ଭଦ୍ରକ: ଭଦ୍ରକ ଜିଲ୍ଳା ଉଦ୍ୟାନ କୃଷି ବିଭାଗ ଏବେ ଅଚଳ ହୋଇପଡିଛି। ଉଦ୍ୟାନ କୃଷି ବିଭାଗ ଅଫିସ୍ ଏଠି କେବଳ କାଗଜପତ୍ରରେ ଚାଲିଛି। ଭଦ୍ରକ ଜିଲ୍ଲାରେ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ପ୍ରାୟ ୨୦ ପ୍ରତିଶତ ଲୋକ ବିଭିନ୍ନ ପନିପରିବା ଓ ଫଳ ଚାଷ ଉପରେ ନିର୍ଭର କରିଥାନ୍ତି। ପ୍ରତି ବର୍ଷ ଜିଲ୍ଲାରେ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଫଳ ଫୁଲ ଓ ପନିପରିବା ଚାଷ ନୈରାଶ୍ୟଜନକ।
ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସୂଚନାରୁ ପ୍ରକାଶ ଯେ, ଜିଲ୍ଲାରେ ମୋଟ ୧ ଲକ୍ଷ ୭୧ ହଜାର ହେକ୍ଟର କୃଷି ଉପଯୋଗୀ ଜମିରହିଛି। ଗତବର୍ଷ ମାତ୍ର ୧୨୫ ହେକ୍ଟର ଜମିରେ ଫଳ, ଫୁଲ ଓ ପନିପରିବା ଚାଷ କରାଯାଇଛି। ସର୍ବାଧିକ ୧୦୦ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିବା ବେଳେ ୨୦ ହେକ୍ଟର ଜମିରେ ଆମ୍ବଚାଷ, ୪ ହେକ୍ଟର ଜମିରେ କଦଳୀ ଚାଷ, ୧ ହେକ୍ଟର ଜମିରେ ପିଜୁଳି ଚାଷ କରାଯାଇଛି। ଜିଲ୍ଳାରେ କାଁ ଭାଁ କିଛି ଅଞ୍ଚଳରେ ଫୁଲଚାଷ କରାଯାଇଛି। ଜିଲ୍ଲାରେ ମୋଟ ୬୧୭ ଜଣ ଚାଷୀ ଉଦ୍ୟାନ ଭିତ୍ତିକ ଚାଷ କରିଛନ୍ତି। କାଗଜପତ୍ରର ତଥ୍ୟ ଅନୁଯାୟୀ ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ମାତ୍ର ୧୨୫ ହେକ୍ଟର ଜମିରେ ଏହି ଚାଷ କରାଯାଇଛି। ଜିଲ୍ଲାରେ ଏହି ବିଭାଗ ଅଧୀନରେ ମୋଟ ୬ଟି ନର୍ସରୀ ରହିଛି।
ଏହି ନର୍ସରୀରୁ ସରକାରୀ ଭାବେ ବିଭିନ୍ନ ଚାରା ସହିତ ନର୍ସରୁ ଉତ୍ପାଦିତ ହେଉଥିବା ଫଳ ଓ ଫୁଲ ବିକ୍ରି ବ୍ୟବସ୍ଥା କରାଯାଇଛି। ଏହାର ପରିଚାଳନା କ୍ଷେତ୍ରରେ ଅବ୍ୟବସ୍ଥା କରାଯାଉଥିବାରୁ ନର୍ସରୀରୁ ପ୍ରତିବର୍ଷ ବିଭିନ୍ନ ଚାରା ଗଛ ଠିକ୍ ଭାବେ ମିଳୁ ନାହିଁ। ନର୍ସରୀଗୁଡିକ ଠିକ୍ ଭାବେ ପରିଚାଳନା କରାଯାଉ ନଥିବାରୁ ଏଥିରେ ବହୁ ଅର୍ଥ ବାଟ ମାରଣା ହେଉଛି। ଗତ ୩ ବର୍ଷ ଭିତରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଭଦ୍ରକ, ଗଣିଜାଂଗ, ରାଣୀତାଲ ନର୍ସରୀରେ ଥିବା ଆମ୍ବ, ନଡିଆ , ସପେଟା ଉଦ୍ୟାନର ଫଳ ବିକ୍ରି କରି ଜିଲ୍ଲା ଉଦ୍ୟାନ କୃଷି ବିଭାଗ ମାତ୍ର ୪୭ ହଜାର ୩ ଶହ ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ରାଣୀତାଲ ନର୍ସରୀ ସର୍ବଧିକ ୩୪ ହଜାର ଟଙ୍କାର ରାଜସ୍ବ ସଂଗ୍ରହ କରିଥିବା ବେଳେ ଭଦ୍ରକ ନର୍ସରୀରୁ ୯ ହଜାର ଓ ଗଣିଜାଙ୍ଗ ନର୍ସରୀରୁ କେବଳ ଅାମ୍ବ ବିକ୍ରି କରି ୪ ହଜାର ଟଙ୍କାର ରାଜସ୍ବ ସଂଗ୍ରହ କରାଯାଇଛି।
ସବୁଠାରୁ ବଡ କଥା ହେଲା ରାଣୀତାଲ ନର୍ସରୀରେ ବହୁ ପରିମାଣରେ ନଡିଆ, ପିଜୁଳି, ଆମ୍ବ ଭଳି ଅର୍ଥକରୀ ଫଳ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ଫଳ ବିକ୍ରି କରାଯାଉଛି। ଭଦ୍ରକ ନର୍ସରୀରେ ଆମ୍ବ ଓ ନଡିଆକୁ ଛାଡି ବହୁ ସପେଟା ଉଦ୍ୟାନ ରହିଛି। ବାର୍ଷିକ କୁଇଣ୍ଟାଲ କୁଇଣ୍ଟାଲ ସପେଟା ଉତ୍ପାଦନ କରାଯାଉଥିବା ବେଳେ ତାହା କିଛି କର୍ମଚାରୀଙ୍କ ଦ୍ବାରା ବାଟମାରଣା ହେଉଛି। ଏ ନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ, କିଛି ବର୍ଷ ହେଲା ସପେଟା ଉଦ୍ୟାନରୁ ଫଳ କମ୍ ହେଉଛି। ସେଥିପାଇଁ ରାଜସ୍ବ କମ୍ ଆସୁଛି। ଫଳ ବିକ୍ରି କ୍ଷେତ୍ରରେ ସରକାରୀ ନର୍ସରୀ ପଛରେ ପଡିଥିଲେ ମଧ୍ୟ ଚାରା ବିକ୍ରି ଯଥେଷ୍ଟ ଆଗରେ ରହିଛି ବୋଲି ସେ କହିଥିଲେ। ଗତବର୍ଷ ଜିଲ୍ଲାରେ ୬ଟି ନର୍ସରୀରୁ ସର୍ବାଧିକ ୫ ଲକ୍ଷ ୩୩ ହଜାର ଟଙ୍କାର ଚାରା ବିକ୍ରି କରାଯାଇଥିବାର ସୂଚନା ମିଳିଛି। ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗ ଯେଭଳି ଭାବେ କାର୍ଯ୍ୟ କରିବା କଥା ତାହା କରାଯାଉ ନଥିବାବେଳେ ଜିଲ୍ଲାରେ ଉଦ୍ୟାନ କୃଷି ଆଗକୁ ଯାଇ ପାରୁନାହିଁ।