ସରକାରଙ୍କ ଗଛ ପ୍ରୀତି ଏମିତି : ଚାରା ପୋତି ଛାଡ଼ିଦେଲେ, ୫୫ ହଜାର ଫଳନ୍ତି ଚାରା ନିଷ୍ଫଳା

0

ଅନୁଗୁଳ : ସରକାରଙ୍କୁ ଘାରିଥିଲା ଫଳନ୍ତି ଗଛ ନିଶା। ପ୍ରଶାସନିକ କଳ ଏତେ ତରତର ହୋଇଥିଲା ଯେ, ଗୋଟିଏ ଦିନରେ ଓଡ଼ିଶାର ସବୁ ପଞ୍ଚାୟତରେ ଗଛ ଲଗାଇବାକୁ ଆସିଥିଲା କଡ଼ା ନିର୍ଦେଶନାମା। ଅତି କମ୍‌ରେ ଶହେ ଫଳନ୍ତି ଗଛ ଲଗାଅ। ଏକାଠି ହୋଇ ବୃକ୍ଷରୋପଣକୁ ମହୋତ୍ସବ ରୂପ ଦେବାକୁ ହୋଇଥିଲା ଯୋଜନା। ଫଳ ସ୍ବରୂପ ଫଳନ୍ତି ଗଛ ନିଶାରେ ପୂରା ସରକାରୀ କଳ ବଳ କଷିଥିଲା। ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଭଳି ଅନୁଗୁଳ ଜିଲ୍ଲାର ସବୁ ପଞ୍ଚାୟତ କାର୍ଯ୍ୟାଳୟ, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ କଲେଜରେ ଛାଇ ଗଲା ଆମ୍ବ, ପଣସ, ଅଁଳା, ପିଜୁଳି ଭଳି ଭେଳିକି ଭେଳି ଫଳନ୍ତି ଚାରା। ୨୦୧୬ମସିହା ଜୁଲାଇ ୫ତାରିଖରେ ଏହି ସାମୂହିକ ବୃକ୍ଷରୋପଣ କରି ଜିଲ୍ଲା ପ୍ରଶାସନ ଜିଲ୍ଲାର ୨୦୯ପଞ୍ଚାୟତରେ ଲଗାଇଥିଲା ୫୫ହଜାର ଫଳନ୍ତି ଗଛ। କିନ୍ତୁ ସେ ୫୫ହଜାର ଗଛ ଏବେ କେଉଁଠି, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଏହି ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ ବିଭାଗ ନୁହେଁ, ପଞ୍ଚାୟତିରାଜ ବିଭାଗ ଯୋଜନା କରିଥିଲା। ତତ୍କାଳୀନ ବିଭାଗୀୟ ସଚିବ ୨୦୧୬ ଜୁନ୍‌୨୩ ତାରିଖ ଏମିତି ସାମୂହିକ ବୃକ୍ଷରୋପଣ କରିବାକୁ ଓଡ଼ିଶାର ସବୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ। ଯେଉଁଥିରେ ସମସ୍ତ ପଞ୍ଚାୟତରେ ଅନ୍ୟୂନ ଶହେଟି ଗଛ ଲଗାଇବାକୁ ନିର୍ଦେଶ ରହିଥିଲା। ବୃକ୍ଷରୋପଣ ବାବଦକୁ ସାର, ଖତ, ଚାରା କିଣା ଖର୍ଚ୍ଚ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି ପାଣ୍ଠିରୁ ଏବ˚ ଗାତ ଖୋଳା ଓ ଜଳସେଚନ ପାଇଁ ମନରେଗା ପାଣ୍ଠିରୁ ଅନୁଦାନ ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଥିଲା। ନିର୍ଦେଶ ମୁତାବକ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବ˚ ଜିଆର‌୍‌ଏସ୍‌ ପର୍ଯ୍ୟନ୍ତି ସବୁ ଫଳନ୍ତି ବୃକ୍ଷରୋପଣରେ ମାତିଥିଲେ। ଗୋଟିଏ ଦିନରେ ୫୫ହଜାର ଗଛ ଲଗା ଯାଇଛି ବୋଲି ସେତେବେଳେ ଜିଲ୍ଲା ପ୍ରଶାସନ ବାଃ ବାଃ ନେଇଥିଲା। କିନ୍ତୁ ବୃକ୍ଷରୋପଣ ପରେ ଗଛକୁ ପୂରା ଭୁଲିଗଲେ। ସାର, ଔଷଧ କଥା ଛାଡ଼, ଗଛ ମୂଳକୁ ପାଣି ମୁନ୍ଦାଏ ଦେବାକୁ କେହି ଉଚିତ୍‌ ମଣିଲେ ନାହିଁ। ଫଳ ସ୍ବରୂପ ଆଜି କାଁ ଭାଁ ଛାଡ଼ି ଦେଲେ ସେହି ୫୫ହଜାରରୁ ପ୍ରାୟ ଗଛ ପୂରା ନିଶ୍ଚିହ୍ନ ହୋଇ ସାରିଛି।

ସବୁଠାରୁ ବଡ଼ କଥା ହେଉଛି, ବୃକ୍ଷରୋପଣ କରି ବଡ଼ ବଡ଼ିଆ ଅଧିକାରୀ ବାଃ ବାଃ ଗୋଟାଇ ଥିବା ବେଳେ ତଳିଆ କର୍ମଚାରୀ ବଡ଼ ହରଡ଼ଘଣାରେ ପଡ଼ିଛନ୍ତି। ବିଭାଗୀୟ ସଚିବ ବୃକ୍ଷରୋପଣ ବାବଦ ଗାତ ଖୋଳା ଓ ଜଳସେଚନ ପାଇଁ ମନରେଗା ପାଣ୍ଠିରୁ ଅନୁଦାନ ବ୍ୟବସ୍ଥା କରିବାକୁ ଚିଠିରେ ସ୍ପଷ୍ଟ କରିଥିଲେ। କିନ୍ତୁ ଖର୍ଚ୍ଚ କରିବା ପାଇଁ ସରକାରୀ କାଗଜପତ୍ର ଯେମିତି ହେବା କଥା ତାହା କରାଗଲା ନାହିଁ। ଅନେକ ପଞ୍ଚାୟତରେ ଏହା ବାବଦକୁ ଟଙ୍କା ଖର୍ଚ୍ଚ କରିବାକୁ କେସ୍‌ ରେକଡ଼ର୍ ଖୋଲା ଯାଇନାହିଁ। ଯେଉଁଥି ପାଇଁ ଜଳସେଚନ ବାଟ ପୂରା ବନ୍ଦ ହୋଇଥିବା ବେଳେ ସେଦିନ ଗାତ ଖୋଳାରେ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରିଥିବା ଜନ ପ୍ରତିନିଧିମାନେ କେଉଁଠୁ ଟଙ୍କା ପାଇବେ ସେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର