ସ୍ବାଧୀନତୋତ୍ତର ଓଡ଼ିଶ‌ାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ଡ. ହରେକୃଷ୍ଣଙ୍କ ମହତାବ। (ପୂର୍ବ ପ୍ରକାଶିତ ଉତ୍ତାରୁ...)

Advertisment

publive-image

ନିର୍ବାଚନୀ ରାଜନୀତିରେ ବ୍ୟକ୍ତିଗତ ସ୍ତରରେ ଅପରାଜେୟ ରହିଥିବା ଏହି ସାହିତ୍ୟିକ, ବୁଦ୍ଧିଜୀବୀଙ୍କର ଓଡ଼ିଶାରେ ଏକ ବଡ଼ ଅନୁଗତ ଓ ସମର୍ଥକ ଗୋଷ୍ଠୀ ଥିଲେ। କୌଣସି ନିର୍ବାଚନରେ ରାଜ୍ୟ ରାଜନୀତିର ଅନ୍ୟ ସମକାଳୀନ ପ୍ରମୁଖ ରାଜନେତାଙ୍କ ସହ ମୁହାଁମୁହିଁ ହେଲେ ମହତାବ ଏକାଧିକ ଥର ସେମାନଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇବା କେବଳ ତା’ର ପ୍ରମାଣ ନୁହେଁ। ଉପକୂଳ ଓଡ଼ିଶାରେ ବିଶେଷ କରି କଟକ-ଭୁବନେଶ୍ବର, ଅନୁଗୁଳ-ଢେଙ୍କାନାଳ ଓ ଅବିଭକ୍ତ ବାଲେଶ୍ବରରେ ତାଙ୍କର ପ୍ରଭାବ ଥିଲା। ୧୯୬୭ ବିଧାନସଭା ନିର୍ବାଚନରେ ତାଙ୍କ ଜନକଂଗ୍ରେସ ୨୬ଟି ଆସନ ପାଇ ସ୍ବତନ୍ତ୍ର (୪୯) ଓ କଂଗ୍ରେସ(୩୧) ପଛକୁ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ରାଜ୍ୟରେ ମହତାବ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା କରାଇଥିଲେ। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରରେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ -ଏହି ତିନୋଟି ପଦବିର ଅଧିକାରୀ ହେବାରେ ସେ ଥିଲେ ପ୍ରଥମ ଓଡ଼ିଆ। ତାଙ୍କ ପରେ ଏ ଯାଏ ଓଡ଼ିଶାରୁ କେବଳ ଜାନକୀବଲ୍ଲଭ ପଟ୍ଟନାୟକ ଏପରି ବିରଳ ରାଜନୈତିକ କୃତିତ୍ବର ଅଧିକାରୀ ହୋଇଛନ୍ତି। (କ୍ରମଶଃ...)