ପୁରୀ: ୧୮୯୩ ମସିହାରେ ଯୋଡ଼ା ଆଷାଢ଼ ପଡ଼ିବାରୁ ପୁରୀରେ ମହାପ୍ରଭୁଙ୍କର ନବକଳେବର ହେବାର ବିଧି ଥିଲା। ମାତ୍ର ପୁରୀର ତତ୍କାଳୀନ ମହାରାଣୀ ଏଥିରେ ସମ୍ମତି ପ୍ରକାଶ କଲେ ନାହିଁ। ତେଣୁ ଆଂଶିକ ନବକେଳବର ହୋଇଥିଲା। ସେହିବର୍ଷ ଜଗନ୍ନାଥବଲ୍ଲଭ ମଠରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବକଳେବର ହୋଇଥିଲା। ଜଗନ୍ନାଥ ମଠ ନୂତନ ମ୍ୟାନେଜର ତଥା ବ୍ରହ୍ମାନନ୍ଦ ସରସ୍ବତୀ ଶଙ୍କରାଚାର୍ଯ୍ୟ ନୂତନ କଳେବର କରାଇଥିଲେ। ଲକ୍ଷଲକ୍ଷ ଭକ୍ତ ଶ୍ରୀବିଗ୍ରହଙ୍କ ନବଯୌବନ ରୂପ ସଂଦର୍ଶନ ପାଇଁ ଛୁଟି ଆସିଥିଲେ। ମାତ୍ର, ଅନବସର ତାଟି ଫିଟିବାପରେ ଏହି ଅପୂର୍ବ ରୂପ ସଂଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ଯାତ୍ରୀଙ୍କ ପ୍ରବଳ ସମାଗମ ଦେଖି, ଦଳାଚକଟାର ଆଶଙ୍କା କରି ନବଯୌବନ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ୧୮୯୩ ମସିହାରେ ପ୍ରାୟ ୨ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ସେତେବେଳେ ଭକ୍ତମାନେ ଘରଭଡ଼ା ନେଇ ରହୁଥିଲେ। ହୋଟେଲ କିମ୍ବା ଲଜ୍ ବ୍ୟବସ୍ଥା ନଥିଲା। ତେବେ ଘରଭଡ଼ା ଅତିଶୟ ବୃଦ୍ଧି ଯୋଗୁ ଲୋକେ ଗଳିକନ୍ଦି ରାସ୍ତା ଓ ବାରନ୍ଦାରେ ପଡ଼ି ରହିଥିଲେ।
୧୮୯୩ ଜୁଲାଇ ୧୫ରେ ରଥଯାତ୍ରା ଓ ୧୪ ତାରିଖରେ ନବଯୌବନ ଯାତ୍ରା ଥିଲା। ଶ୍ରୀବିଗ୍ରହଙ୍କ ଅନବସର ତାଟି ଫିଟିବା ପରେ ଭକ୍ତମାନେ ଦର୍ଶନ କରିବାର ବିଧି ରହିଥିଲା। କିନ୍ତୁ ଭକ୍ତଙ୍କ ଭିଡ଼କୁ ଦେଖି ନବଯୌବନ ଦର୍ଶନ ବନ୍ଦ ରଖିବା ପାଇଁ ଆଦେଶ ଆସିଥିଲା। ତେଣୁ ପୂର୍ବଦିନ ରାତିରୁ ଏହି ବେଶ ଦର୍ଶନ ପାଇଁ ଚାରି ଦ୍ବାର ସମ୍ମୁଖରେ ଯାତ୍ରୀ ଭିଡ଼ ଜମେଇଥିଲେ ହେଁ ଚାରି ଦ୍ବାର ବନ୍ଦ ରଖାଯାଇ ପୁଲିସ ପ୍ରହରା ଦେଇଥିଲା। ସେଦିନ ମହାପ୍ରଭୁଙ୍କ ନୀତି ସରୁ ସରୁ ସକାଳ ହୋଇଗଲା। ବଡ଼ସିଂହାର ଭୋଗ ହୋଇପାରିଲା ନାହିଁ କି ମହାପ୍ରସାଦ ବିକ୍ରି ହୋଇପାରିଲା ନାହିଁ। ମନ୍ଦିର ମଧ୍ୟକୁ ଦର୍ଶନ ପାଇଁ ଛଡ଼ା ନଯିବାରୁ ସୂପକାରମାନେ ମହାପ୍ରସାଦ ରାନ୍ଧିଥିଲେ ହେଁ ବିକ୍ରି କରି ନ ପାରି କ୍ଷତି ସହିଲେ। କିଛି ସେବକ ମହାପ୍ରସାଦ ଶିକା ମାଧ୍ୟମରେ ପାଚେରି ଲଙ୍ଗି ବାହାରକୁ ଆଣିଲେ। ତେବେ ତାହା ମହାପ୍ରସାଦକୁ ଚାହିଁ ବସିଥିବା ଯାତ୍ରୀଙ୍କ ଆବଶ୍ୟକତା ମେଣ୍ଟାଇପାରି ନ ଥିଲା। ସେହିବର୍ଷ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହମାନେ ରଥାରୂଢ଼ ହେବାବେଳକୁ ରାତି ୧୨ଟା ବାଜି ସାରିଥିଲା। ଠାକୁର ରଥ ଉପରେ ବିଜେ କରିବା ମାତ୍ରେ ଭକ୍ତମାନେ ରଥ ଉପରେ ଚଢ଼ିଯାଇଥିଲେ। ଫଳରେ ପ୍ରଭା ଉପରେ ଠାକୁରମାନଙ୍କୁ ରୁନ୍ଧା ହୋଇପାରିଲା ନାହିଁ। ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତମାନେ ଉତ୍କଣ୍ଠାରେ ରଥ ଉପରେ ଚଢ଼ି ମହାପ୍ରଭୁଙ୍କୁ ସ୍ପର୍ଶ କରି ଥିବାରୁ ଶ୍ରୀବିଗ୍ରହଙ୍କ ମୁଖାରବିନ୍ଦ ମଳିନ ଓ ବିବର୍ଣ୍ଣ ହୋଇଯାଇଥିଲା। ୫ ଦିନ ବିତିସାରିଥିଲେ ସୁଦ୍ଧା ସମସ୍ତ ରଥ ଗୁଣ୍ଡିଚା ଘର ନିକଟରେ ପହଞ୍ଚି ପାରି ନଥିଲା। ୧୯ ତାରିଖ ଦିନ ହେରା ପଞ୍ଚମୀ ଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡିଠାରେ ପହଞ୍ଚିଥିଲା। ତେଣୁ ସେଇ ବଳଗଣ୍ଡିରେ ହେରାପଞ୍ଚମୀ ନୀତି ସମ୍ପାଦିତ ହୋଇଥିଲା।