ରାନ୍ (ଖୁଦ କଣି), ଭଙ୍ଗା ଚାଉଳ ବା ଖୁଦ ଓ କୁଣ୍ଡା କୁଆଡ଼େ ଯାଏ? ବଜାରରେ ଆଜି ଦିନରେ ଏସବୁ ସାମଗ୍ରୀର ମୂଲ୍ୟ ଢେର୍ ବେଶି। ଏ ବାବଦ ପଇସା କିଏ ନେଇଥାନ୍ତି? ଉତ୍ତର ହେଲା- ଏସବୁକୁ ମିଲରଙ୍କୁ ହିଁ ମାଗଣାରେ ଦେଇ ଦିଆଯାଏ। ଏ ବାବଦରେ ଟଙ୍କାଟିଏ ଅସୁଲ କରାଯାଏ ନାହିଁ। ବଜାରରେ ଏସବୁ ଉପ-ଦ୍ରବ୍ୟର ଦାମ କାହିଁ କେତେ ଉଚ୍ଚା ଓ ଏଥିରୁ ବେଶ୍ ଅର୍ଥ ମିଲରମାନେ ରୋଜଗାର କରୁଥିଲେ ହେଁ, ଏ ଅର୍ଥ ନା ସରକାରୀ ତହବିଲକୁ ଆସେ ନା ଚାଷୀ ପାଖକୁ ଯାଏ।

ଅନୁସନ୍ଧାନ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ମୁଣ୍ଡ ଗୋଳମାଳ କରିଦେବା ଭଳି। କେବଳ ଓଡ଼ିଶାରେ ଏମିତି ହେଉଛି ତା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଧାନ ରୂପାନ୍ତର ପ୍ରକ୍ରିୟାରେ ଗୋଟିଏ ବଡ଼ କେଳେଙ୍କାରୀ ଘଟୁଛି ଓ ସମସ୍ତେ ଚୁପଚାପ୍ ରହିଛନ୍ତି। ଖୋଳତାଡ଼ରୁ ଆହୁରି ଜଣାପଡ଼ିଛି ଯେ ସାଧାରଣତଃ କେନ୍ଦ୍ର ସରକାର ଗୋଟିଏ କମିସନ ବସାଇ କ୍ବିଣ୍ଟାଲ ପିଛା କେତେ ଟଙ୍କା ମିଲିଂ ବାବଦରେ ମିଲରଙ୍କୁ ଦିଆଯିବ, ତାହା ଧାର୍ଯ୍ୟ କରିଥାନ୍ତି। ହେଲେ ୨୦୦୫ ମସିହାରୁ କେନ୍ଦ୍ର ମିଲିଂ ଚାର୍ଜ ସଂଶୋଧନ କରିନାହାନ୍ତି। ଫଳରେ ଢେର୍ ବର୍ଷ ହେଲା ଉଷୁନା ଚାଉଳ କ୍ଷେତ୍ରରେ କ୍ବିଣ୍ଟାଲ ପିଛା ମିଲିଂ ଦର ମାତ୍ର ୨୦ ଟଙ୍କା ରହିଛି। ମିଲରମାନଙ୍କ ନିକଟରୁ ବୁଝାସୁଝା କରିବା ପରେ ଜଣାପଡେ ଯେ େଗାଟିଏ କ୍ବିଣ୍ଟାଲ ଧାନ ମିଲିଂ ଲାଗି ପ୍ରାୟ ୩ରୁ ୫ ୟୁନିଟ୍ ଯାଏ ବିଜୁଳି ଖର୍ଚ୍ଚ ହୋଇଥାଏ। ବିଦ୍ୟୁତ୍ ବିଲ୍ ବାବଦରେ ୧୮ରୁ ୩୦ ଟଙ୍କା ଯାଏ ସେମାନେ ଖର୍ଚ୍ଚ କରିଥାନ୍ତି। ବାକି ବ୍ୟାଙ୍କ ସୁଧ ଠାରୁ ଆରମ୍ଭ କରି ନିୟୋଜିତ ଶ୍ରମିକଙ୍କ ପର୍ଯ୍ୟନ୍ତ ସବୁ ଖର୍ଚ୍ଚକୁ ହିସାବ ନେଲେ, କ୍ବିଣ୍ଟାଲ ପିଛା ୫୦ ଟଙ୍କା ଯାଏ ଖର୍ଚ୍ଚ ହୁଏ। ଏହାର ଅଧାରୁ କମ୍ ଅର୍ଥ ସରକାର ଦେଉଛନ୍ତି। ଏଣୁ ମିଲିଂ ବାବଦ କ୍ଷତି ଭରଣା ପାଇଁ ମୋଫତରେ ମିଲରମାନଙ୍କୁ ଏହି ଉପ-ଦ୍ରବ୍ୟଗୁଡ଼ିକ ଛାଡ଼ି ଦିଆଯାଉଛି।

ଏ କ୍ଷେତ୍ରରେ ସବୁଠୁ ଚାଞ୍ଚଲ୍ୟକର କଥା ହେଲା, ଏହି ବେଆଇନ କାରବାରକୁ ସରକାର ସ୍ବୀକୃତି ଦେଇଛନ୍ତି। କାହିଁକି ନା ମିଲରଠାରୁ ୬୮ କେଜି ହିସାବରେ ଚାଉଳ ଆଣିବା ପରେ ଆଉ କିଛି ପ୍ରାପ୍ୟ ସଂପର୍କରେ ଚୁକ୍ତିରେ ଉଲ୍ଲେଖ ନାହିଁ। ଅତଏବ କେନ୍ଦ୍ର ସରକାର ଉପ-ଦ୍ରବ୍ୟକୁ ବିଚାରକୁ ନେଇନାହାନ୍ତି ଓ ଦାନୀ କର୍ଣ୍ଣଙ୍କ ଭଳି ଏସବୁକୁ ମିଲରଙ୍କୁ ଦେଇ ଦେଇଛନ୍ତି। ଏହି ଉପ-ଦ୍ରବ୍ୟର ମୂଲ୍ୟକୁ ବିଚାରକୁ ନେଲେ ଯେ କୌଣସି ବ୍ୟକ୍ତିର ଆଖି ଖୋସି ହୋଇଯିବ। ଗୋଟିଏ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଗୋଟିଏ କ୍ବିଣ୍ଟାଲ ଧାନରୁ ଚାଉଳ ବାହାରିବା ପରେ ସେହି ପ୍ରକ୍ରିୟାରେ ପ୍ରାୟ ୭ କେଜି ଯାଏ ରାଇସ୍ ବ୍ରାନ୍, ୫ କେଜି ପାଖାପାଖି ଖୁଦ ଓ ୨୦ କେଜି ଯାଏ କୁଣ୍ଡା ଆଦି ବାହାରିଥାଏ। ରାଇସ୍ ବ୍ରାନର ମାନ ଯାଞ୍ଚ ପରେ ଏହାର ମୂଲ୍ୟ ନିର୍ଧାରଣ ହୋଇଥାଏ। ନିମ୍ନମାନର ରାଇସ୍ ବ୍ରାନରୁ ଖାଇବା ତେଲ, ଇଥାନଲ୍ ଭଳି ଇନ୍ଧନ ପ୍ରସ୍ତୁତ କରାଯାଏ। ଏହାର ଦର କ୍ବିଣ୍ଟାଲ ପିଛା ପାଖାପାଖି ୩୦୦୦ ଟଙ୍କା। ଅର୍ଥାତ୍ କେଜି ୩୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଟିକେ ଉନ୍ନତମାନର ରାଇସ୍ ବ୍ରାନ୍ ଦର ଢେର୍ ଅଧିକ। ଏହା ମୁଖ୍ୟତଃ ଭୋଡ୍‌କା ଭଳି ଉନ୍ନତ ମାନର ମଦ ଏବଂ ବହୁଳ ଭାବେ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ସେହିଭଳି ବଜାରରେ ଖୁଦର ଦାମ କେଜି ପିଛା ହାରାହାରି ୨୦ ଟଙ୍କା ରହିଛି ଏବଂ କୁଣ୍ଡା କେଜି ପାଖାପାଖି ୮ଟଙ୍କାରେ ମିଲର ବିକ୍ରି କରୁଛନ୍ତି। ଅର୍ଥାତ୍ ଗୋଟିଏ କ୍ବିଣ୍ଟାଲ ଧାନରେ ଚାଉଳ ମୂଲ୍ୟକୁ ବାଦ୍ ଦେଲେ ଆଉ ପାଖାପାଖି ୪୭୦ ଟଙ୍କା ରୋଜଗାର କରୁଛନ୍ତି ମିଲର।
ମିଲିଂ ମୂଲ୍ୟ ମାତ୍ର ୫୦ ଟଙ୍କା ପାଖାପାଖି ବୃଦ୍ଧି ନ କରି ୪୭୦ ଟଙ୍କା ଛାଡ଼ କରାଯିବା, କିଭଳି ଯୁକ୍ତି? ଏହା ହେଉଛି ଅସଲ ପ୍ରଶ୍ନ।

ଓଡ଼ିଶା କଥାକୁ ବିଚାରକୁ ନେଲେ ଚିତ୍ର ଆହୁରି ସ୍ପଷ୍ଟ ହେବ। ଏଠାରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ବାର୍ଷିକ ପାଖାପାଖି ୭୧ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରୁଛନ୍ତି। ଅର୍ଥାତ୍ ମିଲରଙ୍କୁ ଛାଡ଼ି ଦିଆଯାଉଥିବା ଅର୍ଥକୁ ବିଚାରକୁ ନେଲେ କେବଳ ଓଡ଼ିଶାରେ ଏ ବାବଦରେ ବାର୍ଷିକ ୩୩୭୦ କୋଟି ଟଙ୍କା ହାତଛଡ଼ା ହେଉଛି। ଏ ଅର୍ଥ ମିଲର ଓ ଅସାଧୁ ତତ୍ତ୍ବମାନେ ଭାଗବଣ୍ଟା କରୁଥିବା ସନ୍ଦେହ ଅମୂଳକ ବୋଲି କୁହାଯାଇପାରିବ ନାହିଁ। କେଉଁ ଯୁକ୍ତି ବଳରେ କେନ୍ଦ୍ର ସରକାର କୁଣ୍ଡା, ରାଇସ୍ ବ୍ରାନ୍ ବା ଖୁଦ ମୂଲ୍ୟ ଆଣନ୍ତି ନାହିଁ ବା ଛାଡ଼ି ଦେଇଛନ୍ତି ସେ ସଂକ୍ରାନ୍ତରେ ଏଯାଏ କୌଣସି ସଫେଇ ଦେବାକୁ ଆବଶ୍ୟକତା ମନେ କରିନାହାନ୍ତି। ଏତେ ବଡ ପରିମାଣର ଅର୍ଥ ହରାଉଥିବା ବେଳେ ରାଜ୍ୟ ସରକାର ପ୍ରତିବାଦ ନ କରିବା ବିସ୍ମିତ କରିବନି ତ ଆଉ କଣ? କେବଳ ସେତିକି ନୁହେଁ, ସିଏଜିଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ କେଳେଙ୍କାରୀ ସଂପର୍କରେ ଉଲ୍ଲେଖ ପରେ ବି କେନ୍ଦ୍ର ସରକାର ଏଯାଏ ମିଲିଂ ଦର ଧାର୍ଯ୍ୟ ଲାଗି କମିସନ ବସାଇନାହାନ୍ତି କି ଉପ-ଦ୍ରବ୍ୟ ସାନି ଦର ଧାର୍ଯ୍ୟ କରିନାହାନ୍ତି। ଏପଟେ ରାଜ୍ୟ ସରକାର ଚାଷୀ ସ୍ବାର୍ଥକୁ ନେଇ ଗର୍ଜନ ତର୍ଜନ କରୁଥିଲେ ହେଁ ମିଲିଂ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରୁନାହାନ୍ତି କିମ୍ବା ଚିଠି ଲେଖୁନାହାନ୍ତି କାହିଁକି? ମିଲରମାନେ ଏତେ ବିଶାଳ ଅର୍ଥ ରାଶି ନିଜ ପକେଟକୁ ନେଉଥିବା କାରଣରୁ ସେମାନେ ମଧ୍ୟ ମିଲିଂ ଦର ବୃଦ୍ଧି ପାଇଁ କେବେ ଦାବି କରିବାର ନଜିର ନାହିଁ।

ବିଶେଷଜ୍ଞଙ୍କର କହିବା କଥା ହେଉଛି, କେନ୍ଦ୍ର ସରକାରଙ୍କ ଭୂମିକା ଏ କ୍ଷେତ୍ରରେ ସନ୍ଦେହ ବଳୟ ବାହାରେ ନାହିଁ। କାରଣ ସାରା ଦେଶର ଧାନ ପାଇଁ ଗୋଟିଏ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତିବର୍ଷ ଧାର୍ଯ୍ୟ କରାଯାଉଛି। ଧାନ କିଣାଠାରୁ ମିଲିଂ ଯାଏ କେଉଁ ବାବଦରେ କେତେ ଖର୍ଚ୍ଚ ହେବ, ତାହା ମଧ୍ୟ କେନ୍ଦ୍ର ନିର୍ଧାରଣ କରୁଛି। ଅଥଚ ଧାନ ମିଲିଂ ବେଳେ ବାହାରୁଥିବା ଉପ-ଉତ୍ପାଦକ ଯଥା ଖୁଦ କଣି, ଭଙ୍ଗା ଚାଉଳ ଏବଂ କୁଣ୍ଡା ମୂଲ୍ୟ ଧାର୍ଯ୍ୟ ନ କରିବାର ରହସ୍ୟ କଣ? କାହିଁକି କେନ୍ଦ୍ର ସରକାର ଏହାର ମୂଲ୍ୟ ନିର୍ଧାରଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି?

ସମ୍ବନ୍ଧିତ ଖବର