ମା’ ସମଲେଶ୍ବରୀଙ୍କ ମନ୍ଦିରର ଶୁଭ୍ର ଜ୍ୟୋତ୍ସ୍ନାରେ ଭକ୍ତ ବିମୁଗ୍ଧ ହେଉଛନ୍ତି। ପୀଠରେ ସ୍ୱର୍ଗୀୟ, ଦିବ୍ୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଂଗରାଜ ମନ୍ଦିରର ପ୍ରକଳ୍ପ ପରେ ରାଜ୍ୟ ସରକାର ସମଲେଇ ପ୍ରକଳ୍ପକୁ ସରକାର ହାତକୁ ନେଇଥିଲେ। ସମଲେଇ ପ୍ରକଳ୍ପ (ସମଲେଶ୍ବରୀ ଟେମ୍ପଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ୍ ଇକୋନମିକ୍ ଇନିସିଏଟିଭ୍)ର ରୂପରେଖ ପ୍ରସ୍ତୁତ ପାଇଁ ୨୦୨୧ ଫେବ୍ରୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ମେ’ ୪ ତାରିଖ କାମ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ କାମ ୫-ଟି’ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ଶ୍ରୀ ପାଣ୍ଡିଆନ ନିୟମିତ ବ୍ୟବଧାନରେ ସମ୍ବଲପୁର ଆସି ପ୍ରକଳ୍ପର ସମୀକ୍ଷା କରିଥିଲେ। ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକମାନଙ୍କ ବିଶ୍ରାମ ଗୃହ, ଭକ୍ତମାନଙ୍କ ଜିନିଷପତ୍ର ରଖିବା ପାଇଁ କ୍ଲୋକ୍ ରୁମ୍, ପ୍ରସାଦସେବନ ଗୃହ, ଦୀପଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, କାଫେଟେରିଆ ଆଦି ନିର୍ମିତ ହୋଇଛି। ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳରେ ପରିକ୍ରମାର କରିଡର ନିର୍ମାଣ କରାଯାଇଛି। ଏସବୁ କାର୍ଯ୍ୟ ଖଣ୍ଡଲାଇଟ୍ ପଥରରେ ନିର୍ମିତ ହୋଇଛି। ପାର୍କିଂସ୍ଥଳରେ ୨୦୦ଟି ଚାରିଚକିଆ ଗାଡ଼ି ଓ ୨୦ ବସ୍ ରହିବାର ବ୍ୟବସ୍ଥା ହୋଇଛି।
୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ
ଶନିବାର ସକାଳ ସାଢ଼େ ୧୦ଟା ଠାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଚାଲିଥିଲା। ପୂର୍ବରୁ ଅଙ୍କୁରୋପଣ, ଅଧିବାସ ସଂପନ୍ନ ହୋଇଥିବା ବେଳେ ଆଜି ୨୭ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇଛି। ପଣ୍ଡିତ ମହେନ୍ଦ୍ର ପୂଜାରୀଙ୍କ ତତ୍ତ୍ବାବଧାନରେ ମୁଖ୍ୟତଃ ୩୦ ଜଣ ପଣ୍ଡିତ ହୋମଯଜ୍ଞ କାର୍ଯ୍ୟ ସଂପାଦନ କରୁଛନ୍ତି। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସପତ୍ନୀକ କର୍ତ୍ତା ଦାୟିତ୍ବ ତୁଲାଇଛନ୍ତି। ପଶ୍ଚିମ ଓଡ଼ିଶା ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର ହେଉଛନ୍ତି ମ।’ ସମଲେଶ୍ୱରୀ। ଯିଏ ଯେଉଁଠି ବସବାସ କରୁଥିଲେ ସୁଦ୍ଧା ପଶ୍ଚିମ ଓଡ଼ିଶାବାସୀ ସଦାସର୍ବଦା ମା’ ସମଲେଶ୍ୱରୀଙ୍କ ପ୍ରତି ନିଜ ଭକ୍ତି ଓ ଶ୍ରଦ୍ଧାଭାବ ଅର୍ପଣ କରିଥାନ୍ତି। ସେହି ଭକ୍ତି ଓ ଶ୍ରଦ୍ଧା ହେଉଛି ଏହି ସମଲେଇ ପ୍ରକଳ୍ପର ମୂଳ ଉପାଦାନ ଓ ଆଧାର। ମୁଖ୍ୟ ମଣ୍ଡପ ଓ ଅନ୍ୟ ୪ଟି ମଣ୍ଡପରେ ହୋମର ଅନୁଷ୍ଠାନ ହେଉଛି। ମ।’ଙ୍କ ଆରାଧନାରେ ସ୍ୱତନ୍ତ୍ର ଭାବେ ଚଣ୍ଡୀପାଠର ମଧ୍ୟ ଅନୁଷ୍ଠାନ କରାଯାଇଛି। ୩୧ ତାରିଖ ଯଜ୍ଞର ପୁର୍ଣ୍ଣାହୂତି ପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି, ବିଶ୍ୱଶାନ୍ତି ଓ ମାନବ ଜାତିର କଲ୍ୟାଣ ପାଇଁ ମା’ ସମଲେଶ୍ୱରୀଙ୍କ ବିଶେଷ ଆରାଧନା କରାଯାଉଛି।
/sambad/media/post_attachments/wp-content/uploads/2024/01/gdjgdgjdgg.jpg)
ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ
ମା’ ସମଲେଶ୍ବରୀଙ୍କ ପୀଠକୁ ଦୈନିକ ବର୍ତ୍ତମାନ ୫ରୁ ୧୦ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜାପାର୍ବଣ ଦିନରେ ୫୦ ହଜାରରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହା ସହିତ ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାରମାନେ ମଧ୍ୟ ଅଧିକ ରୋଜଗାର ସୁଯୋଗ ବୃଦ୍ଧି ପାଇବ। ପ୍ରକଳ୍ପର ଲୋକର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମିସନ ଶକ୍ତି କାଫେ ପରିଦର୍ଶନ କରି ମା’ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ।
ରାଜ୍ୟ ବାହାରୁ ବି ଆସିଛନ୍ତି ପୂଜକ
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ତଥା ବାହାରର ପୂଜକ ଓ ପଣ୍ଡିତମାନେ ଯୋଗ ଦେଇଛନ୍ତି। ଓଡ଼ିଶା ବାହାରେ ଥିବା ସମେଇଲ ମନ୍ଦିରରୁ ପୂଜକମାନେ ବି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ସମେଲଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ବିଭିନ୍ନ ମଠ, ମନ୍ଦିରକୁ ଯାଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।
/sambad/media/post_attachments/wp-content/uploads/2024/01/dgjdgjggj.jpg)
ଗୋପାଳଜୀ ମଠର ବି ପୁନରୁଦ୍ଧାର ହୋଇଛି
ସମଲେଶ୍ବରୀ ମନ୍ଦିରର ଐତିହ୍ୟ ସହ ଜଡ଼ିତ ଶ୍ରୀଗୋପାଳଜୀ ମଠ। ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ଶ୍ରୀଗୋପାଳଜୀ ମଠ ସହିତ ଅନ୍ୟ ସମସ୍ତ ଐତିହାସିକ ସ୍ଥାନକୁ ସଂପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ସୁରକ୍ଷା ଓ ଭକ୍ତମାନଙ୍କ ଆଧ୍ୟାତ୍ମିକ ଭାବାବେଗକୁ କେନ୍ଦ୍ରରେ ରଖି ପ୍ରକଳ୍ପ କାର୍ଯ୍ୟ କରାଯାଇଛି। ପ୍ରକଳ୍ପରେ ଜମି ଯାଇଥିବାରୁ ଅର୍ଥ ନେବାକୁ ଆମେ ମନା କରିଥିଲୁ। ପ୍ରତିବଦଳରେ ମଠର ନବୀକରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ସେହି ଅନୁସାରେ ସୁନ୍ଦର କାମ କରିଛନ୍ତି। ତଳେ ଏକ ଯଜ୍ଞମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଉପର ମହଲାରେ ସନ୍ଥନିବାସ କରାଯାଇଛି। ଏକ ଗୋଶାଳା ବି ନିର୍ମାଣ କରାଯାଇଛି। ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି।
-ମହନ୍ତ ହୃଷୀକେଶ ଦାସ, ମହନ୍ତ, ଗୋପାଳଜୀ ମଠ
ଖୁବ ସୁନ୍ଦର
ହୋଇଛି ପରିବେଶ
୫/୬ ବର୍ଷ ତଳେ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲି। ଆଜି ସମଲେଶ୍ବରୀ ମନ୍ଦିରର ପରିବେଶ ଦେଖି ମୁଁ ଅଭିଭୂତ ହୋଇଯାଇଛି। ବହୁତ ଭଲ ଲାଗୁଛି। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ।
-ଝୁନିତା ବିଶ୍ବାଳ, ଭକ୍ତ, କିଶୋରନଗର, ଅନୁଗୁଳ
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଭକ୍ତମାନେ ଏଣିକି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ପୂଜକଙ୍କ ଠାରୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଛି। ପାର୍କିଂର ଉତ୍ତମ ବ୍ୟବସ୍ଥା ହୋଇଛି। ଏଣିକି ପୂର୍ବାପେକ୍ଷା ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ଆଶା ରହିଛି। ସୁନ୍ଦର ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।
-ଅମ୍ବିକା ରାୟ, ମୁଖ୍ୟ ପୂଜକ, ସମଲେଶ୍ବରୀ ମନ୍ଦିର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/hffshsfhfh.jpg)