ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରନି ଗାଁର ମମିତା ମେହେର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନର ଅଭିଜ୍ଞତା ଯୋଗୁଁ ସ୍କୁଲରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ମମିତା। ସ୍କୁଲର ବିଭିନ୍ନ ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଆଗେଇ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ଏଥିଯୋଗୁଁ ସେ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ଗୋବିନ୍ଦ ସାହୁ ଜଣେ ପ୍ରଭାବଶାଳୀ ଥିବା ଯୋଗୁଁ ଭୋଟ୍ ବ୍ୟାଙ୍କ ଆଶାରେ ରାଜନେତାମାନେ ଏହି ସ୍କୁଲ୍ ପ୍ରତି ବିଭିନ୍ନ ପାଣ୍ଠିରୁ ଅନୁଦାନ ଅଜାଡ଼ିବାରେ ଲାଗିଥିଲେ। କଂଗ୍ରେସଠାରୁ ଆରମ୍ଭ କରି ବିଜେଡି ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ସ୍କୁଲ ପ୍ରତି ଆକର୍ଷଣ ସୃଷ୍ଟି କରି ପାରିଥିଲେ। ଏପରିକି ମନ୍ତ୍ରୀମାନେ ମଧ୍ୟ ହେଲିକପ୍ଟର ଯୋଗେ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଘଟଣାକ୍ରମେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗୋବିନ୍ଦ କଲେଜ ସହପାଠୀ ହୋଇଥିବା ଯୋଗୁଁ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା। ପରେ ଦିବ୍ୟଶଙ୍କରଙ୍କ ମନ୍ତ୍ରିମଣ୍ଡଳରେ ଗୃହମନ୍ତ୍ରୀ ଭଳି ଓଜନଦାର ବିଭାଗ ମିଳିବା ପରେ ଏହି ସ୍କୁଲର ରୂପରେଖ ବଦଳିବାରେ ଲାଗିଥିଲା। ଗୋଲାମୁଣ୍ଡା ଅଞ୍ଚଳର ଏକ କ୍ଷମତାକେନ୍ଦ୍ର ଭାବେ ଗୋବିନ୍ଦ ସାହୁ ଅଞ୍ଚଳରେ ନିଜର ପତିଆରା ବୃଦ୍ଧି କରି ପାରିଥିଲେ। ବିଭିନ୍ନ ସମୟରେ ମହାଲିଙ୍ଗ କଲେଜକୁ ଆସି ଦିବ୍ୟଶଙ୍କର ମିଶ୍ର ବହୁ ସମୟ ଅତିବାହିତ କରୁଥିବା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଘଟଣାକ୍ରମରେ ମମିତା ମେହେର କୌଣସି ତିକ୍ତ ଅନୁଭୂତି ଯୋଗୁଁ ସ୍କୁଲକୁ ଆସିବାକୁ ଚାହୁ ନଥିଲେ। କିନ୍ତୁ ଗୋବିନ୍ଦ ସାହୁ ଝରନି ଗାଁକୁ ଯାଇ ମମିତା ମେହେରଙ୍କୁ ବୁଝାସୁଝା କରି ୨୦୨୧ ମସିହା ସେପ୍ଟେମ୍ବର ୮ ତାରିଖରେ ସ୍କୁଲକୁ ଆସିବା ପାଇଁ ରାଜି କରାଇଥିଲେ। ମମିତା ବସ୍ ଯୋଗେ ଚାନ୍ଦୋତରା ଛକରେ ଆସି ପହଞ୍ଚିଥିଲେ। ପୂର୍ବରୁ ଗୋବିନ୍ଦ ସାହୁ ସେଠାରେ କାର୍ ଯୋଗୁଁ ତାଙ୍କୁ ଅପେକ୍ଷା କରିଥିଲେ। ସେ ବସ୍ରୁ ଓହ୍ଲାଇବା ପରେ ତାଙ୍କୁ ନେଇ ଭବାନୀପାଟଣା ଆସିଥିଲେ। ଭବାନୀପାଟଣା ଆସିବା ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ପରେ ଉଭୟ ମହାଲିଙ୍ଗ ସ୍କୁଲକୁ ଫେରି ଯାଇଥିଲେ। ସେ ଦିନ ସନ୍ଧ୍ୟାରେ ମମିତା ପରିବାର ଲୋକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଦିନ ଝିଅ ସହ ଯୋଗାଯୋଗ ହୋଇ ପାରିନଥିବା ଯୋଗୁଁ ଖୋଜିବା ପାଇଁ ସ୍କୁଲକୁ ଆସିଥିଲେ। ପରେ ଅକ୍ଟୋବର ୯ ତାରିଖରେ ଏହି ଘଟଣାରେ କେଗାଁ ଥାନାରେ ମମିତା ମେହେର ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ ପୁଲିସ୍ ଅଧିକାରୀ ଏତଲା ରଖିବାକୁ ମନା କରି ଦେଇଥିଲେ। ଏବଂ ସିନ୍ଧେକେଲା ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଅକ୍ଟୋବର ୧୩ ତାରିଖରେ ପରିବାର ଲୋକ ସିନ୍ଧେକେଲା ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅକ୍ଟୋବର ୧୪ ତାରିଖ ସିନ୍ଧେକେଲା ପୁଲିସ୍ ମାମଲା ରୁଜୁକରି ଗୋବିନ୍ଦଙ୍କୁ ଗିରଫ କରିଥିଲା। ୧୭ ତାରିଖରେ ସେ ଥାନା ହାଜତରୁ ଫେରାର ହୋଇଯାଇଥିଲେ। ତେବେ ୨୧ ତାରିଖରେ ତାଙ୍କୁ ଆଖୁ କିଆରିରୁ ଗିରଫ କରାଯାଇଥିଲା। ଇତିମଧ୍ୟରେ ମମିତାଙ୍କୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ୧୯ ତାରିଖରେ ମହାଲିଙ୍ଗ ହାଇସ୍କୁଲ ପଡ଼ିଆରୁ ତାଙ୍କର କଙ୍କାଳ ଉଦ୍ଧାର କରାଯାଇଥିଲା। ମମିତାଙ୍କୁ ହତ୍ୟା କରି ପୋଡ଼ି ଦିଆଯିବା ପରେ ତାଙ୍କୁ ସେଠାରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗୋବିନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା।
ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାଜ୍ୟବ୍ୟାପୀ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏହା ସହି ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଥିଲା। ପରେ ମନ୍ତ୍ରିମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ର ବାଦ୍ ପଡ଼ିଥିଲେ। ଅଭିଯୋଗ ହୋଇଥିଲା ଯେ ମମିତାଙ୍କ ପାଖରେ ଏପରି କିଛି ବିସ୍ଫୋରକ ତଥ୍ୟ ଥିଲା, ତାହା ପଦାକୁ ଆସିଥିଲେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥାନ୍ତା। ଯେଉଁଥିପାଇଁ ମମିତାଙ୍କୁ ବାଟରୁ ହଟାଇବା ଲାଗି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ପ୍ରତିକ୍ରିୟା ରଖିଛନ୍ତି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ଯେ ଏହା ରାଜ୍ୟର ଏକ ଚର୍ଚ୍ଚିତ ମାମଲା। ମାମଲାରେ ବିଶେଷ କରି ବିଜେଡିର ବିଧାୟକ, ମନ୍ତ୍ରୀମାନେ ସଂପୃକ୍ତ ଥିଲେ। ଚାର୍ଜସିଟ୍ ଦାଖଲ ସମୟରେ ବିଜେଡିର ମନ୍ତ୍ରୀମାନଙ୍କୁ ବଞ୍ଚାଇ ଦିଆଯାଇଥିଲା। ଏଥରେ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଗିରଫ କରି କୋର୍ଟ ଚାଲାଣ କରାଗଲା। ଘଟଣାରେ ମମିତା ମେହେରଙ୍କ ବଡ଼ବାପା ସାକ୍ଷ୍ୟ ଦେବା ସହ ଅନ୍ୟମାନଙ୍କ ସାକ୍ଷ୍ୟ ଗ୍ରହଣ କୋର୍ଟରେ କରାଯାଇଥିଲା। ଫଳରେ ମାନସିକ ଚାପରେ ଥିଲେ ଗୋବିନ୍ଦ ସାହୁ। ନିଜ ଜାମିନ ପାଇଁ କିଛି ଦିନ ଆଗରୁ ହାଇକୋର୍ଟରେ ଗୋବିନ୍ଦ ଆବେଦନ କରିଥିଲେ ତାହା ମାନ୍ୟବର କୋର୍ଟ ଖାରଜ କରିବା ପରେ ଆହୁରି ମାନସିକ ଚାପରେ ରହିଥିଲେ। ଦଣ୍ଡ ସୁନିଶ୍ଚିତ ହେବା ଜାଣିବା ସହ ମହାଲିଙ୍ଗ କଲେଜରେ ଯାହା ପାଇଁ ମୁଁ ଝିଅ ଯୋଗାଇ ଥିଲି ଯାହା ପାଇଁ ଏସବୁ କଲି ସେମାନେ ମୋତେ ପଚାରିଲେ ନାହିଁ ମୋର ଆତ୍ମହତ୍ୟା କରିବା ଭଲ ଭାବି ନିଜକୁ ବେକରେ ଫନ୍ଦା ଲଗାଇ ଆତ୍ମହତ୍ୟା କଲେ। କଣ୍ଟାବାଞ୍ଜି ଜେଲରେ ଭିଆଇପି ଭାବରେ ତାକୁ ରଖି ଖାଇବା ପିଇବା ଦିଆଯାଇ ଜ୍ୱାଇଁ ଭଳି ବ୍ୟବହାର ଦିଆଯାଉଥିଲା। ବିଜେଡିର ମନ୍ତ୍ରୀମାନଙ୍କ ପାଇଁ ଏଭଳି ବ୍ୟବହାର ଦିଆଯାଉଥିଲା।
ନ୍ୟାୟ ଦେଲେ ଭଗବାନ: ମମିତାଙ୍କ ବଡ଼ବାପା
କୋର୍ଟ ନ୍ୟାୟ ଦେବା ଆଗରୁ ଗୋବିନ୍ଦକୁ ଭଗବାନ ଦଣ୍ଡ ଦେଲେ ବୋଲି ମମିତାଙ୍କ ବଡ଼ବାପା କୌଶିକ ମେହେର କହିଛନ୍ତି। ଘଟଣା ଦିନଠାରୁ ଆମେ ବହୁତ ହଇରାଣ ହେଉଛୁ। ପରିବାର ବର୍ଗ ଅନେକ ମାନସିକ ଚାପ ଏବଂ ଦୁଃଖରେ ରହିଥିଲେ। କୋର୍ଟରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ପରେ ଆମେ ନ୍ୟାୟ ପାଳିକା ଉପରେ ଭରସା ରଖିଥିଲୁ। ଏହି ପ୍ରକ୍ରିୟା ସରିଲା ପରେ ନିଶ୍ଚିତ ଭାବରେ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ହୋଇଥାନ୍ତା। ହେଲେ ଏହା ପୂର୍ବରୁ ଭଗବାନ ଦେଖାଇ ଦେଲେ ଏବଂ ନିଜେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ମମିତା ମେହେରଙ୍କ ହତ୍ୟା ପରେ ଝରଣୀ ଗାଁ ପୂରା ସ୍ତବ୍ଧ ହୋଇଯାଇଥିଲା। ମମିତାଙ୍କୁ ନ୍ୟାୟ ଏବଂ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦାବିରେ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଆଜି ଗୋବିନ୍ଦର ଆତ୍ମହତ୍ୟା ଖବର ଜଣାପଡ଼ିବା ପରେ ଗ୍ରାମବାସୀ ଯାହା ହୋଇଛି ଠିକ୍ ହୋଇଛି ବୋଲି କହିଛନ୍ତି।
୭ ଘଣ୍ଟା ପରେ ପଞ୍ଚନାମା
ଜେଲ କର୍ତ୍ତୃପକ୍ଷ ପ୍ରାୟ ୧୦.୩୦ମି.ରେ ଗୋବିନ୍ଦକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଶାସନ ପହଞ୍ଚି ସେଠାରେ କାଗଜ ପତ୍ର ପ୍ରସ୍ତୁତ କରିଥିଲେ। ଫଳରେ ଶବଗୃହରେ ୭ ଘଣ୍ଟା ଧରି ଶବ ରହିଥିଲା। ମାଜିଷ୍ଟ୍ରେଟ୍ ଡ୍ୟୁଟିରେ କଣ୍ଟାବାଞ୍ଜି ତହସିଲଦାର ସମୀର ରଂଜନ ବେହେରା, କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର, କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା, ତୁରେକେଲା ଓ ମୁରିବାହାଲ, ଟିଟିଲାଗଡ଼ ଥାନାର ଅଧିକାରୀଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇଥିଲା। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।
କଣ୍ଟାବାଞ୍ଜି ଜେଲ୍ରେ ତଦନ୍ତ କଲେ ଜେଲ୍ ଡିଆଇଜି
କଣ୍ଟାବାଞ୍ଜି ଉପକାରଗାରରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ଜେଲ ଡିଆଇଜି ଅନସୂୟା ଜେନା ତୁରନ୍ତ ଜେଲ୍କୁ ପହଞ୍ଚି ଥିଲେ। ତଦନ୍ତ କରି ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବି ବୋଲି ସେ କହିଛନ୍ତି। ଘଟଣା ସମୟରେ କିଏ କିଏ ଡ୍ୟୁଟିରେ ରହିଥିଲେ। ସୁପରିନ୍ଟେଣ୍ଡେଣ୍ଟ କଣ କରୁଥିଲେ। ସିସିଟିଭି କାମ କରୁଥଲା ନାଁ ନାହିଁ, ଘଟଣାସ୍ଥଳରେ କେମିତି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ତାର ଟିକିନିଖି ଖବର ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ଜେଲ ଅଧିକାରୀ, କର୍ମଚାରୀଙ୍କୁ ଶ୍ରୀ ଜେନା ପଚରାଉଚରା କରିଥିବା ଜଣାଯାଇଛି।