୪ ବର୍ଷର ଅଧ୍ୟବସାୟ ଫଳ
ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଡା. ଶୁଭଙ୍କରି ସୁଦେ‌ଷ୍ଣା ଦାଶ। ଜଣେ ପଶୁରୋଗ ବିଶେଷଜ୍ଞ (ଡାକ୍ତର) ହୋଇଥିବା ବେଳେ ପ୍ରାଶାସନିକ ସେବା ତାଙ୍କର ଲକ୍ଷ୍ୟ ଥିଲା। ଏଥିପାଇଁ ୨୦୧୮ମସିହାରୁ କଠିନ ଅଧ୍ୟବସାୟ ଜାରି ରଖିଥିଲେ। ଏଥିରେ ପଥପ୍ରଦର୍ଶକ ଭାବେ ଓଏଫଏସ୍‌ ମାନସରଂଜନ ଦାସ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ। ୨୦୧୯ରେ ପ୍ରଥମ ଓସିଏସ୍‌ ପରୀକ୍ଷା ଦେଇଥିବା ବେଳେ ପ୍ରିଲିମିନାରି‌ରେ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଥିଲେ। ତଥାପି ହାର୍‌ ନମାନି ଅଧ୍ୟବସାୟ ଜାରି ରଖିବା ସହ ୨୦୨୦ରେ ପୁଣି ଥରେ ଓସିଏସ୍‌ ପରୀକ୍ଷା ଦେଇଥିଲେ। ଆଉ ଏଥିରେ ସଫଳତା ଲାଭ କରିଛନ୍ତି।

Advertisment

ବାପା ବିଜୟ କୁମାର ଦାଶ ଭୁବନେଶ୍ବର ସ୍ଥିତ ଏକାମ୍ର କଲେଜର ପ୍ରାଣୀବିଜ୍ଞାନ ବିଭାଗ ଅଧ୍ୟାପକ ଥିବା ବେଳେ ମା ମନୋରମା ଦାଶ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ। ବାଙ୍କିର ସେ ମୂଳ ବାସିନ୍ଦା ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରେ ତାଙ୍କ ପରିବାର ସହ ସୁଦେଷ୍ଣା ରହୁଥିଲେ। ଗତ ୮ମାସ ହେବ ସେ ବ୍ରହ୍ମପୁରରେ ଏକ ଘର ଭଡ଼ା ନେଇ ରହିବା ସହ ଅଧ୍ୟବସାୟ ଜାରି ରଖିଥିଲେ। ଆଗକୁ ଭାରତୀୟ ପ୍ରାଶାସନିକ ସେବା (ଆଇଏଏସ୍‌) ପାଇଁ ମଧ୍ୟ ପ୍ରସ୍ତୁତ ହେବେ। ତେବେ ଓଡ଼ିଶାରେ ରହି ରାଜ୍ୟବାସୀଙ୍କ ସେବା କରିବା ହିଁ ତାଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
ଶୁଭଙ୍କରି ସୁଦେ‌ଷ୍ଣା ଦାଶ, ଦ୍ବିତୀୟ

ନାରୀ ସଶକ୍ତୀକରଣକୁ ଗୁରୁତ୍ବ ଦେବି
ଏଥର ପରୀକ୍ଷା ଆହ୍ବାନପୂର୍ଣ୍ଣ ଥିଲା। କଠିନ ପରିଶ୍ରମ କରିବାକୁ ପଡ଼ିଲା। ଆଜିର ସଫଳତା ନେଇ ବହୁତ ଖୁସି ଲାଗୁଛି। ପରୀକ୍ଷା ପାଇଁ ପ୍ରସ୍ତୁତି ବହୁତ ସାଧାରଣ ରହିଥିଲା। ପୂର୍ବବର୍ଷ ପ୍ରଶ୍ନପତ୍ର ଓ ସିଲାବସ୍‌କୁ ଆଖି ଆଗରେ ରଖି ବିଷୟଗୁଡ଼ିକ ପଢ଼ୁଥିଲି। ଯେହେତୁ ଗ୍ରାଜୁଏସନ୍‌ରେ ଅର୍ଥନୀତି ବିଭାଗ ଥିଲା ତେଣୁ ମୋତେ ଓପିଏସ୍‌ସି ପରୀକ୍ଷାର ଅପସନାଲ୍, ଜେନେରାଲ ଷ୍ଟଡ଼ିଜ୍ ଓ ଇଣ୍ଟରଭ୍ୟୁ ମଧ୍ୟ ସେହି ଅନୁଯାୟୀ ପ୍ରଶ୍ନ ଆସିଥିଲା। ଇଣ୍ଟରଭ୍ୟୁ ଗାଇଡାନ୍ସ୍ ପାଇଁ କୋଚିଂ ନେଇଥିଲି। ଇଣ୍ଟରଭ୍ୟୁରେ ୧୫/୨୦ ମିନିଟ୍ ପର୍ଯ୍ୟନ୍ତ ପ୍ରଶ୍ନ କରିଥିଲେ। ଏଥିସହ ଅନ୍ୟ କିଛି ପ୍ରଶ୍ନ କରିବା ପରେ ଆଗାମୀ ଦିନର ଲକ୍ଷ୍ୟ କଥା ମଧ୍ୟ ପଚାରିଥିଲେ। ବାପା ଲୋକନାଥ ବେହେରା, ମା’ ଜୟନ୍ତୀ ବେହେରା ଓ ପରିବାରର ପ୍ରତିଟି ସଦସ୍ୟ ମୋତେ ପଢିବା ପାଇଁ ବହୁତ ସାହାଯ୍ୟ କରିଛନ୍ତି। ଲୋକଙ୍କ ସେବା କରିବାକୁ ମୋତେ ଗୋଟେ ପ୍ଲାଟଫର୍ମ ମିଳିଯାଇଛି। କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବି। ନାରୀ ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବି।
ତେଜସ୍ବିନୀ ବେହେରା, ପ୍ରଥମ

publive-image

ପରିଶ୍ରମ ହିଁ ସଫଳତାର ଚାବିକାଠି
ବରଗଡ଼ ସିମେଣ୍ଟ ନଗରର ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଅନନ୍ୟାଙ୍କ ମାଆ ବନ୍ଦନା କର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଭାବେ କାର୍ଯ୍ୟରତ ଅଛନ୍ତି l ଅନନ୍ୟା ଏହି ସଫଳତାର ଶ୍ରେୟ ମାଆ, ଅଜା-ଆଈ, ମାମୁଁ-ମାଇଁ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁଙ୍କୁ ଦେଇଛନ୍ତି। ଅନନ୍ୟା କହିଛନ୍ତି, ପାଠପଢ଼ିବା ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ ବହୁ ପରିଶ୍ରମ କରୁଥିଲେ। ପରିଶ୍ରମ ହିଁ ସଫଳତାର ଚାବିକାଠି। ରାଜ୍ୟର ଯେକୌଣସି ସ୍ଥାନରେ କାର୍ଯ୍ୟ କଲେ ମଧ୍ୟ ଖୁସିର ସହ ଦାୟିତ୍ବ ତୁଲାଇବେ ବୋଲି ସେ କହିଛନ୍ତି।
ଅନନ୍ୟା ସୃଷ୍ଟି ଶତପଥୀ, ତୃତୀୟ

publive-image

କଠିନ ପରିଶ୍ରମ ପରେ ସଫଳ
ପରୀକ୍ଷା ପୂର୍ବରୁ ଆପ୍ଟିପ୍ଲସ୍‌ରେ କୋଚିଂ ନେବାକୁ ଯାଇଥିଲି। ସେଠାରୁ ସରିବା ପରେ ନିଜେ ନିଜେ ପ୍ରସ୍ତୁତି ଆରମ୍ଭ କରିଥିଲି। ୨୦୧୯ରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଭାବେ ନିଯୁକ୍ତି ପାଇଥିଲି। ପରେ ଓଡ଼ିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍‌ରେ ପରୀକ୍ଷା ଦେଇ ୫ମ ରାଙ୍କ ପାଇବା ସହ ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ଏକ୍‌ଜିକ୍ୟୁଟିଭ୍ ଅଫିସର ଭାବେ ନିଯୁକ୍ତି ପାଇଲି। ତା’ପରେ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଖୁସି ଲାଗୁଛି। ବାପା ସଦାନନ୍ଦ କର ଓ ମା’ ମମତାରାଣୀ କରଙ୍କ ପରାମର୍ଶ ସହାୟକ ହେଲା।
ଦେବବ୍ରତ କର, ୪ ନମ୍ବର