ଆରମ୍ଭରୁ ବାଘନଦୀ ପୋଲ ଗାର୍ଡର ଭାଙ୍ଗିଲା

ବାଉଁଶୁଣି: ନିର୍ମାଣ ଆରମ୍ଭରୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ୍‌ ବାଉଁଶୁଣି ନିକଟ ଜାତୀୟ ରାଜପଥ ୫୭ର ବାଘନଦୀ ପୋଲର ଗାର୍ଡର ଭାଙ୍ଗିଲାଣି। ଆଗକୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପ୍ରକାଶ ଯେ, ବାଘନଦ‌ୀରେ ନୂଆ ପୋଲ ନିର୍ମାଣ କାମ ଚାଲିଛି। ଠିକା ସଂସ୍ଥା ଏଆର୍‌ଏସ୍‌ଏସ୍‌ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ପୋଲର ଖମ୍ବ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଗାର୍ଡରଗୁଡ଼ିକ ଖମ୍ବ ଉପରେ ରଖାଯାଉଛି। କିନ୍ତୁ ଖମ୍ବ ଉପରେ ରଖିବାକୁ ଥିବା ଏକ ଗାର୍ଡର ଶନିବାର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି କାମ ଚାଲୁଥିବା ବେଳେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପୁରୁଣା ବ୍ରିଜ ଉପରେ ରହି ଏହି କାମ ଦେଖୁଥିଲେ।

ଏଭଳି ସମୟରେ ଗୋଟିଏ ଗାର୍ଡର ଭାଙ୍ଗି ଯାଇଥିବା ଦେଖି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାରଣ ଆରମ୍ଭରୁ ଏଭଳି ଅବସ୍ଥା ଥିବା ବେଳେ ବ୍ରିଜର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭବିଷ୍ୟତରେ ଏଭଳି ଦୁର୍ବଳ ଛାତ ଯୋଗୁଁ ଦୁର୍ଘଟଣାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଗାର୍ଡର ଭାଙ୍ଗିବା ବିଷୟରେ କାମ ତଦାରଖ କରୁଥିବା ଜଣେ ବ୍ୟକ୍ତିଙ୍କୁ ପଚାରାଯିବାରୁ ଏହା ନିର୍ମାଣ ସମୟରେ ଭାଙ୍ଗିଛି ଏବଂ ଏହାକୁ ପୋଲରେ ଆଉ ଲଗାଯିବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର