ବିଧାନସଭାରୁ…: କି ରଙ୍ଗ ଲାଗିଲା…

୫-ଟି ରୂପାନ୍ତରିତ ସ୍କୁଲ୍ର କାନ୍ଥ, ପାଚେରିରେ ଲାଗିଥିବା ରଙ୍ଗକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ନିଆରା ଢଙ୍ଗରେ କଥା କଟାକଟି ହୋଇଥିଲା। ମୋହନ ମାଝୀ କହିଥିଲେ, ପ୍ରଥମେ ପ୍ରଥମେ ସ୍କୁଲ୍‌ଗୁଡ଼ିକରେ ଗୋଲାପୀ ରଙ୍ଗ ମରାଯାଉଥିଲା। ହଠାତ ତାହାକୁ ପରିବର୍ତ୍ତନ କରି ପାକିସ୍ତାନୀ ରଙ୍ଗ ଲଗାଇ ଦିଆଗଲା। ତତ୍କାଳୀନ ଗଣଶିକ୍ଷା ସଚିବ ତଥା ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୋଲାପୀ ରଙ୍ଗକୁ ସେତେବେଳେ ପସନ୍ଦ କରି ୟୁନିଫର୍ମ କରିଥିଲେ। ସେଥି ପାଇଁ ଗୋଲାପୀ ରଙ୍ଗ ବଦଳରେ ପାକିସ୍ତାନୀ ରଙ୍ଗ ବୋଳାଯାଇଛି। ମୁକେଶ ମହାଲିଙ୍ଗ ମଧ୍ୟ ପାକିସ୍ତାନୀ ରଙ୍ଗ କଥା ଉଠାଇଥିଲେ। ପୁଣି କହିଥିଲେ ସ୍କୁଲ୍‌ଗୁଡ଼ିକୁ ଦେଖିଲେ ବିଜେଡି ରଙ୍ଗ ପରି ଦେଖାଯାଉଛି। କୁସୁମୁ ଟେଟେ କହିଥିଲେ, କାଳେ ବିଜେଡିକୁ ଲୋକ ଦୂରେଇ ଦେବେ ସେଥି ପାଇଁ ସ୍କୁଲ୍‌ରେ ସବୁଜ ରଙ୍ଗ ବୋଳାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରଙ୍ଗ କଥା ଉଠାଇଥିଲେ। କିନ୍ତୁ ବିଜେପିକୁ ସିଧାସଳଖ ବିରୋଧ କରି କହିଥିଲେ, ସେମାନେ ଶାଗୁଆ ରଙ୍ଗକୁ ପାକିସ୍ତାନୀ ରଙ୍ଗ ବୋଲି କହୁଛନ୍ତି। ଯଦି ସେ ରଙ୍ଗଟି ଖରାପ, ତେବେ କେନ୍ଦ୍ର ସରକାରଙ୍କୁ କହି ବ୍ୟାନ୍ କରିଦିଅନ୍ତୁ। ଜାତୀୟ ପତାକା ବି ବ୍ୟାନ୍ କରିଦିଅନ୍ତୁ। କାରଣ ସେଥିରେ ବି ଏହି ରଙ୍ଗ ଅଛି। ଏମିତିରେ ବି ଆର୍‌ଏସ୍‌ଏସ୍ ଲୋକମାନେ ଜାତୀୟ ପତାକାକୁ ପସନ୍ଦ କରନ୍ତିନି। ଆର୍‌ଏସ୍‌ଏସ୍ କାର୍ଯ୍ୟାଳୟରେ ସ୍ବାଧୀନତାର ବହୁ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ି ନଥିଲା। ଶାଗୁଆ ରଙ୍ଗକୁ ବିଜେଡି ରଙ୍ଗ କହି ଆପତ୍ତି କଲେ ତାହା ଭିନ୍ନ କଥା। କିନ୍ତୁ ପାକିସ୍ତାନକୁ କାହିଁକି ଏ ରଙ୍ଗ ଭିତରକୁ ଟାଣୁଛନ୍ତି? ବିଜେଡି ବିଧାୟକ ଅରୁଣ ସାହୁ ବିଜେପିକୁ ଆକ୍ଷେପ କରି କହିଥିଲେ, ବିଜେପି ସଭ୍ୟମାନେ ଲୋକସଭାର ରଙ୍ଗ ବି ଦେଖନ୍ତୁ। ଯଦି ନ ଜାଣିଛନ୍ତି ଗୁଗୁଲ୍ ସର୍ଚ୍ଚ କରନ୍ତୁ। ଆଗରୁ ଏମିତି କଥା କହି ଆପଣମାନେ ଅପମାନିତ ହୋଇଛନ୍ତି। ପୁଣି କାହିଁକି ଏକଥା କହୁଛନ୍ତି?

ଆସନ୍ତି… କୁହନ୍ତି… ଫେରାର ହୋଇଯା’ନ୍ତି
ଆଜି ଶୂନ୍ୟକାଳରେ ଶାସକ ଦଳ ବିଧାୟକ ଅରୁଣ ସାହୁ ରେଳବାଇ ପ୍ରସଙ୍ଗ ଉଠାଇ ବିଜେପି ସଭ୍ୟମାନଙ୍କୁ ଟାର୍ଗେଟ୍ କରୁଥିଲେ। କେନ୍ଦ୍ର ମନ୍ତ୍ରୀମାନଙ୍କ ନାଁ ନ ନେଇଥିଲେ ସେମାନଙ୍କୁ ଇଙ୍ଗିତ କରି କିଛି କଥା କହିଥିଲେ। ଯେତେବେଳେ ସିଆଡ଼ୁ ଆସୁଛନ୍ତି ସେତେବେଳେ ହାତୀ ଦେବି, ଘୋଡ଼ା ଦେବି, ପେଁକାଳି ଦେବି ସବୁ କହୁଛନ୍ତି। କିନ୍ତୁ ଏଠୁ ଗଲା ପରେ ନା ହାତୀ ମିଳୁଛି ନା ଘୋଡ଼ା ମିଳୁଛି ନା ପେଁକାଳି ବାଜୁଛି। ସେମିତି ପଦ୍ମପୁର ଉପନିର୍ବାଚନ ବେଳେ ରେଳବାଇକୁ ନେଇ କେତେ କଥା କହିଦେଲେ। କିନ୍ତୁ କାମରେ କିଛି ନାହିଁ। ସେ ସେମିତି ଆସନ୍ତି… କୁହନ୍ତି… ଫେରାର୍ ହୋଇଯା’ନ୍ତି।

ଓଡ଼ିଆ ଦେଶ ଚଳାଉଛନ୍ତି
ଓଡ଼ିଶାରେ ହେଉଥିବା ଶିଳ୍ପ ସଂସ୍ଥାରେ ଓଡ଼ିଆମାନେ ଚାକିରି ପାଉନାହାନ୍ତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ କରିଥିଲେ। ବାହାର ରାଜ୍ୟର ପିଲା ଅଧିକ ଚାକିରି ପାଉଛନ୍ତି। ବେଶୀ ନିଯୁକ୍ତି ସୁଯୋଗ ତାମିଲନାଡୁ ପିଲା ପାଉଛନ୍ତି। କେବଳ କିଛି ସିକ୍ୟୁରିଟି ଗାର୍ଡ ଚାକିରି ଓଡ଼ିଆ ପିଲା ପାଉଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଏହାକୁ ଗ୍ରହଣ କରି ନଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଯିଏ ଶିଳ୍ପ ପ୍ରତିଷ୍ଠା କରିବ, ସେଥିରେ ୨୦% ଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେବା ନେଇ ସର୍ତ୍ତ ରହିଛି।। ଯଦି କେହି ନ ମାନୁଛନ୍ତି, ତେବେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଟଣୀ ବିଧାୟକ ଓଡ଼ିଆ ପିଲାଙ୍କ ଚାକିରି କଥା କ’ଣ କହୁଛନ୍ତି। ଓଡ଼ିଆ ପରା ଏବେ ଦେଶ ଚଳାଉଛନ୍ତି। ଆର୍‌ବିଆଇ ଗଭର୍ଣ୍ଣର୍ ଓଡ଼ିଆ ଲୋକ… ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବି ଓଡ଼ିଆ ଲୋକ।

ଭଦ୍ରକ ବିକାଶ ପାଇଁ ବିଧାୟକମାନେ କହି ନଥିଲେ
ଭଦ୍ରକ ଜିଲ୍ଲାରେ ଶିଳ୍ପ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନି ବୋଲି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଅଭିଯୋଗ କରିଥିଲେ। ଟେକ୍ସଟାଇଲ୍ ପାର୍କ ତ୍ବରାନ୍ବିତ କରିବାକୁ କହିଥିଲେ। ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ଏଇ ୨୨ ବର୍ଷ ଭିତରେ ସବୁ କ୍ଷେତ୍ରରେ ଭଦ୍ରକର ବିକାଶ ହୋଇଛି। ଏଥି ପାଇଁ କେହି ଦାବି କରି ନଥିଲେ। ବିଧାୟକମାନେ ବି କହି ନଥିଲେ। କିନ୍ତୁ ବିକାଶ ଚାଲିଛି। ଅବଶ୍ୟ ପ୍ରଫୁଲ୍ଲ ଭାଇ(ପ୍ରଫୁଲ୍ଲ ସାମଲ) ବିଭିନ୍ନ ସମୟରେ ଲାଗିଥା’ନ୍ତି। ଟେକ୍ସଟାଇଲ୍ ପାର୍କ ପ୍ରକ୍ରିୟା ଚାଲିଛି। ନିଶ୍ଚିତ ଭାବେ କାର୍ଯ୍ୟକ୍ଷମ ହେବ। କିଛି ସମୟ ଲାଗିବ। ସେଥି ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଭଦ୍ରକବାସୀ ଭାବନ୍ତି- ଆଜି କହିଲେ କାଲି ହେବ। କିନ୍ତୁ ସେମିତି ହୁଏନି।

୫-ଟିକୁ ନେଇ ସାଲୁଜା, ଅରୁଣଙ୍କ ରୋଚକ ମତ
୫-ଟି ରୂପାନ୍ତରୀକରଣ ସ୍କୁଲ୍ ବିଷୟରେ ମୁଲତବୀ ଆଲୋଚନା ଚାଲିଥିଲା। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ‘ବୁଢ଼ୀ ପୋତି କୋ ଲାଲ୍ ଶାଢ଼ୀ ପେହେନ୍’ ପରି ଅବସ୍ଥା ହୋଇଛି। ଜଣେ ବୁଢ଼ୀକୁ ତୁମେ ନାଲି ଶାଢ଼ୀ ପିନ୍ଧାଇପାର। କିନ୍ତୁ ସେ ତ ବୁଢ଼ୀ ହିଁ ହୋଇ ରହିବ। ସେମିତି ୫-ଟି ସ୍କୁଲ୍‌ରେ ରଙ୍ଗ ବୋଳିଦେଲେ କ’ଣ ଶିକ୍ଷାର ମାନ ବଦଳିଯିବ? ଶାସକ ଦଳ ସଭ୍ୟ ଅରୁଣ ସାହୁ କହିଥିଲେ, ଯେଉଁମାନେ ଏଠାରେ ଆଜି ୫-ଟି ସ୍କୁଲ୍‌କୁ ବିରୋଧ କଲ ଘରକୁ ଗଲେ ଏହି କଥା କହିବ। ଘରେ ନିଜେ ବିରୋଧର ସମ୍ମୁଖୀନ ହେବ। ଏପରିକି ଖାଇବାକୁ ମିଳି ନପାରେ। କାରଣ ୫-ଟି ସ୍କୁଲ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏବେ ଏକ କ୍ରେଜ୍ ଆସିଛି। ଅବଶ୍ୟ ଆଲୋଚନାରେ ଭାଗ ନେଇଥିବା ବରିଷ୍ଠ ସଦସ୍ୟଙ୍କ ବାଦ୍ ଅନ୍ୟମାନଙ୍କୁ ଏ କଥା କହିଲେ ବୋଲି ଅରୁଣ ସ୍ପଷ୍ଟୀକରଣ ଦେଇଥିଲେ। ସାଲୁଜା ଓ ଅରୁଣଙ୍କ ଏହି କଥା ଗୃହରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

ସମ୍ବନ୍ଧିତ ଖବର