ଝାରସୁଗୁଡ଼ା: ମାର୍ଚ୍ଚ ମାସରୁ ଲାଗି ରହିଛି ଗ୍ରୀଷ୍ମପ୍ରବାହ। ସହରରୁ ଗ୍ରାମାଞ୍ଚଳ ପ୍ରଚଣ୍ଡ ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ଝାରସୁଗୁଡ଼ାରେ ତାପମାତ୍ରା ୪୪/୪୫ ଡିଗ୍ରି ଭିତରେ ରହୁଥିବା ବେଳେ ସ୍ଥଳ ବିଶେଷରେ ଏହି ତାପମାତ୍ରା ଅଧିକ ଅନୁଭୂତ ହେଉଥିବା ରେକର୍ଡ କରାଯାଇଛି। ଗତ ସପ୍ତାହେ ହେଲା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଓ ବିଗତ ବର୍ଷ ଗ୍ରୀଷ୍ମ ମଝିରେ କାଳ ବୈଶାଖୀର ପ୍ରଭାବରେ ସାମାନ୍ୟ ବର୍ଷା ହେଉଥିବାରୁ ଲୋକେ ସାମନ୍ୟ ଆଶ୍ବସ୍ତି ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେଉ ନଥିବାରୁ ଗରମ ବୃଦ୍ଧି ପାଉଛି। ଚଳିତ ବର୍ଷ ନିର୍ମଳ ଆକାଶରୁ ଯେପରି ନିଆଁ ବର୍ଷୁଛି, ଦିନ ରାତି ଗରମରେ ତ୍ରାହି ଛାଡ଼ିଲେଣି ଲୋକେ। ଏଭଳି ପରିସ୍ଥିତିରେ ବିଭିନ୍ନ କଳକାରଖାନାର ଚିମିନିରୁ ଗରମ ପବନ ବୋହି ପରିବେଶ ଆହୁରି ଜଟିଳ କରି ପକାଉଛି।
କୌଣସି ସ୍ଥାନରେ ମେଘୁଆ ପାଗ କିମ୍ବା ସାମନ୍ୟ ବର୍ଷାର ନାଁ ନାହିଁ। ଝାରସୁଗୁଡ଼ା ସହର ସମେତ ଆଖାପାଖ ବିଭିନ୍ନ ଗ୍ରାମ ଓ ଲଖନପୁର, ବ୍ରଜରାଜନଗର, ବେଲପାହାଡ଼, କୋଲାବିରା, ଲଇକେରା, ରେଙ୍ଗାଲି ଅଞ୍ଚଳରେ ମଧ୍ୟ ଉତ୍ତାପ ଜାରି ରହିଛି। ଗରମ ବଢ଼ିବା ସାଙ୍ଗକୁ ଅପରାହ୍ଣରୁ ଗୁଳୁଗୁଳି ଆରମ୍ଭ ହେବା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଖଣି ଖାଦାନ ଥିବା ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳରେ ତାତି ଦୁଇ ଗୁଣ ବୃଦ୍ଧି ପାଇଛି। ପୂର୍ବାହ୍ନ ୧୦ଟା ପରେ ସହରରୁ ଗ୍ରାମ ଚାରି ଆଡ଼େ ଶୂନଶାନ୍ ହୋଇ ପଡ଼ିଛି। ଅଘୋଷିତ କର୍ଫୁ ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପିଚୁ ଓ କ˚କ୍ରିଟ ରାସ୍ତାର ଧାସରେ ନିର୍ଗତ ତାପମାତ୍ରା ଅସହ୍ୟ ହେଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭ୍ରାଟ ପରିସ୍ଥିତିକୁ ଅଣାୟତ୍ତ କରି ପକାଇଛି।
ବିଭିନ୍ନ ସ୍ଥାନରେ ଦୈନିକ ୨ ରୁ ୩ ଘଣ୍ଟା ବିଦ୍ୟୁତ ବିଭ୍ରାଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ଏବେ ସମସ୍ୟା ହୋଇଛି। ଏହି ସମୟରେ ବିଶେଷ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସ˚ପର୍କୀୟମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଅସମ୍ଭାଳ ତାତି ବେଳେ ପାନୀୟ ଜଳ କଷ୍ଟ ଉଗ୍ରରୂପ ଧାରଣ କରିଛି। ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତ ଓ କାରଖାନା କର୍ତୃପକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜଳଛତ୍ର ଖୋଲିବା ବ୍ୟବସ୍ଥା କରି ନଥିବା ଅଭିଯୋଗ ହୋଇଛି। ପ୍ରଚଣ୍ତ ତାପମାତ୍ରାରେ ନଦୀ ନାଳରେ ଥିବା ପାଣି ଶୁଖି ଗଲାଣି। ଭୂତଳ ଜଳ ହ୍ରାସ ପାଇଥିବାରୁ ନଳକୂଅରୁ ମଧ୍ୟ ଆଉ ପାଣି ବାହାରୁ ନାହିଁ। ପ୍ରଚଣ୍ତ ତାତିରେ ଓଭର୍ ହେଡ୍ ଟାଙ୍କିର ପାଣି ଫୁଟି ଯାଉଛି। କ˚କ୍ରିଟ ଘରୁ ବାହାରୁ ଥିବା ଉତ୍ତପ୍ତ ଧାସରେ ଲୋକେ ରାତିରେ ଶୋଇ ପାରୁ ନାହାନ୍ତି।
ଜଙ୍ଗଲାଞ୍ଚଳରେ ପାଣିର ଘୋର ଅଭାବ ଯୋଗୁଁ ବନ୍ୟଜନ୍ତୁ ଡହଳବିକଳ ହେଉଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ପାଣି ଅଭାବ ଘଟୁଛି। ଅ˚ଶୁଘାତରୁ ରକ୍ଷା ପାଇବା ପାଇଁ ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପ କେହି ପାଳନ କରୁ ନଥିବା ଅଭିଯୋଗ ହେଉଛି। ବିଭିନ୍ନ ବେସରକାରୀ ନିର୍ମାଣ ସ୍ଥାନରେ ଶ୍ରମିକମାନେ ପ୍ରଚଣ୍ତ ଖରାରେ ଦିନ ତମାମ କାମ କରୁଥିବା ଦେଖାଯାଉଛି। କୌଣସି ବସ୍ରେ ପିଇବା ପାଇଁ ଓ ଓଆର୍ଏସ୍ର ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି। ଏହି ଗ୍ରୀଷ୍ମ ପ୍ରବାହ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବାକୁ ଥିବାରୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି। ଗରମରୁ ରକ୍ଷା ପାଇବା ପାଇଁ କୁଲର, ଏସିର ଆଦର ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ଦୋକାନ ଓ ଫୁଟ୍ପାଥ୍ରେ କୁଲର ବ୍ୟବସାୟ ବୃଦ୍ଧି ପାଇଛି। ଆଇସକ୍ରିମ୍, ଥଣ୍ତା ସରବତ, ଲସି, ଆଖୁପଣା, ତରଭୁଜ ଭଳି ଜିନିଷର ଚାହିଦା ମଧ୍ୟ ସହରରେ ବୃଦ୍ଧି ପାଇଥିବା ଦେଖା ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/7-26.jpg)