ପୁରୀ: ଭଲ ଗୁଆଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ। ଦୀପ ଦୋକାନୀମାନେ ବି ଭଲ ଘିଅ ବ୍ୟବହାର କରିବେ। ୨୦୧୭ ମସିହାରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ବର୍ଷ ଗଡ଼ିବା ସହ ଏହି ନିର୍ଦ୍ଦେଶନାମା ବି ଅକାମୀ ହୋଇଗଲାଣି। ଶ୍ରୀମନ୍ଦିର ଭିତରେ ଅବାଧ ପଶୁଛି ଅଣସ୍ଥିରୀକୃତ ଓ ବେନାମୀ ଘିଅ। ଦୀପଠୁ ଭୋଗ ପର୍ଯ୍ୟନ୍ତ ସବୁଠି ବ୍ୟବହାର ହେଉଛି ଏହି ନିମ୍ନମାନର ଘିଅ। ଅଧିକାଂଶ ଦୀପ ଦୋକାନ ଓ ସୁଆରଙ୍କ ଗୋଦାମରେ ଭରି ରହିଛି ବେନାମୀ ଘିଅ। ଶ୍ରୀମନ୍ଦିରରେ ଦୋନମ୍ବରୀ ଘିଅର ବହୁଳ ବ୍ୟବହାର ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଭକ୍ତ ମହଲକୁ ଆନ୍ଦୋଳିତ କରିଛି। ପ୍ରଶାସନ ଜାଣିଶୁଣି ବେନାମୀ ଘିଅ ପ୍ରଚଳନକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି।

Advertisment

ମହାପ୍ରସାଦରେ ବହୁଳ ପରିମାଣରେ ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ଉଠିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ସେବାୟତ ନିଯୋଗର ଅନୁରୋଧକ୍ରମେ ଓମ୍‌ଫେଡ୍‌ ପ୍ରସ୍ତୁତ ଦେଶୀ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। କେବଳ ସେତିକି ନୁହେଁ, ନିମ୍ନମାନର ଘିଅ ଦ୍ବାରା ଶ୍ରୀମନ୍ଦିରର ପଥର କଳା ହେବା ସହ ନଷ୍ଟ ହେଉଥିବାରୁ ଓମଫେଡ୍‌ ଘିଅ ଏଥିରୁ ରକ୍ଷା କରିବ ବୋଲି କୁହାଗଲା। ୨୦୧୭ ମସିହା ସେପ୍ଟେମ୍ବରରେ ଏ ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ସେବାୟତଙ୍କୁ ନେଇ ଏକ ଯାଞ୍ଚ କମିଟି ମଧ୍ୟ ଗଠିତ ହେଲା। କେବଳ ମହାପ୍ରସାଦ ନୁହେଁ, ଦୀପ ଦୋକାନୀମାନେ ମଧ୍ୟ ଓମ୍‌ଫେଡ୍‌ ଘିଅ ବ୍ୟବହାର କରିବାକୁ ନିର୍ଦ୍ଦେଶନାମା ଜାରି କକରାଯାଇଥିଲା। ସେହି ଅନୁସାରେ ସୁଆର ମହାସୁଆର ନିଯୋଗ ସହ ଅନ୍ୟ ସବୁ ନିଯୋଗକୁ ବି ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା।

ଶ୍ରୀମନ୍ଦିର ଭିତରେ ଓମ୍‌ଫେଡ୍‌ ଛଡ଼ା ଅନ୍ୟ କୌଣସି କମ୍ପାନିର ଘିଅ ବ୍ୟବହାର ହେବନାହିଁ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଦୀପ ହେଉ ବା ଭୋଗ ପ୍ରସ୍ତୁତି, ସବୁ ଓମ୍‌ଫେଡ୍‌ ଘିଅରେ ପ୍ରସ୍ତୁତି କରାଯିବ। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସବୁଠି ବେନାମୀ ଘିଅ ବ୍ୟବହାର ହେଉଛି। ଶ୍ରୀମନ୍ଦିର ଭିତରେ ସବୁ ମନ୍ଦିର ପାଖରେ ଦୀପ ଦୋକାନ ରହିଛି। ଅନେକ ଦୀପ ଦୋକାନୀ ସାମ୍ନାରେ ଓମ୍‌ଫେଡ୍‌ ଘିଅ ଡବା ରଖୁଛନ୍ତି ସତ, କିନ୍ତୁ ଦୀପ ମାଗିଲେ, ସେହି ଡବା ବଦଳରେ ନକଲି ଘିଅର ଦୀପ ଦେଉଛନ୍ତି। ଦୀପ ଦୋକାନ ବ୍ୟତୀତ ଭୋଗରେ ବି ବ୍ୟବହାର ହେଉଛି ବେନାମୀ ଘିଅ। ପ୍ରତିଦିନ ସକାଳେ ସୁଆର ମହାସୁଆର ନିଯୋଗରୁ ଭୋଗ ପ୍ରସ୍ତୁତ ପାଇଁ ଚାଉଳ, ଡାଲି, ଘିଅ ଆସୁଛି। ସେଠାରେ ଓମ୍‌ଫେଡ୍‌ ସହିତ ରହିଛି ଅନ୍ୟ ଘିଅ। ଖୋଲାଖୋଲି ବାହାର ଘିଅ ବ୍ୟବହାର ହେଉଛି। ଆରମ୍ଭରୁ ଏ ନେଇ ଯାଞ୍ଚ ହେଲା। ହେଲେ ଏବେ ଶ୍ରୀମନ୍ଦିର ପ୍ରଶାସନର ଆଉ ଏଥିପ୍ରତି ନଜର ନାହିଁ।

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ କହିଛନ୍ତି, ମହାପ୍ରସାଦ ଓମ୍‌ଫେଡ୍‌ରେ ପ୍ରସ୍ତୁତ ହେବା ନିଷ୍ପତ୍ତି ସେହିଭଳି ଝୁଲିରହିଛି। ଯଦି ବେନାମୀ ଘିଅ ବଦଳରେ ଓମ୍‌ଫେଡ୍‌ ଘିଅ ବ୍ୟବହାର ହୁଅନ୍ତା, ବହୁତ ଭଲ ହୁଅନ୍ତା। ଅପରପକ୍ଷେ ଶ୍ରୀମନ୍ଦିର ପାଇଁ ଆବଶ୍ୟକ ଓମ୍‌ଫେଡ୍‌ ଘିଅ ବି ସରକାରଙ୍କ ପକ୍ଷରୁ ସୁଲଭ ଦରରେ ମିଳିଲେ, ଉଭୟ ସୁପକାର ଓ ଭକ୍ତମାନେ ଉପକୃତ ହୋଇପାରନ୍ତେ। ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ଦୀପ ବି ଓମ୍‌ଫେଡ୍‌ ଘିଅରେ ଦେବାକୁ କୁହାଯାଇଥିଲା। ଯାଞ୍ଚ ପାଇଁ ସ୍କ୍ବାଡ୍‌ ଗଠନ ହେଲା। କିନ୍ତୁ ୧୦୧ଜଣିଆ ଏହି ସ୍କ୍ବାଡ୍‌ଙ୍କ ଅନ୍ୟତ୍ର ବଦଳି ପରେ ଆଉ ସେଭଳି ଯାଞ୍ଚ ହୋଇପାରୁନି।