ଅନୁଜ ଦାସ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଏହି ପରୀକ୍ଷାରେ ସଫଳତାର ଲମ୍ବା ତାଲିକା ବି ସାମ୍‌ନାକୁ ଆସିଛି। ତେବେ, ଅଧାରୁ ପାଠପଢ଼ା ଛାଡ଼ିସାରିବା ପରେ ବି ୩ଜଣ ପିଲା ମାଟ୍ରିକ୍‌‌ରେ ସଫଳତା ପାଇବା ଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ରେଡ୍ଡୀ ବସ୍ତିରେ। କୁହାଯାଇପାରେ, ଯାହା ଦିନେ ଅସମ୍ଭବ ଥିଲା, ତାହା ଏବେ ସମ୍ଭବରେ ପରିଣତ ହୋଇଛି। ଏହାପଛରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ହାତ ରହିଛି, ଯିଏକି କେବଳ ପାଠପଢ଼ା ପାଇଁ ପ୍ରେରଣା ଯୋଗାଇନଥିଲେ ସଫଳତା ବି ଧରାଇ ଦେଇଛନ୍ତି।

Advertisment

ଏହି ୩ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସନ୍ତୋଷ ରେଡ୍ଡୀ। ଦିନ ଏମିତି ଶୁଣିବାକୁ ମିଳୁଥିଲା, ‘ଏ ସନ୍ତୋଷ ଟେବୁଲ ସଫା କରିଦେ। ଆଉ ବାସନ ସବୁ ଅଇଁଠା ହୋଇ ପଡ଼ିରହିଛି ତୁରନ୍ତ ମାଜିଦେ। ତତେ କଣ ଶୁଭୁନାହିଁ।’ ବାସ୍‌ ଏହାପରେ ମାଡ଼। ଏମିତି ଅନେକ ନିର୍ଯାତନା ସହିଥିବା ସନ୍ତୋଷ ରେଡ୍ଡୀ ସ୍କୁଲ୍‌ କ’ଣ, ପାଠପଢା କ’ଣ, ସେସବୁ କିଛି ଜାଣିନଥିଲେ। ସନ୍ତୋଷଙ୍କ ଭଳି ଶିଶୁ ଶ୍ରମିକଭାବେ କାମ କରୁଥିଲେ ଶ୍ୟାମ ସୁନ୍ଦର ବେହେରା। ଶ୍ୟାମସୁନ୍ଦରଙ୍କ ଦିନ ୱେଲଡିଙ୍ଗ୍‌ ଦୋକାନରେ ବିତୁଥିଲା। ଟଙ୍କା ରୋଜଗାର ପାଇଁ ଛୋଟମୋଟ କାମବି କରୁଥିଲେ। ଏମିତିକି ନିଶାରେ ବି ବୁଡ଼ି ରହୁଥିଲେ ସେ। ଅପରାଧିକ କାମରେ ବି ସମୟ ବିତାଉଥିଲେ।। ଚତୁର୍ଥ ଶ୍ରେଣୀଠାରୁ ପାଠପଢ଼ାରେ ତାଙ୍କର ଡୋରି ଲାଗିଯାଇଥିଲ। ସେହିପରି, ସକାଳ ହେଲେ ରେଳ ଷ୍ଟେସନ ପହଞ୍ଚିଯାଉଥିଲେ ଆନନ୍ଦ। ପ୍ଲାଟ୍‌ଫର୍ମରେ ରେଳ ଅଟକିବା ମାତ୍ରକେ ବୋତଲ ଗୋଟାଇବାରେ ଲାଗି ପଡୁଥିଲେ। ଆଉ ରେଳ ନ ଆସିଲେ ସହରର ଗଳି କନ୍ଦିରେ ବୁଲି ବୁଲି ଜରି ଗୋଟାଉଥିଲେ। ୨ୟ ଶ୍ରେଣୀ ପରେ ସ୍କୁଲ ହତା ମାଡ଼ିନଥିଲେ ଆନନ୍ଦ।

ଭୁବନେଶ୍ୱରର ରେଳଷ୍ଟେସନ ପାଖ ରେଡ୍ଡୀ ବସ୍ତିରେ ଏହି ୩ ଜଣଙ୍କ ଘର। ପାଠପଢ଼ା ଅଭାବରୁ ଜୀବନଟା ଯେମିତି ଅଟକିଯାଇଥିଲା ତିନିଜଣଙ୍କର। ଆଉ ଧୀରେଧୀରେ ପଥଭ୍ରଷ୍ଟ ହୋଇଚାଲିଥିଲେ। ଶୈଶବ କେତେବେଳେ ଆରମ୍ଭ ହୋଇ କେତେବେଳେ ସରିଗଲା, ତାର ହିସାବ ବି ନଥିଲା। ଦାରିଦ୍ରତା ଓ ଶିକ୍ଷା ଅଭାବରୁ ଅପରାଧର କଳା ଦୁନିଆରେ ପାଦ ଦେଇଥିଲେ। ହେଲେ, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଶାୟେଁ’ ଏମାନଙ୍କ ଜୀବନଶୈଳୀ ବଦଳାଇଦେଇଥିଲା। ପାଠରୁ ମୁହଁ ଫେରାଇଦେଇଥିବା ଏହି ପିଲାମାନଙ୍କ ହାତରେ କଲମ ଧରାଇଥିଲା। ଫଳରେ, ପାଠରୁ ସମ୍ପର୍କ ତୁଟାଇଦେଇଥିବା ଏହି ପିଲାମାନେ ଆଜି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଏତିକି ନୁହେଁ, ଆଗକୁ ଉଚ୍ଚଶିକ୍ଷା ପାଇଁ ବି ଲକ୍ଷ୍ୟ ରଖିଛନ୍ତି। ପିଲାମାନଙ୍କ ସଫଳତାରେ ବାପାମା’ ଯେତିକି ଖୁସି ହୋଇଛନ୍ତି, ତା’ଠାରୁ ଅଧିକ ଖୁସି ହୋଇଛନ୍ତି ‘ଆଶାଏଁ’ ର ପ୍ରତିଷ୍ଠାତା ରତ୍ନାକର ସାହୁ। ୧୦ ବର୍ଷ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ଶ୍ରୀ ସାହୁ।