ନବକଳେବରରୁ କନ୍ଧମାଳ ଦଙ୍ଗା ଯାଏ…

ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ନୂଆ ବର୍ଷରୁ ରାଜ୍ୟ ପ୍ରଶାସନର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ପଦରେ ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ମହାପାତ୍ରଙ୍କ ଲମ୍ବା ଅନୁଭୂତି ରହିଛି। କଥା କମ୍‌ କରି ଚୁପ୍‌ଚାପ୍‌ କାମ କରିବା ତାଙ୍କର ନିଆରା ଶୈଳୀ ପାଇଁ ସେ ବେଶ୍‌ ପରିଚିତ। ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଜର ପ୍ରଶାସନିକ ଦକ୍ଷତା ସାବ୍ୟସ୍ତ କରିଥିବା ଶ୍ରୀ ମହାପାତ୍ର ୧୯୮୬ ମସିହାରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରୋବେସନ୍‌ ପ୍ରଶିକ୍ଷଣ ପରେ ପ୍ରଥମ କରି ୧୯୮୮ ମସିହାରେ କଳାହାଣ୍ଡି ଜିଲ୍ଲାର ନୂଆପଡ଼ା ଉପଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨ ବର୍ଷ ସେଠାରେ ଉପଜିଲ୍ଲାପାଳ ରହିବା ପରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା। ପରେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ ମସିହାରେ ନୂଆ କରି ଗଠନ ହୋଇଥିବା ଭଦ୍ରକ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଭାବେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଛନ୍ତି। ଭଦ୍ରକରେ ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜିଥିବାବେଳେ ଜିଲ୍ଲାପାଳ ଭାବେ ତାଙ୍କର ପ୍ରଶାସନିକ ଦକ୍ଷତା ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଜଣେ ବିଚକ୍ଷଣ ପ୍ରଶାସନିକ ଅଧିକାରୀ ଶ୍ରୀ ମହାପାତ୍ର ଛାତ୍ର ଜୀବନରୁ ମେଧାବୀ ରହିଆସିଛନ୍ତି। କେନ୍ଦୁଝର ଜିଲ୍ଲା ବାସିନ୍ଦା ଶ୍ରୀ ମହାପାତ୍ର ୧୯୬୨ ମସିହାରେ ଦେବଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି। କେନ୍ଦୁଝର ଡି.ଏନ୍‌ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌, ୧୯୮୨ ମସିହାରେ ତତ୍କାଳୀନ ରେଭେନ୍‌ସା କଲେଜ୍‌ରୁ ବିଏସ୍‌ସିରେ ସ୍ନାତକ ଓ ୧୯୮୫ ମସିହାରେ ଧାନବାଦ ଆଇଏସ୍‌ଏମ୍‌ରୁ ଆପ୍ଲାଏଡ୍‌ ଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ୧୯୮୬ରେ ଓଏନ୍‌ଜିସିରେ ଅଳ୍ପ ଦିନ ପାଇଁ ଚାକିରି କରିଥିଲେ। ପରେ ସେହିବର୍ଷ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ସେବାରେ ଯୋଗଦେଇଥିଲେ।

କନ୍ଧମାଳ ଦଙ୍ଗାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି କରିଥିଲେ। ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଶ୍ରୀ ମହାପାତ୍ର ପୁରୀ ଜିଲ୍ଲାପାଳ ଥିବାବେଳେ ୧୯୯୬ରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି କୋଠା ଘର ଦୋକାନ ଓ ବଣିଆ ପଟି ଦୋକାନ ଉଚ୍ଛେଦ, ସେତେବେଳର ପୁରୀ-ଭୁବନେଶ୍ବର ରାଜ୍ୟ ରାଜପଥରେ ଥିବା ଅବରୋଧ ହଟାଇବାରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା। ଖାଲି ସେତିକି ନୁହେଁ, ମହାପ୍ରଭୁଙ୍କ ନବକଳେବର ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ତୁଲାଇବାରେ ଜଣେ ଜିଲ୍ଲାପାଳ ଭାବେ ସେ ରେକର୍ଡ଼ କରିଥିଲେ। ଏହା ଓମ୍‌ଫେଡ୍‌ ଦୁଗ୍ଧ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପଦରେ ରହି ଶ୍ରୀ ମହାପାତ୍ର ଅନେକ ସଂସ୍କାର ଆଣିଥିଲେ। ପ୍ରାୟ ୬ ବର୍ଷ କାଳ ଏହି ପଦରେ ରହି ସେ ଖାଉଟିଙ୍କ ପାଇଁ ଅନେକ ଓମ୍‌ଫେଡ୍‌ ଉତ୍ପାଦ ଉପଲବ୍ଧ କରାଇଥିଲେ। ପରେ ତାଙ୍କୁ ବିଦ୍ୟୁତ ବଣ୍ଟନ କମ୍ପାନି ସେସୁର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଥିଲା। ଶ୍ରୀ ମହାପାତ୍ର ଦାୟିତ୍ବ ନେବା ପରେ ବିଦ୍ୟୁତ ପରିବହନ ଦାୟିତ୍ବରେ ଥିବା ଏଇଏସ୍‌ କମ୍ପାନି ହଠାତ୍‌ ବିଦ୍ୟୁତ ବଣ୍ଟନ ଦାୟିତ୍ବରୁ ହଟିଯାଇଥିଲା। ପରେ ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଭାବେ ୩ ବର୍ଷ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଶ୍ରୀ ମହାପାତ୍ର ୨ ବର୍ଷ ଦାୟିତ୍ବ ତୁଲାଇଛନ୍ତି। ୨୦୦୭ ଓ ୨୦୦୮ରେ କନ୍ଧମାଳ ଜିଲ୍ଲାରେ ସଂଗଠିତ ହୋଇଥିବା ଦଙ୍ଗା ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବତନ୍ତ୍ର ପଦାଧିକାରୀ ଭାବେ ପଠାଇଥିଲେ। ପୁରୀ ଶ୍ରୀ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପଦବି ସୃଷ୍ଟି ହେବା ପରେ ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଥିଲା। ୩ ବର୍ଷ ଧରି ସେ ଏହି ପଦରେ ରହିଥିଲେ। ପରେ ଶକ୍ତି ଓ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ସମୟରେ ମେଗା ଉଠା ଜଳ ସେଚନ ପ୍ରକଳ୍ପ ଯୋଜନା, ଗଭୀର ନଳକୂପ ଯୋଜନା, ଚେକ୍‌ ଡ୍ୟାମ୍‌ ଓ ଇକୋ ଟୁରିଜିମ୍‌ ପରି ଜନାଦୃତ ଯୋଜନା କାର୍ଯ୍ୟକାରୀ ହୋଇଥିଲା।

ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧା ଓ ଭକ୍ତି କରୁଥିବା ଶ୍ରୀ ମହାପାତ୍ରଙ୍କୁ ୨୦୧୫ ମସିହା ନବକଳେବରର ତଦାରଖ ଦାୟିତ୍ବ ମିଳିଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିଲାବେଳେ ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବିକୁ ପଦୋନ୍ନତି ମିଳିଥିଲା। ୨୦୧୯ ଅଗଷ୍ଟ ୧୮ ତାରିଖରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉନ୍ନୟନ କମିସନର ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାସହିତ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ରହିଛନ୍ତି। କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତିର ପ୍ରତିକୂଳ ପରିସ୍ଥିତିକୁ ସବୁ ଦୃଷ୍ଟିରୁ ଅନୁକୂଳ କରିବା ପାଇଁ ତାଙ୍କର ଅନେକ ଅବଦାନ ରହିଛି।

ସମ୍ବନ୍ଧିତ ଖବର