ସ୍ବାଧୀନତୋତ୍ତର ଓଡ଼ିଶାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ନବକୃଷ୍ଣ ଚୌଧୁରୀ। (ପୂର୍ବ ପ୍ରକାଶିତ ଉତ୍ତାରୁ...)
ଆଜିକାଲିର ନିର୍ବାଚନରେ ରାଜନେତାମାନେ ଯଦି ନବକୃଷ୍ଣ ଚୌଧୁରୀଙ୍କ ପରି ସଚ୍ଚୋଟ ଆଭିମୁଖ୍ୟରୁ କାଣିଚାଏ ପୋଷଣ କରନ୍ତେ, ଏ ଅର୍ଥସର୍ବସ୍ବ ରାଜନୀତିର କାୟାକଳ୍ପ ପୂରା ବଦଳିଯାଆନ୍ତା। ନିର୍ବାଚନରେ ସ୍ବଚ୍ଛତା ପାଇଁ ନବକୃଷ୍ଣଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇ ଆଉଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ନିଜ 'ସ୍ମୃତି ଓ ଅନୁଭୂତି' ବହିରେ ଠାଏ ଲେଖିଛନ୍ତି, ‘‘...ଏକ ସଂଖ୍ୟାଲଘୁ ସରକାରକୁ ରକ୍ଷା କରିବା ପାଇଁ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିର ଅପମୃତ୍ୟୁ ସକାଶେ ସବୁ ପ୍ରକାରର ଆବଶ୍ୟକୀୟ ପନ୍ଥା ଆରମ୍ଭ ହୋଇଯାଇଥିଲା। ମନେଅଛି, ଗୋଟିଏ ଉପନିର୍ବାଚନ କଥା। ସେଥିପାଇଁ ବହୁତ ଖର୍ଚ୍ଚ ଦରକାର ପଡ଼ିଥିଲା। କେନ୍ଦୁଝରର ଜଣେ ଖଣି ମାଲିକ ମହମ୍ମଦ ସିରାଜଉଦ୍ଦିନଙ୍କର ଖଣିପଟା ସଂକ୍ରାନ୍ତୀୟ ଏକ ଫାଇଲ ସରକାରଙ୍କ ପାଖରେ ବିଚାରାଧୀନ ଅବସ୍ଥାରେ ରହିଥାଏ। ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀଙ୍କୁ ମୁଁ ସେତେବେଳେ କହିଥିଲି ଯେ ସେହି ଫାଇଲଟିରେ ଅନୁକୂଳ ଆଦେଶ ଦେଲେ କିଛି ଟଙ୍କା ମିଳିଯିବ ଏବଂ ଉକ୍ତ ଟଙ୍କା ନିର୍ବାଚନ ଖର୍ଚ୍ଚରେ ଲାଗିବ। ସେ ମୋତେ ସଫା କହିଦେଇଥିଲେ ଯେ ସେତେବେଳେ ସେ ଉକ୍ତ ଫାଇଲଟିରେ କୌଣସି ଆଦେଶ ଦେବେ ନାହିଁ। ଶେଷରେ ତାଙ୍କରି କଥା ରହିଥିଲା। ମହତ୍ ଉଦ୍ଦେଶ୍ୟ ତଥା ମହତ୍ ଲକ୍ଷ୍ୟର ପଥ ଅସାଧୁ କିମ୍ବା ସ୍ବାର୍ଥଜଡ଼ିତ ହୋଇନପାରେ, ତାହାହିଁ ଥିଲା ତାଙ୍କର ମତ।’’
ଦଳ ଓ ସରକାର ମଧ୍ୟରେ ଫରକ୍ ଦେଖୁଥିଲେ ନବକୃଷ୍ଣ
୧୯୫୫ ମସିହା। ନବକୃଷ୍ଣଙ୍କ ମନ୍ତ୍ରିମଣ୍ଡଳରେ ନୀଳମଣି ରାଉତରାୟ ସ୍ବରାଷ୍ଟ୍ର ବିଭାଗର ଉପମନ୍ତ୍ରୀ। ସମାଜବାଦୀ ପାର୍ଟି କର୍ମୀମାନେ ତିର୍ତ୍ତୋଲ ଥାନାଧିକାରୀଙ୍କୁ ପ୍ରବଳ ବିରୋଧ କରୁଥିବାରୁ ଦଳର ବିଧାୟକ ନିଶାମଣି ଖୁଣ୍ଟିଆଙ୍କୁ କଂଗ୍ରେସ ନେତା ଓ କର୍ମୀଙ୍କ ପ୍ରୋତ୍ସାହନରେ ପୁଲିସ ଗିରଫ କରି କଟକ କୋର୍ଟକୁ ହାତକଡ଼ି ଲଗାଇ ପଠାଇଲା। ସକାଳୁ ମୁଖ୍ୟମନ୍ତ୍ରୀ ଖବରକାଗଜରୁ ଏହା ଜାଣି ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ୧୯୫୫ ଫେବ୍ରୁଆରି ୧୯ରେ ବିଧାନସଭାରେ ଏହି ଘଟଣା ବିରୋଧରେ ମୁଲତବି ପ୍ରସ୍ତାବ ଆସିଲା। ବିଧାନସଭାରେ ଜବାବ ଦେବାକୁ ହେବ। ନିଶାମଣି ବାବୁଙ୍କ ପରି ଜଣେ ପ୍ରତିଷ୍ଠିତ ସମାଜବାଦୀ ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ ବୋଲି ସ୍ବୀକାର କରି ବିଧାନସଭାରେ ଦୁଃଖପ୍ରକାଶ କରିବେ ବୋଲି ସ୍ପଷ୍ଟ ହୋଇଥାଏ। କଂଗ୍ରେସ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଆଭିମୁଖ୍ୟକୁ ତାଙ୍କ ଦଳର ଅନେକ ବିଧାୟକ ପସନ୍ଦ କରୁ ନଥା’ନ୍ତି। ତେଣୁ ନୀଳମଣି ସମସ୍ତ କାଗଜପତ୍ର ଧରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ନିଷ୍ପତ୍ତିରୁ ଓହରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ନିଶାମଣିଙ୍କୁ ଗିରଫ କରି ଥାନାରେ ରଖାଯାଇଥିବା ବେଳେ ତାଙ୍କ ସମାଜବାଦୀ ପାର୍ଟିର କର୍ମୀମାନେ ତାଙ୍କୁ ଥାନାରୁ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କୁ କୋର୍ଟକୁ ନେବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପୁଲିସ ହାତକଡ଼ି ପକାଇବାକୁ ବାଧ୍ୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ବୁଝାଇଥିଲେ। ହେଲେ ନିଜ ବିବେକାନୁମୋଦିତ ବିଚାରରୁ ମୁଖ୍ୟମନ୍ତ୍ରୀ ଓହରିଲେ ନାହିଁ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା, ‘‘ଯଦିଓ ଏହା ଆଇନସମ୍ମତ, ସେତେବେଳେ ହାତକଡ଼ି ପକାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇ ନଥିବାରୁ ପୁଲିସର ଭୂମିକା ଅଯଥାର୍ଥ ଥିଲା।’’ କଂଗ୍ରେସ ସଦସ୍ୟମାନଙ୍କ ଅସନ୍ତୋଷ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନିଜକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରଖି ନିଜ ଆଭିମୁଖ୍ୟରେ ଅଟଳ ରହିଥିଲେ। ନୀଳମଣି ନିଜ ‘ସ୍ମୃତି ଓ ଅନୁଭୂତି’ ପୁସ୍ତକର ‘ପୁଲିସର ହାତକଡ଼ି ଓ ନବବାବୁ’ ଶିରୋନାମାରେ ଲେଖିଛନ୍ତି, ‘‘...ଗଣତନ୍ତ୍ର ଓ ସଂସଦୀୟ ରାଜନୀତିରେ ସରକାର ଓ ଦଳର ସ୍ବାର୍ଥ ମଧ୍ୟରେ ପାର୍ଥକ୍ୟ କ’ଣ ସେ କଥା ଶ୍ରୀ ଚୌଧୁରୀ ଯେପରି ବୁଝିଥିଲେ ଏବଂ ନିଜ ଦଳରେ ଅପ୍ରିୟ ହେଲେ ମଧ୍ୟ ଶାସନକୁ ଦୁର୍ନୀତିମୁକ୍ତ କରି ସମାଜବାଦୀ ଗଣତାନ୍ତ୍ରିକ ନୀତି ଓ ଆଦର୍ଶରେ ପରିଚାଳିତ କରିବା ପାଇଁ ତାଙ୍କର ଯେଉଁ ଆଗ୍ରହ ଥିଲା, ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ ତାହା ଲକ୍ଷ୍ୟ କରିନାହିଁ।’’ (କ୍ରମଶଃ...)