କଟକ: ଦୁର୍ବଳ ଭିତ୍ତିଭୂମିରେ ଚାଲିଛି ରାଜ୍ୟ ପୁଲିସ ବ୍ୟବସ୍ଥା। ଥାନା ଓ ଜିଲ୍ଲାସ୍ତରରେ ଆବଶ୍ୟକତା ଅନୁଯାୟୀ ପୁଲିସ କର୍ମଚାରୀ ଓ ଅଧିକାରୀ ତ ନାହାନ୍ତି, ପୁଲିସ ମୁଖ୍ୟାଳୟରେ ବି ଅଧିକାରୀ ଓ କର୍ମଚାରୀ ଅଭାବ ଦିନକୁ ଦିନ ସମସ୍ୟାକୁ ଜଟିଳ କରୁଛି। କଟକର ବକ୍ସିବଜାରରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପୁରୁଣା କୋଠା ଓ ପୁରୁଣା ଭିତ୍ତିଭୂମିରେ କାର୍ଯ୍ୟ କରୁଛି। ଆଇପିଏସ୍ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପୁରୁଣା ଅଫିସ ସହିତ ପୁରୁଣା କ୍ବାର୍ଟରରେ ରହିବାକୁ ବାଧ୍ୟ ହେଉଛନ୍ତି। ପୁଲିସ ମୁଖ୍ୟାଳୟରେ ଭଲ ସମ୍ମିଳନୀ କକ୍ଷ ନାହିଁ। ପୁଲିସ ପ୍ରଶିକ୍ଷଣ ଓ ବୈଠକ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ନାହିଁ। ଉଭୟ ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବ ରହିଛି। ଏକ ସମୟରେ ଅଧିକ ଲୋକ ଡିଜିଙ୍କୁ ସାକ୍ଷାତ ପାଇଁ ଗଲେ ବି ବସିବାର ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଏବେ ଭୁବନେଶ୍ବରସ୍ଥିତ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପୁଲିସ ବିଭାଗରେ ଏବେ ବିଭିନ୍ନ ପାହ୍ୟାରେ ୧୪ ହଜାରରୁ ଅଧିକ ପଦବି ଖାଲି ପଡିଛି। ଆବଶ୍ୟକ କର୍ମଚାରୀ ନଥିବାରୁ ଓଡ଼ିଶା ପୁଲିସ ଉପରେ ଏବେ ଚାପ ବଢିବାରେ ଲାଗିଛି।
ତଥ୍ୟ ଅନୁଯାୟୀ ରାଜ୍ୟ ପୁଲିସରେ ଏବେ ୩ ଡିଜି ପଦବି ଥିବା ବେଳେ ୩ ଜଣ ଡିଜି ପାହ୍ୟାର ଅଧିକାରୀ ଅଛନ୍ତି। ୧୨ ଅତିରିକ୍ତ ଡିଜି ପଦବି ଥିବା ବେଳେ ସେଥିରେ ବି କୌଣସି ପଦବି ଫାଙ୍କା ନାହିଁ। କିନ୍ତୁ ୧୮ ଆଇଜି ପଦବି ଥିବା ବେଳେ ଏହି ପାହ୍ୟାରେ ୧୨ଜଣ ଅଧିକାରୀ ରହିଛନ୍ତି। ୧୫ ଡିଆଇଜି ପଦବି ଥିବା ବେଳେ ଏବେ ୯ ଜଣ ଅଧିକାରୀ ଅଛନ୍ତି। ଏସ୍ପି ପଦବି ସଂଖ୍ୟା ୫୦ ଥିବା ବେଳେ ୧୫ ଏସ୍ପି ପଦବି ଖାଲି ପଡିଛି। ୧୨୧ ଅତିରିକ୍ତ ଏସ୍ପି ପଦରୁ ୪୧ଟି ପଦବି ଖାଲି ପଡିଛି। ୪୬୪ ଡିଏସ୍ପିରୁ ପଦବିରୁ ୫୩ ଡିଏସ୍ପି ପଦବି ଖାଲି ପଡିଛି। ୧୧୧୧ ଇନ୍ସପେକ୍ଟର ପଦବିରୁ ୧୯୦ଟି ପଦବି ଖାଲି ପଡିଛି। ୩୭୩୮ ସବ୍ ଇନ୍ସପେକ୍ଟର ପଦବିରୁ ୧୫୦୨ ପଦବି ଖାଲି ପଡିଛି। ୨୫୮ ଏଏସ୍ଆଇ, ୭୭୪ ହାବିଲଦାର, ୬୦୧୯ କନଷ୍ଟେବଳ, ୮୨୨ ଆଇଆର କନେଷ୍ଟବଳ, ୨୦୧୬ ସିପାହୀ ପଦବି ଖାଲି ପଡିଛି। ରାଜ୍ୟରେ ବିଭିନ୍ନ ପାହ୍ୟାର ମୋଟ ୬୯, ୬୯୩ ପୁଲିସ ପଦବିରୁ ଏବେ ୧୪ ହଜାର ୩୭ଟି ପଦବି ଖାଲି ପଡିଛି। ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେଉ ନଥିବାରୁ ପ୍ରତିବର୍ଷ ଖାଲି ପଦବି ସଂଖ୍ୟା ବଢି ଚାଲିଛି। ଡିଜି, ଏଡିଜି ପାହ୍ୟା ଖାଲି ନଥିବା ବେଳେ ଆଇଜିରୁ ସିପାହୀ, କନଷ୍ଟେବଳ ପର୍ଯ୍ୟନ୍ତ ସବୁ ପାହ୍ୟାରେ ପଦବି ଖାଲି ପଡିବା ଘଟଣା କର୍ମଚାରୀ ଓ ଅଧିକାରୀଙ୍କ ଉପରେ ଚାପ ବଢାଇବା ସହିତ ପୁଲିସର କାର୍ଯ୍ୟଦକ୍ଷତା ବି ହ୍ରାସ କରୁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Odisha-Police-Logo_Odisha-Police-Museum-750x390-1.jpg)