ଡିଏଚ୍‌ଏଚ୍‌ରୁ ସିଏଚ୍‌ସି ସବୁଠି ଖାଲି, ସମୁଦାୟ ୪୭ ପଦ ଖାଲି ପଡ଼ିଛି

ଡିଏଚ୍‌ଏଚ୍‌ରେ ନାହାନ୍ତି ନିଶ୍ଚେତକ ବିଶେଷଜ୍ଞ

ଝାରସୁଗୁଡ଼ା: ଶିଳ୍ପନଗରୀ ଝାରସୁଗୁଡ଼ା ଜିଲ୍ଲା ଆଗାମୀ ଦିନରେ ମେଡିକାଲ ହବ୍‌ ହେବାକୁ ଯାଉଥିବା ବେଳେ ଏଠାରେ ଡାକ୍ତରର ଅଭାବ ସାଧାରଣ ସ୍ବାସ୍ଥ୍ୟସେବାରେ ଅନ୍ତରାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଠାରେ  ଆଉ କିଛି ମାସ ମଧ୍ୟରେ ଅତ୍ୟାଧୁନିକ କାର୍ଡିୟାକ କେୟାର ହସପିଟାଲ ଆରମ୍ଭ ହେବାକୁ ଯାଉଥିବା ବେଳେ ପାଥୋଲୋଜି ସେଣ୍ଟର ନିର୍ମାଣ ଯୋରସୋରରେ ଚାଲିଛି। ଏହା ବ୍ୟତୀତ କ୍ୟାନସର ହସପିଟାଲ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ସ୍ବାସ୍ଥ୍ୟସେବା ପାଇଁ ଏଭଳି ବ୍ୟବସ୍ଥା ସ୍ବାଗତ ଯୋଗ୍ୟ ହୋଇଥିବା ବେଳେ ଜିଲ୍ଲାରେ ଡାକ୍ତର ଅଭାବ ଆଗାମୀ ଦିନରେ ଏହି ବୃହତ ସ୍ବାସ୍ଥ୍ୟ ପ୍ରକଳ୍ପର ଭିବଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜିଲ୍ଲାର ବେଲପାହାଡ଼ ସହର ଓ ଲଖନପୁର ବ୍ଲକ ଅଞ୍ଚଳ‌ର ଲୋକ‌େ ସବୁବେଳେ ସ୍ବାସ୍ଥ୍ୟସେବା ପାଇଁ ଦାବି କରି ଆସୁଥିବା ବେଳେ ‌ଜିଲ୍ଲାରେ ଡାକ୍ତର ପଦବୀ ପୂରଣ ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ସାରା ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁଁ  ଏଭଳି ସମସ୍ୟା ଦେଖା ଦେଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଝ‌ାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନରୁ  ଡାକ୍ତର ଅଭାବ ସେହି ଅଞ୍ଚଳର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି। ଯେଉଁଠି ଯେମିତି କିଛି ଡାକ୍ତର ରହିଛନ୍ତି ସେମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ  ସ୍ବାସ୍ଥ୍ୟସେବା ପ୍ରତି ବେଶୀ ମନୋନିବେଶ କରୁଥିବା ଅଭିଯୋଗ ହେଉଛି।

ଜିଲ୍ଲାରେ ଏବେ ମଧ୍ୟ ୪୭ ଜଣ ଡାକ୍ତରଙ୍କ ଅଭାବ ରହିଛି। ଜିଲ୍ଲାରେ ମୋଟ ୧୪୩ ଗୋଟି ବିଭିନ୍ନ ଡାକ୍ତର ପଦବି ମଧ୍ୟରୁ  ୯୬ ଜଣ ଥିବା ବେଳେ ୪୭ ଗୋଟି ପଦବି ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ ମୋଟ ୮ ଗୋଟି ଡାକ୍ତରଙ୍କ ମଧ୍ୟରୁ  ୬ ଜଣ ଥିବା ବେଳେ ଡିଏମ୍ଓ ଓ ଏଡିଏମ୍ଓ  ୨ ଗୋଟି  ପଦବୀ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ ଗୋଟି ଡାକ୍ତରଙ୍କ ମଧ୍ୟରୁ ୨୪ ଜଣ ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଗୋଟି ନିଶ୍ଚେତକ ବିଶେଷଜ୍ଞ, ଚକ୍ଷୁରୋଗ, ନିଦାନ, ରଞ୍ଜନରଶ୍ମି, ମାନସିକରୋଗ ବିଶେଷଜ୍ଞ ଓ ଏସ୍‌ଏନ୍‌ସିୟୁରେ ବିଭାଗରେ  ୯ ପଦବି ଖାଲି ପଡ଼ିଛି। ଲଖନପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ଏହା ଅଧିନରେ ଥିବା ପିଏଚ୍‌ସି ଗୁଡ଼ିକରେ ଥିବା ମୋଟ ୧୭ ଗୋଟି ଡାକ୍ତର ପଦବି ମଧ୍ୟରୁ  ୮ ଜଣ ଡାକ୍ତର ଥିବା ବେଳେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ଭଳି ୭ ଗୋଟି ପଦବି ଖାଲି ରହିଛି। ଏହାର ଅଧିନରେ ଥିବା ଅଡ଼ାପଡ଼ା ପିଏଚ୍‌ସି ଓ ଗୋବିନ୍ଦପୁର ପିଏଚ୍‌ସି ମଧ୍ୟ ଡାକ୍ତର ନାହାନ୍ତି।

ବ୍ରଜରାଜନଗର ସିଏଚ୍‌ସି ଓ ଏହା ଅଧିନରେ ଥିବା ପିଏଚ୍‌ସିରେ ମୋଟ ୧୪ ଗୋଟି ଡାକ୍ତର ପଦବି ମଧ୍ୟରୁ  ୮ ଜଣ ଥିବା ବେଳେ ବ୍ରଜରାଜନଗର ସିଏଚ୍‌ସିର ଅଧିକ୍ଷକ, ଶିଶୁରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଭଳି ୬ ଗୋଟି ପଦବି ଖାଲି ପଡ଼ିଛି। ରାଜପୁର ସିଏଚ୍‌ସିର ୧୦ ପଦବୀ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ଶିଶୁରୋଗ, ଭେଷଜ, ଶଲ୍ୟ ବିଶେଷଜ୍ଞ ଭଳି ୬ ଗୋଟି ପଦବୀ ଖାଲି ରହିଛି। ମୁନ୍ଦ୍ରାଯୋର ସିଏଚ୍‌ସି ଓ ଏହା ଅଧିନରେ ଥିବା ପିଏଚ୍‌ସିର ମୋଟ ୧୪ ଡାକ୍ତର ପଦବୀ ମଧ୍ୟରୁ ୬ ଜଣ ଥିବା ବେଳେ ବିପିଏଚ୍‌ଓ, ଅଧିକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭଳି ୮ ଗୋଟି ଡାକ୍ତର ପଦବି ଖାଲି ପଡ଼ିଛି। କୋଲାବିରା ସିଏଚ୍‌ସିର ମୋଟ ୧୩ ଡାକ୍ତର ମଧ୍ୟରୁ ୭ ଜଣ ଥିବା ବେଳେ ବିପିଏଚ୍‌ଓ, ଅଧିକ୍ଷକ, ସ୍ତ୍ରୀ ଓ ପ୍ରସୂତୀ, ଭେଷଜ, ଶଲ୍ୟ ବିଶେଷଜ୍ଞ ପ୍ରଭୃତି ୬ ପଦବି ଖାଲି ପଡ଼ିଛି। କିର୍ମିରା ସିଏଚ୍‌ସିର ୧୩ ଡାକ୍ତରଙ୍କ ମଧ୍ୟରୁ  ୭ ଜଣ ଥିବା ବେଳେ ବିପିଏଚ୍‌ଓ, ଶିଶୁରୋଗ,  ଭେଷଜ ବିଶେଷଜ୍ଞ ପ୍ରଭୃତି ୬ ଡାକ୍ତର ପଦବୀ ଖାଲି ରହିଛି। ବେଲପାହାଡ଼ ହସପିଟାଲ‌, ପଞ୍ଚପଡ଼ା ଓ କୁକୁରିକାଳନି  ୟୁପିଏଚ୍‌ସିରେ ୩ ଜଣ ଡାକ୍ତରଙ୍କ ମଧ୍ୟରୁ କେବଳ କୁକୁରିକାନି ଠାରେ ଜଣେ ଡାକ୍ତର ଥିବା ବେଳେ ବାକି ଦୁଇ ସ୍ଥାନରେ ଡାକ୍ତର ନଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର