ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ୧୯୩୭ ମସିହା ଜାନୁଆରି ୧୮ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନ ବେଳେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ସ୍ବତନ୍ତ୍ର ଓଡ଼ିଶା କହିଲେ, ଗଡ଼ଜାତ ରାଜ୍ୟକୁ ବାଦ୍ଦେଇ କଟକ, ପୁରୀ, ବାଲେଶ୍ବର, ଗଞ୍ଜାମ, କୋରାପୁଟ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା। ସାମାନ୍ୟ ଶିକ୍ଷାଗତ ଯୋଗ୍ୟତା ଥିବା କିମ୍ବା ଚୌକିଦାରୀ ଟିକସ ଦେଉଥିବା ରାଜା, ଜମିଦାର ବା ବ୍ୟବସାୟୀ ଭୋଟ୍ ଦେବା ବ୍ୟବସ୍ଥା ଥିଲା। ସଭ୍ୟ ସଂଖ୍ୟା ୬୦ ଜଣ ଓ ସେ ମଧ୍ୟରୁ ୪ ଜଣ ମନୋନୀତ। ଭୋଟ୍ରେ କଂଗ୍ରେସ ସହିତ ରାଜା ମହାରାଜାଙ୍କ ଦଳ- କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ‘ୟୁନାଇଟେଡ୍ ପାର୍ଟି’, ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ‘ନ୍ୟାସନାଲ ପାର୍ଟି’ ଓ ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ‘ସ୍ବାଧୀନ ପାର୍ଟି’ ନିର୍ବାଚନ ଲଢ଼ୁଥିଲା। ନିର୍ବାଚନ ବେଳେ କେନ୍ଦ୍ର ବ୍ୟବସ୍ଥାପକ ସଭା ସଭ୍ୟ ଥିଲେ ନୀଳକଣ୍ଠ। କଂଗ୍ରେସ ନେତା ସନ୍ଦିହାନ ଥିଲେ- ‘କମ୍ ଅର୍ଥବଳରେ ରାଜା ମହାରାଜାମାନଙ୍କ ଦଳଠାରୁ ଜିଣିପାରିବେ ନାହିଁ। ରାଜା ଓ ଧନୀମାନଙ୍କ ଦ୍ବାରା ଭୟଭାବ ସୃଷ୍ଟି ପ୍ରଧାନ ପ୍ରତିବନ୍ଧକ ଥିଲା। ନୀଳକଣ୍ଠ ଦାସ ଓଡ଼ିଶାରେ ନିର୍ବାଚନ ଖର୍ଚ୍ଚ ପାଇଁ ୬ ହଜାର ଟଙ୍କା କେନ୍ଦ୍ର ନେତୃତ୍ବକୁ ମାଗିଥିଲେ, ମାତ୍ର ଏହା ବହୁତ ବେଶି ହେଇଯିବ ବୋଲି କୁହାଗଲା। ଅବଶ୍ୟ ପରେ ମୋଟ ୮ ହଜାର ମିଳିଲା। ସାପ୍ତାହିକ ପ୍ରଚାରପତ୍ର ପାଇଁ ୩ ହଜାର, ନିର୍ବାଚନ ଖର୍ଚ୍ଚ ପାଇଁ ୩ ହଜାର ଓ ସଭା ପାଇଁ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ବୁଲାଇବା ଖର୍ଚ୍ଚ ୨ ହଜାର ମିଳିଲା।
ନୀଳକଣ୍ଠଙ୍କ ସଭାପତିତ୍ବରେ କାମ କଲେ ମହତାବ, ନିତ୍ୟାନନ୍ଦ, ନବକୃଷ୍ଣ
ନିର୍ବାଚନ ପ୍ରଚାରରେ ନୀଳକଣ୍ଠ ଖାଇବା ପିଇବା ଛାଡ଼ି ଜୋର୍ସୋର୍ରେ ଲାଗିଥାନ୍ତି। ବାଲେଶ୍ବର ହରେକୃଷ୍ଣ ମହତାବଙ୍କ ଜିମାରେ ରହିଲା। କଟକରେ ଭାଗୀରଥି ମହାପାତ୍ର, ନିତ୍ୟାନନ୍ଦ କାନୁନ୍ଗୋ ଦାୟିତ୍ବ ନେଲେ। ତେବେ କଟକ ଓ ପୁରୀ ଜିଲ୍ଲାର ମୁଖ୍ୟ ଦାୟିତ୍ବ ନ୍ୟସ୍ତ ଥିଲା ନବକୃଷ୍ଣ ଚୌଧୁରୀଙ୍କ ଉପରେ। ଗଞ୍ଜାମ, କୋରାପୁଟ, ଅନୁଗଳ ଓ ସମ୍ବଲପୁର ଦାୟିତ୍ବ ବୁଝୁଥାନ୍ତି ନୀଳକଣ୍ଠ ଦାସ। କଂଗ୍ରେସ ମୁଖ୍ୟ ଭାବରେ ପ୍ରାର୍ଥୀ ଜିତାଇବା ପାଇଁ ସବୁଆଡ଼େ ବୁଲୁଥାନ୍ତି। ସମ୍ବଲପୁର, ଅନୁଗୁଳ, କୋରାପୁଟ ଆଦି ଇଂରେଜ ସରକାରଙ୍କ ହସ୍ତମୁଦି ମାହାଲମାନଙ୍କରେ ପଶି ଭୋଟ ସଂଗ୍ରହ କରିବା କେତେକଙ୍କ ସାହସ ନ ଥିଲା। ‘ହସ୍ତମୁଦି ମାହାଲ’ କହିଲେ ଇଂଲଣ୍ଡ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ଆଇନ, ଯେଉଁଠି ଅନୁଗୁଳ, କୋରାପୁଟର ଜୟପୁର ଏଜେନ୍ସି, ଗଞ୍ଜାମର ଏକ ବିରାଟ ଅଞ୍ଚଳ ଓ ସମ୍ବଲପୁର ବୋଡ଼ାସମ୍ବର, ଖରିଆର, ରାମପୁର ଓ କୋଲାବିରା ଆଦି ଅଞ୍ଚଳ ପାଇଁ ସ୍ବତନ୍ତ୍ର ଆଇନ। ଆଇନରେ ଛୋଟଲାଟ ସର୍ବେସର୍ବା, ବିଧାନସଭାରେ ଗୃହୀତ ଆଇନ୍ ପ୍ରଯୁଜ୍ୟ ହୁଏ ନାହିଁ। ଛୋଟଲାଟଙ୍କ ସ୍ବତନ୍ତ୍ର ଘୋଷଣାନାମା ବଳରେ ହିଁ କାର୍ଯ୍ୟକାରୀ ହୁଏ। ହାଇକୋର୍ଟ ବା ସୁପ୍ରିମକୋର୍ଟ ସହିତ ଅଞ୍ଚଳର କୌଣସି ସମ୍ପର୍କ ରହେନାହିଁ। ୧୯୩୫ରେ ଏହି ଆଇନ୍ ଲାଗୁ ହେବା ଯୋଗୁ ଅପମାନ ମନେ କରି ୧୯୩୬ ଏପ୍ରିଲ ୧ ତାରିଖ ଦିନ ସ୍ବତନ୍ତ୍ର ପ୍ରଦେଶ ଗଠନ ଦିନ ସମ୍ବଲପୁରବାସୀ ପ୍ରତିବାଦରେ ଆଲୋକସଜ୍ଜାରୁ ବିରତ ରହିଥିଲେ। (କ୍ରମଶଃ) -ରାଜେଶ ଅଗ୍ରୱାଲ