ବିଧାନସଭାରୁ…

ଲୋକସେବା ଭବନ ଆସୁନାହାନ୍ତି ମନ୍ତ୍ରୀ
ମୁଲତବୀ ଆଲୋଚନା ବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଜ୍ୟରେ ମନ୍ତ୍ରୀମାନଙ୍କ ବିକଳ ସ୍ଥିତି ସମ୍ପର୍କରେ ବଖାଣିଥିଲେ। ସେ କହିଥିଲେ, ରାଜ୍ୟ ସରକାରରେ ମନ୍ତ୍ରୀମାନଙ୍କ କ୍ଷମତା ନାହିଁ। ଅଫିସର୍ ହେଲେ ସର୍ବେସର୍ବା। ଅଫିସର୍ ଯାହା କହିବେ ମନ୍ତ୍ରୀ କରିବାକୁ ବାଧ୍ୟ। ଯେତେବେଳେ ଲୋକସେବା ଭବନ ଗଲେ ମନ୍ତ୍ରୀଙ୍କ ଚାମ୍ବର୍ ଖାଲି। ଯେହେତୁ ଅଫିସର୍‌ମାନେ ସବୁ କରୁଛନ୍ତି, ତେବେ ସେମାନେ କାହିଁକି ଆସିବେ? ଶୁଣାଯାଉଛି ଯେ କିଛି ମନ୍ତ୍ରୀଙ୍କ ଡିଜିଟାଲ୍ ଦସ୍ତଖତ ବି ରଖିଦିଆଯାଇଛି। ତେଣୁ ଫାଇଲ୍ ଦସ୍ତଖତ କରିବାକୁ ବି ସେମାନଙ୍କୁ ଆସିବାକୁ ପଡ଼ୁନି। ଶ୍ରୀ ସାଲୁଜା ଏହା କହୁଥିଲା ବେଳେ ଶାସକ ଦଳ ପକ୍ଷରୁ କୌଣସି ପ୍ରତିବାଦ ହୋଇ ନଥିଲା।

ଜେନା ମେୟର ସବୁ ମାଡ଼ି ବସୁଥିଲେ
ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ଭୁବନେଶ୍ବରର ସମସ୍ୟାର ଲମ୍ବା ତାଲିକା ଦେଇଥିଲେ। ଭୁବନେଶ୍ବର ମଶା ବିଶ୍ବ ପ୍ରସିଦ୍ଧ ବୋଲି କଟାକ୍ଷ କରିଥିଲେ। ପୁଣି କହିଥିଲେ, ବିନ୍ଦୁସାଗର ପାଣି ଏତେ ଅପରିଷ୍କାର ଯେ ତାହା ପାଖରେ ବସିଲେ ଚମ ଡବଲ୍ ହୋଇଯିବ ମାନେ ବଡ଼ ବଡ଼ ଫଳିଯିବ। କେଦାରଗୌରୀ ପାଣିରେ ଖାଲି ପୋକ। ଶେଷକୁ ଶ୍ରୀ ରାଉତରାୟ କହିଥିଲେ, ଏବେ ଝିଅଟିଏ ମେୟର ହୋଇଛି। ଭଲ ମେୟର। ବହୁତ ପରିଶ୍ରମ କରୁଛି। ଅବଶ୍ୟ କିଛି ଫଳ ମିଳିବାର ନାହିଁ। କିନ୍ତୁ ଏ ଜେନା ମେୟର ଥିଲା ବେଳେ ସବୁ ମାଡ଼ି ବସୁଥିଲେ। ଖାପ୍ କିନା ମାଡ଼ି ବସୁଥିଲେ। ତାଙ୍କର ଏହି ମନ୍ତବ୍ୟ ଗୃହରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା। ସେତେବେଳେ ଗୃହରେ ଭୁବନେଶ୍ବର ମଧ୍ୟ ବିଧାୟକ ତଥା ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଗୃହରେ ଉପସ୍ଥିତ ଥିଲେ। ଶ୍ରୀ ରାଉତରାୟଙ୍କ ପୂର୍ବରୁ ସେ ନଗର ଉନ୍ନୟନ ବିଭାଗର ସଫଳତା ବଖାଣି ସାରିଥିଲେ।

ଜାଇକା ନାଁ ଶୁଣିଲେ ଜ୍ବର ଆସୁଛି
ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଆଲୋଚନା ବେଳେ କଟକ ସହରର ସମସ୍ୟା କଥା ଉଠାଇଥିଲେ। ‘ସୋଲେ’ ସିନେମାରେ ଗବର୍‌ ସିଂହର ନାଁ କହି ମା’ ଯେମିତି ପିଲାଙ୍କୁ ଡରାଉଥିଲା, କଟକରେ ସେମିତି ଜାଇକା ନାଁ ଶୁଣି ଲୋକଙ୍କ ଜ୍ବର ଆସିଯାଉଛି। ଯେଉଁ ଗଳିରେ ଜାଇକା କାମ ହେଉଛି, ତାହା ସରିବାର ନାଁ ଧରୁନି। କେତେ ଦିନ ଏହି କାମ ଚାଲିବ ବୋଲି ମୋକିମ୍ ପ୍ରଶ୍ନ କରିଥିଲେ।

ମାନ୍ୟବର ମନ୍ତ୍ରୀ ନୁହେଁ, ମାନ୍ୟବର ବିଧାୟକ
ଆଜି ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ମନ୍ତ୍ରୀ ଉତ୍ତର ଦେଲା ବେଳେ ଶ୍ରୀ ସାମଲଙ୍କୁ ‘ମାନ୍ୟବର ମନ୍ତ୍ରୀ’ ବୋଲି ସମ୍ବୋଧନ କଲେ। ବାଚସ୍ପତି ତୁରନ୍ତ ତାହାକୁ ସଂଶୋଧନ କରି ‘ମାନ୍ୟବର ମନ୍ତ୍ରୀ’ ନୁହେଁ, ‘ମାନ୍ୟବର ବିଧାୟକ’ ବୋଲି କହିଲେ। ଅବଶ୍ୟ ଶ୍ରୀ ନାୟକ ଏହା ଶୁଣି ପାରିନଥିଲେ। ତେଣୁ ସେ ଆଉ ସଂଶୋଧନ କରି ନଥିଲେ।

ବିଧାୟକ କିଛି ଜାଣିପାରୁ ନାହାନ୍ତି
ପ୍ରଶ୍ନକାଳରେ କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିଲା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାୟକମାନଙ୍କ ଦୁଃଖ ବର୍ଣ୍ଣନା କରିଥିଲେ। ତାରା କହିଥିଲେ, କୃଷି ମନ୍ତ୍ରୀଙ୍କୁ ଆମେ କିଛି କହୁନୁ। ସେ ନୂଆ ଦାୟିତ୍ବ ନେଇଛନ୍ତି। ମୋର ତାଙ୍କ ପ୍ରତି ସମ୍ମାନ ଅଛି। କିନ୍ତୁ ସରକାର ବିଭିନ୍ନ ମିସନ୍ କରୁଛନ୍ତି। ବହୁ ମିସନ୍ ବିଫଳ ହେଉଛି। ଏହି ମିସନ୍‌ଗୁଡ଼ିକରେ ଜିଲ୍ଲା ସ୍ତରରେ ବିଧାୟକମାନଙ୍କୁ କାହିଁକି ସାମିଲ୍ କରାଯାଉ ନାହିଁ? ଏ କଥା ମୁଁ ଏକା କହୁ ନାହିଁ। ଆଜି ଲବିରେ ବହୁ ବିଧାୟକ ଏ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ସେମାନେ କିଛି ଜାଣିପାରୁ ନାହାନ୍ତି ବୋଲି କହିଥିଲେ। ତାରାଙ୍କ ଉଦ୍‌ବେଗକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଝିଥିଲେ। ଆଗାମୀ ଦିନରେ ବିଭିନ୍ନ ମିସନ୍‌ରେ ବିଧାୟକଙ୍କୁ ସଂପୃକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମନ୍ତ୍ରୀ ମହୋଦୟା, ନୋଟ୍ କରନ୍ତୁ
ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସନ୍ତୋଷ ସିଂହ ସାଲୁଜା କିଛି ପ୍ରଶ୍ନ କରୁଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ତାହାକୁ ଶୁଣୁଥିଲେ ବି କାଗଜରେ ଲେଖୁ ନ ଥିଲେ। ଏହାକୁ ଲକ୍ଷ୍ୟ କରି ଶ୍ରୀ ସାଲୁଜା କହିଥିଲେ, ‘ମନ୍ତ୍ରୀ ମହୋଦୟା, ଆପଣ ମୋ ପ୍ରଶ୍ନକୁ ନୋଟ୍ କରନ୍ତୁ। ତାହାର ଉତ୍ତର ଦେବେ। ଆପଣ ନୋଟ୍ କରିବେ ନା ଅଫିସର୍ ଯାହା ଦେଇଛନ୍ତି ତାହାକୁ ପଢ଼ିଦେବେ?’

ଡାକ୍ତର ୧୧ ହଜାର କାହିଁକି ମାଗିଲେ
ପିସି କାରବାର ଉପରେ ମୁଲତବୀ ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭାଗ ନେଇଥିଲେ। ଢେଙ୍କାନାଳରେ ଜଣେ ଡାକ୍ତର ୧୧ ହଜାର ଟଙ୍କା ଲାଞ୍ଚ ନେଇଥିବା କଥା କହିଥିଲେ। ସାଧାରଣତଃ ୧୦ ହଜାର… ୨୦ ହଜାର… ୩୦ ହଜାର… ଏମିତି ଟଙ୍କା ମଗାଯାଏ। କିନ୍ତୁ ସେହି ଡାକ୍ତର କାହିଁକି ନିର୍ଦ୍ଦିଷ୍ଟ ଭାବେ ଏମିତି ଅଛିଣ୍ଡିଆ ୧୧ ହଜାର ଟଙ୍କା ମାଗିଲେ, ତାହା ମୁଁ ବୁଝିପାରୁନି ବୋଲି ଶ୍ରୀ ସେଠୀ କହିଥିଲେ। ଏହି ୧୧ ହଜାର ଟଙ୍କାର କିଛି ହିସାବ ନିଶ୍ଚିତ ଥିବ। ଭାଗମାପ କରି ସେ ଏତିକି ଟଙ୍କା ମାଗିଛନ୍ତି। ଏହା ବେଶ୍ ରହସ୍ୟଜନକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର