କଟକ : ପ୍ରତି ଅସ୍ତ୍ରୋପଚାରରେ ଏବେ ଡାକ୍ତର କର୍କଟ ରୋଗ ପରୀକ୍ଷଣ ପାଇଁ ପଠାଉଛନ୍ତି। ଯାହାର ରିପୋର୍ଟ ମିଳୁ ମିଳୁ ୧୦ରୁ ୧୫ ଦିନ ଲାଗୁଛି। କିନ୍ତୁ ଏସ୍ସିବିରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା। ଅସ୍ତ୍ରୋପଚାର ସମୟରେ ହିଁ ଡାକ୍ତର ତନ୍ତୁକୁ ତୁରନ୍ତ ପାଥୋଲୋଜି ଲାବ୍ରୋଟେରିକୁ ପରୀକ୍ଷଣ ପାଇଁ ପଠାଇବେ। ୨୦ମିନିଟ୍ ଭିତରେ ହିଁ କର୍କଟରୋଗ ହୋଇଛି ନା ନାହିଁ, ଯଦି ହୋଇଛି ଏହା କେଉଁ େଷ୍ଟଜ୍ରେ ରହିଛି ସବୁର ରିପୋର୍ଟ ଆସିଯିବ। ଓଟି ଚାଲିଥିବା ଭିତରେ ହିଁ ଡାକ୍ତର ଏ ସବୁ ଜାଣିପାରିବେ। ଯଦି କର୍କଟ ରୋଗ ସଂପର୍କରେ ଜଣାପଡେ ତେବେ ସେହି ଅନୁସାରେ ଅସ୍ତ୍ରୋପଚାର କାମ କରିବେ। ଏହି ନୂତନ ବ୍ୟବସ୍ଥାକୁ ଫ୍ରୋଜନ୍ ବାୟୋପ୍ସି ପରୀକ୍ଷଣ କୁହାଯାଏ।
ସୂଚନା ଅନୁସାରେ, ଏସ୍ସିବି ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ ହୋଇଥିବାବେଳେ ସବୁ ବିଭାଗରେ ଅନେକ ଗୁରୁତର ରୋଗୀ ଆସିଥାନ୍ତି ଏହି ବିଭାଗକୁ। ତେବେ ଅନେକ ସମୟରେ ଟ୍ୟୁମର ତଥା ବିଭିନ୍ନ ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର କର୍କଟ ରୋଗ ହୋଇଥିବା ସଂପର୍କରେ ସନ୍ଦେହ କରିଥାନ୍ତି। ଅସ୍ତ୍ରୋପଚାର ପରେ ସେହି ଅଂଶକୁ ଡାକ୍ତର ବାୟୋପ୍ସି ପରୀକ୍ଷଣ ପାଇଁ ପଠାଇଥାନ୍ତି। ରିପୋର୍ଟ ଆସିବା ପରେ ହିଁ ଏହା ସ୍ପଷ୍ଟ ହୋଇଥାଏ। କିନ୍ତୁ ଏସ୍ସିବିରେ ଏହି ନୂତନ ପରୀକ୍ଷଣ ବ୍ୟବସ୍ଥା ଫଳରେ ୨୦ମିନିଟ୍ରେ ହିଁ ଜଣାପଡୁଛି କର୍କଟ ରୋଗ ସଂପର୍କିତ ତଥ୍ୟ। ଏହି ଯନ୍ତ୍ରାଂଶ ବେର୍ଷ ହେଲା ବଡମେଡିକାଲକୁ ଆସିଛି କିନ୍ତୁ କିଟ୍ ଆସିବା ପରେ ଏବେ କିଛିଦିନ ହେଲାଣି ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଓଟି ଟେବୁଲରୁ ତନ୍ତୁ ଆସିବା ପରେ ତୁରନ୍ତ ଏହାର କାର୍ବନ ଡାଇଅକ୍ସାଇଡ୍ ଦେଇ ମେସିନ୍ ଦ୍ବାରା କଠିନ କରାଯାଏ। ଏହାପରେ ଏହାର ପତଳା କରି କଟିଙ୍ଗ କରାଯାଇ ରଙ୍ଗ କରାଯାଏ। ଏହାପରେ ମାଇକ୍ରୋସ୍କୋପ୍ରେ ତୁରନ୍ତ ପରୀକ୍ଷଣ କରାଯାଇ ରିପୋର୍ଟ ବାହାରିଥାଏ । ଏଭଳି ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଥିବା ସଂପର୍କରେ ଏସ୍ସିବିର ସବୁ ବିଭାଗକୁ ଚିଠି ଦିଆଯାଇଥିବା ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ଅସରନ୍ତି କର ସୂଚନା ଦେଇଛନ୍ତି।