ବିଧାନସଭାରୁ…

ଅରୁଣଙ୍କ ଗଙ୍ଗୋତ୍ରୀ ଉପାଖ୍ୟାନ
ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ଅରୁଣ ସାହୁ ଆଳଙ୍କରିକ ଭାଷା ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଭୂୟସୀ ପ୍ରଶଂସା କରୁଥିଲେ। ‌ଏହି ସମୟରେ ସେ ଗଙ୍ଗୋତ୍ରୀ-ଗଙ୍ଗା ଉପାଖ୍ୟାନ କହିଥିଲେ। ସେ କହିଥିଲେ, ଗଙ୍ଗୋତ୍ରୀରୁ ଗଙ୍ଗା ବାହାରିଛି। ଯଦି ଗଙ୍ଗୋତ୍ରୀ ସଫା ରହିବ, ତେବେ ଗଙ୍ଗା ନିଶ୍ଚିତ ଭାବେ ସଫା ରହିବ। ଆମର ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ହେଲା ଗଙ୍ଗୋତ୍ରୀ। ସେଠାକୁ ମଇଳା ଜମା ସ୍ପର୍ଶ କରିପାରି ନାହିଁ। ତେଣୁ ସେଠାରୁ ବହିଯାଇଥିବା ଗଙ୍ଗା ପରିଷ୍କାର ରହିବ ହିଁ ରହିବ। ମୁଖ୍ୟମନ୍ତ୍ରୀଙ୍କ ଉପରେ ମଇଳା ଛିଟା ନ ପଡ଼ିଥିବାରୁ ଲୋକଙ୍କ ଆଶୀର୍ବାଦ ଅଜାଡ଼ି ହୋଇପଡ଼ୁଛି ବୋଲି ଅରୁଣ କହିଥିଲେ।

ରାଗିଗଲେ ନରସିଂହ
ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ତାଙ୍କ ପାଇଁ ନିର୍ଦ୍ଧାରିତ ସମୟ ସରି ସରି ଆସିଲା ବେଳେ ବକ୍ତବ୍ୟ ଶେଷ କରିବା ପାଇଁ ଜଣେ କର୍ମଚାରୀ ତାଙ୍କୁ ଏକ ଚିରୁକୁଟି ଦେଇଥିଲେ। ଏହାକୁ ଦେଖି ଶ୍ରୀ ମିଶ୍ର ରାଗିଯାଇଥିଲେ। ସଙ୍ଗେ ସଙ୍ଗେ ନିଜ ଆସନରେ ସେ ବସିପଡ଼ିଥିଲେ। ଆଉ କିଛି ସମୟ କହିବାକୁ ଚାହୁଁଥିଲି, କିନ୍ତୁ କହିବି ନାହିଁ ବୋଲି ସେ କହିଥିଲେ। ତେବେ ବାଚସ୍ପତି ତାଙ୍କୁ ବକ୍ତବ୍ୟ ରଖିବା ପାଇଁ କହିଥିଲେ। କିନ୍ତୁ ଶ୍ରୀ ମିଶ୍ର ଆଉ ଉଠି ନ ଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ତାଙ୍କ ପାଖକୁ ଆସି ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେ ଶୁଣି ନ ଥିଲେ। ବାଚସ୍ପତି କହିଥିଲେ, ଆପଣ ଆପଣଙ୍କ ବକ୍ତବ୍ୟ ଶେଷ କରନ୍ତୁ। କିନ୍ତୁ ଶ୍ରୀ ମିଶ୍ର ଠିଆ ହୋଇ ଧନ୍ୟବାଦ ଦେଇ ପୁଣି ବସି ପଡ଼ିଥିଲେ।

ଗଣଶିକ୍ଷା ମନ୍ତ୍ରୀଙ୍କ ଲମ୍ବା ଉତ୍ତର
ପ୍ରଶ୍ନକାଳରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ ଲମ୍ବା ସମୟ ପର୍ଯ୍ୟନ୍ତ ଉତ୍ତର ପଢ଼ିଲେ। ଏହାକୁ ନେଇ ଗୃହରେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କଲେ। ବାଚସ୍ପତି ମଧ୍ୟ ବିରକ୍ତି ପ୍ରକାଶ କଲେ। ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣ ୧୦ ମିନିଟ୍‌ ଉତ୍ତର ପଢ଼ିସାରିଲେଣି। ମୁଁ ଆପଣଙ୍କୁ ପରାମର୍ଶ ଦେବି ଯେ ଭବିଷ୍ୟତରେ ଉତ୍ତର ଦେଲା ବେଳେ ତାହାକୁ ସଂକ୍ଷିପ୍ତ ରଖିବେ। ଫଳରେ ଗୃହର ସମୟ ନଷ୍ଟ ହେବ ନାହିଁ।

ବିଷ୍ଣୁଙ୍କ ଭାଷା ସଂଶୋଧନ
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିଭିନ୍ନ ସମୟରେ ଗୃହରେ ଭାଷା, ସଂସ୍କୃତି କଥା ଉଠାନ୍ତି। ମଝିରେ ମଝିରେ କବିତା ବି ଆବୃତ୍ତି କରନ୍ତି। ଆଜି ଗୃହ ଚାଲିଥିଲା ବେଳେ ଦୁଇ ଥର ବନାନ ସଂଶୋଧନ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶ୍ନକାଳରେ ଏକ ଲିଖିତ ପ୍ରଶ୍ନରେ ‘ପରିମାଣ’ ବନାନ ଭୁଲ୍‌ ଥିଲା। ଶ୍ରୀ ସେଠୀ ସେ ସମ୍ପର୍କରେ ବାଚସ୍ପତିଙ୍କୁ ଜଣାଇବା ସହ କହିଥିଲେ ଯେ ମୁଁ ଥରେ ମଧୁବାବୁଙ୍କ କବିତା ପଢ଼ୁଥିଲା ବେଳେ ‘ଜୟ’କୁ ଭୁଲ୍‌ ଉଚ୍ଚାରଣ କଲି ବୋଲି ବାଚସ୍ପତି ସଂଶୋଧନ କରାଇଲେ। ବାଚସ୍ପତିଙ୍କ ସଂସ୍କୃତି ପ୍ରୀତି ନିଶ୍ଚିତ ଅଛି। ତେବେ ଆଜି ଏ ବନାନ ତ୍ରୁଟିକୁ ବି ସୁଧାରିବା କଥା। ସେହିପରି ଅପରାହ୍ନରେ ପରଦାରେ ଗୃହ କାର୍ଯ୍ୟର ପ୍ରସାରଣ ହେଉଥିଲା ବେଳେ ଇଂରାଜୀରେ ‘ଗ୍ରିଭାନ୍ସ’ ବନାନ ଭୁଲ୍‌ ଥିଲା। ସେ ସମ୍ପର୍କରେ ମଧ୍ୟ ଶ୍ରୀ ସେଠୀ ବାଚସ୍ପତିଙ୍କ ଜଣାଇଥିଲେ। ସଙ୍ଗେ ସଙ୍ଗେ ତାହାର ସଂଶୋଧନ କରାଯାଇଥିଲା।

ସମ୍ବନ୍ଧିତ ଖବର