କେନ୍ଦୁଗୁଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ; ହିରୋଇନ୍‌ ହେବା ନିଶାରେ ଫେରାର ହୋଇଥିଲେ ଅର୍ଚ୍ଚନା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କେନ୍ଦୁଗୁଡ଼ା ଗ୍ରାମରେ ଏକ କମ୍ପାନି ପକ୍ଷରୁ ୨୦୦୩ ମସିହାରୁ ଅର୍ଚ୍ଚନା ନାଗଙ୍କ ପରିବାର ବିସ୍ଥାପିତ ହୋଇଥିଲେ। ପ୍ରାୟ ୨୫ରୁ ଅଧିକ ଏକର ଜମି ପରିବାରଲୋକେ ହରାଇଥିଲେ। ଏହି ଜମିହରା ସଂଘର ସଭାପତି ଥାଇ ସୁରେନ୍ଦ୍ର ନାଗ କମ୍ପାନି ବିରୋଧରେ ଆନ୍ଦୋଳନ କରିଥିଲେ। ବର୍ତ୍ତମାନ ଅର୍ଚ୍ଚନା ଘଟଣା ପରେ କେନ୍ଦୁଗୁଡ଼ା ଗ୍ରାମ ଓ ବିସ୍ଥାପିତଙ୍କ ସମସ୍ୟା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେନ୍ଦୁଗୁଡ଼ା ଜନ୍ମମାଟି ଓ ଲାଞ୍ଜିଗଡ଼ ନୋଡାଲ ସ୍କୁଲ କ୍ବାର୍ଟର ମୂକସାକ୍ଷୀ ପାଲଟିଛି। କେସିଙ୍ଗାରେ ଦଶମ ଶ୍ରେଣୀ ପଢ଼ୁଥିବା ବେଳେ ହିରୋଇନ ହେବା ନିଶାରେ ଯାତ୍ରାପାର୍ଟିର ଜଣେ ଯୁବକ ସହ ସେ ଫେରାର ହୋଇଥିଲେ। କେସିଙ୍ଗା ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା

୨୦୦୩ ମସିହାରେ ବିସ୍ଥାପିତ ହୋଇଥିଲା ଅର୍ଚ୍ଚନାଙ୍କ ପରିବାର
ଜମିହରା ସଂଘର ସଭାପତି ଥିଲେ ଅର୍ଚ୍ଚନାଙ୍କ ବାପା

ପ୍ରକାଶ ଯେ, ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ରଙ୍କ ୬ ଭାଇ ଥିଲେ। ସେହି ପରିବାରର ପ୍ରାୟ ୨୫ ଏକରରୁ ଅଧିକ ଜମି କମ୍ପାନି ଦ୍ବାରା ଚାଲିଯାଇଥିଲା। ଜମି ଗଲା ପରେ ସେମାନଙ୍କ ପରିବାରକୁ ଚାକିରି ଦେବାପାଇଁ ପ୍ରଲୋଭନ ଦେଖାଇ ଆନ୍ଦୋଳନକୁ ଚପାଇବାକୁ କମ୍ପାନି ପକ୍ଷରୁ ଉଦ୍ୟମ ହୋଇଥିଲା। ୨୦୦୪ ମସିହା ପରଠାରୁ ସୁରେନ୍ଦ୍ର ଜମିହରା ସଂଘର ନେତୃତ୍ବ ନେଇଥିଲେ। ୨୦୦୮ ପର୍ଯ୍ୟନ୍ତ କମ୍ପାନି ବିରୋଧରେ ଆନ୍ଦୋଳନ କରି ଟାର୍ଗେଟ୍‌ରେ ଥିଲେ। ତାଙ୍କ ପରିବାରକୁ ବିଭିନ୍ନ ପ୍ରକାରରେ ହଇରାଣ କରିବା ପାଇଁ କମ୍ପାନି ପକ୍ଷରୁ ଷଡ୍‌ଯନ୍ତ୍ର ହୋଇଥିଲା। ଏହି ଷଡଯନ୍ତ୍ରର ଶିକାର ଯୋଗୁଁ ୨୦୦୮ରେ ଅର୍ଚ୍ଚନାଙ୍କ ପରିବାର ଲାଞ୍ଜିଗଡ଼ ଥାନାରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। କମ୍ପାନି ପକ୍ଷରୁ ଏହି ମାମଲାକୁ ରଫାଦଫା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇଥିଲା।

ଏପରିକି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ କୋର୍ଟରେ ନିର୍ଦୋଷରେ ଖଲାସ ହୋଇଥିଲେ। ଅର୍ଚ୍ଚନା କେନ୍ଦୁଗୁଡା ଗ୍ରାମରେ ୧୯୯୮ ମସିହା ‌ନଭେମ୍ବର ୭ତାରିଖରେ ଜନ୍ମଗ୍ରହଣ କରିଥିବା ସ୍କୁଲ‌ ରେକର୍ଡରୁ ସୂଚନା ମିଳିଛି। ସେ ୨୦୦୧ ମସିହା ନଭେମ୍ବର ୯ ତାରିଖରେ ଲାଞ୍ଜିଗଡ଼ ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ। ସେହି ସ୍କୁଲରେ ଅର୍ଚ୍ଚନାଙ୍କ ମା’ ଶାନ୍ତି ମହାନନ୍ଦ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

୨୦୦୮ ମସିହାରେ ଷଷ୍ଠ ଶ୍ରେଣୀରେ ପାସ କଲା ପରେ ଅର୍ଚ୍ଚନା ଲାଞ୍ଜିଗଡ଼ ସ୍କୁଲ ଛାଡ଼ିଥିଲେ। ୨୦୦୮ ମସିହାରେ କେସିଙ୍ଗା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ୨୦୦୯ ମସିହାରେ କେସିଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ। ୨୦୧୨ ମସିହାରେ ମାଟ୍ରିକ୍‌ ପ୍ରି-ଟେଷ୍ଟ ପରୀକ୍ଷା ପରେ କେସିଙ୍ଗା ସହରରେ ଏକ ଯାତ୍ରା ଅପେରା ପାର୍ଟି ପଡ଼ିଥିଲା। ହିରୋଇନ ହେବା ନିଶାରେ ଅର୍ଚ୍ଚନା ଏହି ଯାତ୍ରା ପାର୍ଟିର ଜଣେ ଯୁବ କଳାକାରଙ୍କ ସହିତ ଫେରାର ହୋଇଥିଲେ। ଏନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରେ କେସିଙ୍ଗା ପୁଲିସ ତାକୁ ଭୁବନେଶ୍ବରରୁ ଠାବ କରି କେସିଙ୍ଗା ଆଣିଥିଲା। ଏହାପରେ ଅର୍ଚ୍ଚନା ମାଟ୍ରିକ ପରୀକ୍ଷା ଦେଇଥିଲା ଓ ପୁଣି ସେହି ଯୁବକ ସହିତ ମୁମ୍ବାଇ ଚାଲି ଯାଇଥିଲା। ହିରୋଇନ ହେବା ନିଶା ତାକୁ ମାଟ୍ରିକ୍‌ ପଢ଼ିବା ବେଳୁ ଘାରିଥିଲା। ଅର୍ଚ୍ଚନାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହେବା ପରେ ପରିବାରଲୋକ ଅପମାନିତ ହୋଇ କେସିଙ୍ଗାକୁ ଚାଲି ଆସିଥିଲେ।

ଅର୍ଚ୍ଚନା ଗିରଫ ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ବିସ୍ଥାପିତଙ୍କ ଦୁଃଖର କାହାଣୀ ଓ କମ୍ପାନି ପ୍ରତି‌ଶୋଧର ସାମ୍ନା କରିଥିବା ଜମି ହରାମାନଙ୍କ ଚିତ୍ର ପୁଣିଥରେ ସାମ୍ନାକୁ ଆସିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର