ସ୍ବାଧୀନତାତ୍ତୋର ଓଡ଼ିଶାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ।
ଡ. ହରେକୃଷ୍ଣ ମହତାବ: ସ୍ବାଧୀନତା ପୂର୍ବର ଦ୍ବିତୀୟ ନିର୍ବାଚନରେ ୧୯୪୬ରୁ ୫୨ ସେ ପୂର୍ବ ଭଦ୍ରକ ଆସନରୁ ଜାତୀୟ କଂଗ୍ରେସ ଦଳ ତରଫରୁ ପ୍ରତିନିଧିତ୍ବ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ କଟକ ଆସନରୁ କଂଗ୍ରେସ ଦଳରୁ ଲଢ଼ି ୫୪.୪୬% ଭୋଟ୍ ପାଇ ଲୋକସଭାକୁ ନିର୍ବଚେିତ ହୋଇଥିଲେ। ନେହେରୁଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୧୯୫୭ ଦ୍ବିତୀୟ ସାଧାରଣ ନିର୍ବାଚନରେ ରାଜ୍ୟ ରାଜନୀତିକୁ ଫେରି ସୋରୋ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜିତି ମୁଖ୍ୟମନ୍ତ୍ରୀ(୧୯୫୬ରୁ) ହୋଇଥିଲେ। ୧୯୬୨ରେ ଅନୁଗୁଳ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୧୯୬୭ରେ ଜନ କଂଗ୍ରେସ ଦଳ ତରଫରୁ ଏକସଙ୍ଗେ ବାସୁଦେବପୁର ଓ ଭୁବନେଶ୍ବର ଆସନରୁ ଲଢ଼ି ଉଭୟ ଆସନରେ ଦୁଇଜଣ ହେଭିୱେଟ୍ କଂଗ୍ରେସ ନେତା ଯଥାକ୍ରମେ ନୀଳମଣି ରାଉତରାୟ ଓ ସତ୍ୟପ୍ରିୟ ମହାନ୍ତିଙ୍କୁ ବହୁ ଭୋଟ୍ ବ୍ୟବଧାନରେ ହରାଇ ଜିତିଥିଲେ। ୧୯୭୧ରେ ମଧ୍ୟ ସେ ଏକସଙ୍ଗେ ଭଦ୍ରକ ଓ ଭୁବନେଶ୍ବର ପରି ଦୁଇଟି ଆସନରୁ ଶାସକ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଲଢ଼ି ଜିତିଥିଲେ। ସେଥର ଭୁବନେଶ୍ବର ଆସନରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇଥିଲେ। ୧୯୭୪ରେ ଶେଷଥର ପାଇଁ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ଜିତି ମହତାବ ୧୯୭୭ ଯାଏ ଭୁବନେଶ୍ବର ବିଧାୟକ ରହିଥିଲେ।
ନବକୃଷ୍ଣ ଚୌଧୁରୀ: ସ୍ବାଧୀନତା ପୂର୍ବରୁ ସେ ୧୯୩୭ରେ ପୂର୍ବ କଟକ ସଦର ତଥା ୧୯୪୬ରେ ଉତ୍ତର କେନ୍ଦ୍ରାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜିତିଥିଲେ। ତେବେ ୧୯୪୯ରେ ଇସ୍ତଫା ଦେଇ ସେହିବର୍ଷ ପୂର୍ବ ଭଦ୍ରକ ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଲଢ଼ି ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୫୨ରେ ଶେଷଥର ପାଇଁ ବଡ଼ଚଣା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଏକତରଫା ବିଜୟ ହାସଲ କରିଥିଲେ। ୧୯୫୬ରେ ରାଜନୀତିରୁ ସନ୍ୟାସ ନେଇଗଲେ। ନହେଲେ ତାଙ୍କ ପରି ମୂଲ୍ୟବୋଧଭିତ୍ତିକ ରାଜନୀତି କରୁଥିବା ମଣିଷ ହୁଏତ ପରବର୍ତ୍ତୀ ସମୟର ଅର୍ଥସର୍ବସ୍ବ ରାଜନୀତି ସହ ଖାପ ଖୁଆଇ ନ ପାରି ପରାଜୟର ସ୍ବାଦ ମଧ୍ୟ ଚାଖିବାକୁ ବାଧ୍ୟ ହୋଇଥା’ନ୍ତେ ବୋଲି କୁହାଯାଏ। ୧୯୭୭ ବିଧାନସଭା ନିର୍ବାଚନରେ ସେ ନିଜେ ନ ଲଢ଼ିଥିଲେ ବି ତାଙ୍କ ଧର୍ମପତ୍ନୀ ସର୍ବୋଦୟ ନେତ୍ରୀ ମାଳତୀ ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ବିପକ୍ଷରେ ଲଢ଼ୁଥିବାରୁ ତାହା ନବକୃଷ୍ଣଙ୍କ ପାଇଁ ମଧ୍ୟ ମର୍ଯ୍ୟାଦାର ପ୍ରଶ୍ନ ଥିଲା। ତେବେ ଜନତା ହାୱାରେ ମାଳତୀ ବହୁ ଭୋଟରେ ପରାଜିତ ହୋଇଥିଲେ। ଜନତା ପାର୍ଟି ପ୍ରାର୍ଥୀ ଶ୍ରୀମତୀ ଶତପଥୀଙ୍କୁ ୩୧, ୮୨୯ (୮୦.୦୭%) ଭୋଟ୍ ମିଳିଥିବା ବେଳେ ସ୍ବାଧୀନ ଭାବେ ଛିଡ଼ାହୋଇ ମାଳତୀ ଦେବୀଙ୍କୁ ମାତ୍ର ୪,୦୬୩ ଖଣ୍ଡ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
(କ୍ରମଶଃ)