ସ୍ବାଧୀନତୋତ୍ତର ଓଡ଼ିଶ‌ାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ହରେକୃଷ୍ଣ ମହତାବ। (ପୂର୍ବ ପ୍ରକାଶିତ ଉତ୍ତାରୁ...)

Advertisment

ମହତାବ-ବିଜୁ ସମ୍ପର୍କ ତିକ୍ତ: ଲୋକସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ

୧୯୬୨ ତୃତୀୟ ଲୋକସଭା ନିର୍ବାଚନରେ ଅନୁଗୁଳ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ହରେକୃଷ୍ଣ ମହତାବ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ସମୟରେ ଗଣତନ୍ତ୍ର ପରିଷଦ ଦଳ ସ୍ବତନ୍ତ୍ର ଦଳରେ ବିଲୀନ ହୋଇସାରିଥିଲା। ସେତେବେଳେ ଅନୁଗୁଳ ନିର୍ବାଚନମଣ୍ଡଳୀର ୪,୪୫,୧୬୫ ଭୋଟର ମଧ୍ୟରୁ ଅଧିକାଂଶ ଗଡ଼ଜାତବାସୀ। ବାମଣ୍ଡା (ଦେବଗଡ଼) ମଧ୍ୟରୁ ରେଢ଼ାଖୋଲ, ଆଠମଲ୍ଲିକ ଆଦି ପୂର୍ବଗଡ଼ଜାତ ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥିଲା। କିଛି ମାସ ଆଗରୁ ୧୯୬୧ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦ ଦଳ ବିଶେଷ ସଫଳତା ପାଇଥିଲା। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ ୧୯୬୨ ଜାନୁଆରିରେ ହେବା କଥା। ମାତ୍ର କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଯିବାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ (୨୫.୨.୧୯୬୧- ୨୩.୬.୧୯୬୧) ଲାଗୁ ହୋଇଥିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା। ୧୯୬୧ ଜୁନ୍ ୨ରୁ ୮ ତାରିଖ ମଧ୍ୟରେ ଭୋଟ୍‌ ଗ୍ରହଣ ହେଲା। ବ୍ୟାଲାଟ୍‌ ପେପରରେ ମୋହର ମାରିବା ପଦ୍ଧତିରେ ତାହା ଥିଲା ପ୍ରଥମ ନିର୍ବାଚନ। ସେତେବେଳେ ବିଜୁବାବୁଙ୍କ ବିରୋଧୀ ହୋଇ ଯାଇଥିଲେ ହରେକୃଷ୍ଣ ମହତାବ। ମହତାବ ବିଧାୟକ ପ୍ରାର୍ଥୀ ହେବାକୁ ମନାକରି ଦେଇଥିଲେ। ୧୪୦ରୁ ୮୨ ସଭ୍ୟଙ୍କୁ ଜିଣାଇ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ମନ୍ତ୍ରିମଣ୍ଡଳରେ ମହତାବଙ୍କ କେହି ଦୃଢ଼ ସମର୍ଥକ ସ୍ଥାନ ପାଇଲେ ନାହିଁ। ମହାତାବଙ୍କ ପୂର୍ବ ମିଳିତ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବୃନ୍ଦାବନ ନାୟକ ବିଜୁ ମନ୍ତ୍ରିମଣ୍ଡଳରେ ତଳ ପାହ୍ୟାକୁ ଆସି ଉପମନ୍ତ୍ରୀ ହୋଇ ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପଞ୍ଚାୟତ ବିଭାଗ ପାଇଲେ।

ତଥାପି ଅଲୋଡ଼ା ହେଲେ
ଅନୁଗୁଳ ଲୋକସଭା ଆସନରୁ ପୂର୍ବଥର(୧୯୭୫)ରେ ଗଣତନ୍ତ୍ର ପରିଷଦ ଦଳର ବଡ଼କୁମାର ପ୍ରତାପ ଗଙ୍ଗଦେବ ଜିଣିଥିଲେ। ସେ ଅନୁଗୁଳରୁ ପୁଣି ପ୍ରାର୍ଥୀ ହେବାକୁ ଚାହୁଁଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ହେଲେ ହରେକୃଷ୍ଣ ମହତାବ। ସ୍ବତନ୍ତ୍ର ଦଳରୁ ପ୍ରାର୍ଥୀ ହେବାକୁ ଶ୍ରଦ୍ଧାକର ସୂପକାରଙ୍କୁ କୁହାଗଲା। ଶ୍ରଦ୍ଧାକର ସୂପକାର ପୂର୍ବରୁ ୧୯୪୯ରେ ସ୍ବାଧୀନ ସଭ୍ୟ ଭାବରେ ସମ୍ବଲପୁର ସଦର ନିର୍ବାଚନମଣ୍ଡଳୀରୁ ଉପ-ନିର୍ବାଚନ ଜିଣିଥିଲେ। ସ୍ବାଧୀନତା ପରେ ପ୍ରଥମ ନିର୍ବାଚନ(୧୯୫୧-୫୨)ରେ ସମ୍ବଲପୁର-ରେଢ଼ାଖୋଲ ନିର୍ବାଚନମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଦଳରୁ ଜିଣି ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ। ପରବର୍ତ୍ତୀ ୧୯୫୭ ଲୋକସଭା ନିର୍ବାଚନରେ ସମ୍ବଲପୁର(ଦ୍ବୈତ) ନିର୍ବାଚନମଣ୍ଡଳୀରୁ ଗଣତନ୍ତ୍ର ପରିଷଦରୁ ଜିଣିଥା’ନ୍ତି। ୧୯୬୨ରେ ଅନୁଗୁଳ ଲୋକସଭା ନିର୍ବାଚନ ଲଢ଼ିବାକୁ ଶ୍ରଦ୍ଧାକର ସୂପକାର ମନାକଲେ। ସୁନ୍ଦରମଣି ପଟେଲ ସ୍ବତନ୍ତ୍ର ଦଳରୁ ପ୍ରାର୍ଥୀପତ୍ର ଦାଖଲ କଲେ। ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ଅତି ଘନିଷ୍ଠ ଥିଲେ ସୁନ୍ଦରମଣି ପଟେଲ। ଗଣତନ୍ତ୍ର ପରିଷଦ ଦଳରେ ତାଙ୍କ ପଦ ଓ ମର୍ଯ୍ୟାଦା ଉଲ୍ଲେଖନୀୟ ଥିଲା। ୧୯୫୯ରେ ଯେତେବେଳେ ମନ୍ତ୍ରୀ ଅନୁପ ସିଂହଦେଓ ଓ ଅନ୍ୟ କେତେକଙ୍କ ସହ ସୁନ୍ଦରମଣି ଗିରଫ ହୋଇ ଜେଲ୍‌ ଯାଇଥିଲେ।

ସୁନ୍ଦରମଣି ପଟେଲ ଅନୁଗୁଳର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀପତ୍ର ଦାଖଲ କରି ପରେ ପ୍ରତ୍ୟାହାର କରିନେଲେ। ଫଳତଃ ହରେକୃଷ୍ଣ ମହତାବ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚନ ଜିଣିଗଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହରରେ ଭିତିରି ସମ୍ପର୍କ ତଥା ବ୍ୟାପକ ଅର୍ଥ କାରବାର ସେ ସମୟରେ ପ୍ରଚାରିତ ହୋଇଥିଲା। ନିର୍ବାଚନ ଜିଣିବା ପରେ ମଧ୍ୟ ହରେକୃଷ୍ଣ ମହତାବ ଏକାକୀ ହୋଇଗଲେ। କେନ୍ଦ୍ରରେ ବିଜୁବାବୁଙ୍କ ଦବ୍‌ଦବା ଥିଲା। ଏଣୁ ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ (୨୩.୪.୧୯୪୬-୧୫-୮-୧୯୪୭), ମୁଖ୍ୟମନ୍ତ୍ରୀ (୧୫.୮.୧୯୪୭-୧୨.୫.୧୯୫୦ ଓ ୧୯.୧୦.୧୯୫୬-୨୫.୨.୧୯୬୧) ଓ କେନ୍ଦ୍ରମନ୍ତ୍ରୀ (୧୯.୫.୧୯୫୦-୧୩.୫.୧୯୫୨) ପରି ପଦବି ପାଇଥିବା ମହତାବ ଆଉ କେନ୍ଦ୍ରରେ ପଦପଦବି ପାଇଲେ ନାହିଁ। ସୁନ୍ଦରମଣି ପଟେଲ ପରେପରେ ରାଜ୍ୟସଭା ସଭ୍ୟ (୧୯୬୨-୧୯୬୮) ହେଲେ। ଶ୍ରଦ୍ଧାକର ସୂପକାର ମଧ୍ୟ ସ୍ବତନ୍ତ୍ର ଦଳର ରାଜା ମହେନ୍ଦ୍ର ବାହାଦୁର ଶଙ୍କର ପ୍ରତାପ ସିଂହଦେଓଙ୍କ ପରଲୋକ ପରେ ଅବଶିଷ୍ଟ ସମୟ )୧୯୬୫-୧୯୭୦) ପାଇଁ ରାଜ୍ୟସଭା ସଭ୍ୟ ହେଲେ।
ଅତାବିରା, ବରଗଡ଼, ମୋ:୯୪୩୮୨୧୪୮୭୮