ସ୍ବାଧୀନତୋତ୍ତର ଓଡ଼ିଶ‌ାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ରାଜେନ୍ଦ୍ର ନାରାୟଣ ସିଂହଦେଓ। (ପୂର୍ବ ପ୍ରକାଶିତ ଉତ୍ତାରୁ...)

Advertisment

ତଦାନୀନ୍ତନ ପାଟଣା ରାଜ୍ୟର ଶେଷ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବାରେ ପ୍ରଥମ ରଜା ଥିଲେ। ତେବେ ରାଜ୍ୟରେ, ବିଶେଷ କରି ପଶ୍ଚିମ ଓ ମଧ୍ୟ ଓଡ଼ିଶାରେ, ତାଙ୍କ ପରି ଶାସନ ହରାଇଥିବା ରାଜାମହାରାଜାମାନଙ୍କର ନେତୃତ୍ବ ନେଇ ଗଣତନ୍ତ୍ର ପରିଷଦ ଗଢ଼ିଲେ। ଫଳରେ ଓଡ଼ିଶାରେ କଂଗ୍ରେସକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇବା ପାଇଁ ୧୯୬୧ ବିଧାନସଭା‌ ନିର୍ବାଚନ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରଥମ ତିନୋଟି ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ବରେ ଗଣତନ୍ତ୍ର ପରିଷଦ ଯଥାକ୍ରମେ ୩୧, ୫୧ ଓ ୩୭ଟି ଆସନ ପାଇ କଂଗ୍ରେସ ତଳକୁ ଦ୍ବିତୀୟ ସ୍ଥାନରେ ରହିଥିଲା। ୧୯୫୧-୫୨ ଲୋକସଭା ନିର୍ବାଚନରେ ମଧ୍ୟ ଓଡ଼ିଶାରୁ ତାଙ୍କ ସମେତ ୬ଟି ଆସନରେ ଗଣତନ୍ତ୍ର ପରିଷଦ ବିଜୟୀ ହୋଇଥିଲା। ଦ୍ବିତୀୟ ସାଧାରଣ ନିର୍ବାଚନଠାରୁ ସେ ଆଉ ଲୋକସଭାରେ ନ ଲଢ଼ି କ୍ରମାଗତ ଭାବେ ବିଧାନସଭା ନିର୍ବାଚନ ଲଢ଼ି ଶେ‌ଷ ଯାଏ ଅପରାଜେୟ ରହିଥିଲେ। ତେବେ ୧୯୬୧ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ପ୍ରଥମ ଥର ପାଇଁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବା ପରେ ସେ ନିଜ ଦଳ ଗଣତନ୍ତ୍ର ପରିଷଦକୁ ସର୍ବଭାରତୀୟ ଦଳ ସ୍ବତନ୍ତ୍ର ପାର୍ଟି ସହ ମିଶ୍ରଣ କରାଇଲେ।

ସର୍ବାଧିକ କାଳ ବିଧାନସଭାରେ ବିରୋଧୀ ଦଳ ନେତା
ଆଗ ମୁଖ୍ୟମନ୍ତ୍ରୀ ଓ ପରେ ଉପମୁଖ୍ୟମନ୍ତ୍ରୀ ହେବାର ଅଲୋଡ଼ା ରେକର୍ଡ଼
୧୯୭୪ ଯାଏ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଯୋଉଠି ଯାହାକୁ ଛିଡ଼ା କରିଥିଲେ, ସେ ଜିତିଥିଲା (ଏକମାତ୍ର ବ୍ୟତିକ୍ରମକୁ ଛାଡ଼ିଦେଲେ)

୧୯୬୧ରୁ ୬୭ ବିଜୁ-ବୀରେନ-ସଦାଶିବ -ଏହି ତିନି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସମୟରେ ସିଂହଦେଓ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ। ୧୯୬୭ ନିର୍ବାଚନରେ ସ୍ବତନ୍ତ୍ର ଦଳ ୪୯ ଆସନ ସହ ଓଡ଼ିଶାରେ ଏକକ ସଂଖ୍ୟାଗରିଷ୍ଠ ଦଳ ହେଲା। କଂଗ୍ରେସ(୩୧) ପଛକୁ ତୃତୀୟ ସ୍ଥାନରେ ଥିବା ମହତାବଙ୍କ ଜନକଂଗ୍ରେସ(୨୬) ସହ ମିଶି ସିଂହଦେଓଙ୍କ ନେତୃତ୍ବରେ ମିଳିତ ସରକାର ଗଢ଼ାହେଲା। ୧୯୭୧ ନିର୍ବାଚନ ଯାଏ ସେ ମୁଖ୍ୟମନ୍ତ୍ରୀ ରହିଲେ। ତେବେ ୧୯୭୧ ନିର୍ବାଚନରେ ତାଙ୍କ ଦଳର ଆସନ ସଂଖ୍ୟା ୩୧କୁ ଖସିଲା। ଇନ୍ଦିରା ଗାନ୍ଧିଙ୍କ ଶାସକ କଂଗ୍ରେସ(୫୧) ସହ ମିଶି ବିଶ୍ବନାଥ ଦାସଙ୍କ ନେତୃରେ ଗଠିତ ନୂଆ ମିଳିତ ସରକାରରେ ଉପମୁଖ୍ୟମନ୍ତ୍ରୀ ହେଲେ ସିଂହଦେଓ।

ଆଗ ମୁଖ୍ୟମନ୍ତ୍ରୀ ରହିସାରି ପରେ ଉପମୁଖ୍ୟମନ୍ତ୍ରୀ ହେବାର ଅଲୋଡ଼ା ରେକର୍ଡ଼ର ଅଧିକାରୀ ହେଲେ। ୧୯୭୨ରେ ନନ୍ଦିନୀ ଶତପଥୀଙ୍କ ସରକାର ବେଳେ ସିଂହଦେଓ ପୁଣି କିଛିକାଳ ପାଇଁ ବିଧାନସଭାରେ ବିରୋଧୀ ଦଳ ନେତା ହେଲେ। ୧୯୭୪ରେ କଂଗ୍ରେସ(୬୯) ଓ ବିଜୁବାବୁଙ୍କ ଉତ୍କଳ କଂଗ୍ରେସ(୩୫) ପଛକୁ ତାଙ୍କ ସ୍ବତନ୍ତ୍ର ଦଳ(୨୧) ତୃତୀୟ ସ୍ଥାନକୁ ଖସିବା ଫଳରେ ଶେଷଆଡ଼କୁ ତାଙ୍କ ପ୍ରଭାବ କ୍ଷୁଣ୍ଣ ହୋଇଥିଲା। ତେବେ ପ୍ରତିଥର ସିଂହଦେଓ କେବଳ ନିଜେ ବହୁ ଭୋଟ୍‌ରେ ପ୍ରତିଟି ନିର୍ବାଚନ ଜିତୁଥିଲେ, ତାହା ନୁହେଁ, ନିଜ ଜିଲ୍ଲା ଅବିଭକ୍ତ ବଲାଙ୍ଗୀରରେ ଥରେ କେବଳ ବୀରମହାରାଜପୁର(୧୯୭୪)କୁ ଛାଡ଼ିଦେଲେ ତାଙ୍କ ଦଳର ସମସ୍ତ ପ୍ରାର୍ଥୀ ଉପରୋକ୍ତ ସବୁ ନିର୍ବାଚନରେ ଅବିଭକ୍ତ ବଲାଙ୍ଗୀରର ସବୁ ଆସନରେ ବହୁ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ହରାଉଥିଲେ। ବିଭିନ୍ନ ନିର୍ବାଚନରେ ନନ୍ଦିକିଶୋର ମିଶ୍ର, ରାଧାମୋହନ ମିଶ୍ରଙ୍କ ପରି ଏକାଧିକ ଅନୁଗତ ନେତାଙ୍କର ଆସନ ବଦଳାଇ ମଧ୍ୟ ସେମାନଙ୍କୁ ଜିତାଇ ଆଣୁଥିଲେ। ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଡା. ରାମପ୍ରସାଦ ମିଶ୍ର ଏଥିରେ ଥରେ ବ୍ୟତିକ୍ରମ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ୧୯୭୧ରେ ଡା.ମିଶ୍ର ଲୋଇସିଂହାରୁ କଂଗ୍ରେସ ଟିକଟରେ ପ୍ରାର୍ଥୀ ହୋଇ ସିଂହଦେଓଙ୍କ ମନୋନୀତ ପ୍ରାର୍ଥୀ ନନ୍ଦିକିଶୋର ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ। ୧୯୭୪ରେ ସ୍ବର୍ଗତ ଡା. ମିଶ୍ର ପୁଣି ସିଂହଦେଓଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳରୁ ଲଢ଼ି ଜିତିପାରିଥିଲେ।