ଖାଉଟିଙ୍କୁ କନ୍ଦାଉଛି ପରିବା: ଦରଦାମ ବୃଦ୍ଧି ଆକାଶଛୁଆଁ, ଛୋଟ ବଜାରରେ ମନମର୍ଜି ଦର

ରାଉରକେଲା: ଇସ୍ପାତସହରରେ ପରିବା ଦର ଆକାଶଛୁଆଁ। ଏମିତି କୌଣସି ପରିବା ନାହିଁ, ଯାହାର ଦର କେଜି ପ୍ରତି ୫୦ ଟଙ୍କା ଉପରେ ରହୁନି। ବିଭିନ୍ନ ପରିବା ଦାମ କେଜିପ୍ରତି ୬୦ ଟଙ୍କା ଉପରେ ରହିଛି। ସହରର ବିଭିନ୍ନ ବଡ଼ ପରିବା ବଜାରରେ ଏହି ଦର ରହୁଥିବାବେଳେ ବିଭିନ୍ନ ଗଳିକନ୍ଦିରେ ବସୁଥିବା ଛୋଟଛୋଟ ପରିବା ବଜାରରେ ଦର ୧୫/୨୦ ଟଙ୍କା ଅଧିକ ରହୁଛି। ପରିବା ଦରଦାମ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ସିନା କମିବାର ନାଁ ନେଉନି। ଫଳରେ ସହରର ଖାଉଟିଙ୍କ ଉପରେ ଏକପ୍ରକାର ଆର୍ଥିକ ପ୍ରହାର ସଦୃଶ ହୋଇଛି।
ସହରକୁ ସ୍ଥାନୀୟ ନୂଆଗାଁ ଅଞ୍ଚଳ ତଥା ଝାଡ଼ଖଣ୍ଡରୁ ପରିବା ଅଣାଯାଇଥାଏ। ଏହା ସହରର ବିଭିନ୍ନ ବଡ଼ବଡ଼ ପରିବା ବଜାର, ଯଥା-ମୁଣ୍ଡା ମାର୍କେଟ୍‌, ଝାଡ଼ଖଣ୍ଡ ମାର୍କେଟ୍‌, ଟ୍ରାଫିକ ଗେଟ୍‌, ପାନପୋଷ, ଛେଣ୍ଡ୍‌, ବାସନ୍ତୀକଲୋନି ଆଦି ମାର୍କେଟ୍‌ ଆଦିରେ ବିକ୍ରି ହୋଇଥାଏ। ଏତଦ୍‌ବ୍ୟତୀତ ସେକ୍ଟର ଅଞ୍ଚଳ, ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ଶତାଧିକ ଛୋଟଛୋଟ ପରିବା ହାଟ, ଦୋକାନ ରହିଛି। ତେବେ ଉଭୟ ବଡ଼ ଓ ଛୋଟ ପରିବା ବଜାରରେ ଦରଦାମ ମଧ୍ୟରେ ଫରଖ ଦେଖିବାକୁ ମିଳୁଛି। ବଡ଼ବଡ଼ ପରିବା ବଜାରରେ ବିଭିନ୍ନ ପରିବାର ଦାମ, ଯଥା-ମୂଳା ୪୦ ଟଙ୍କା, ପୋଟଳ ୮୦, ବରବଟି ୬୦, ଟମାଟୋ ୭୦, କଖାରୁ ୨୦, କୁନ୍ଦୁରି ୬୦, କାକୁଡି ୬୦, ଅମୃତଭଣ୍ଡା ୪୦, ଗାଜର ୬୦, ଫୁଲକୋବି ୫୦, ଆଳୁ ୩୫, ପିଆଜ ୩୫, କ୍ୟାପ୍ସିକମ୍‌ ୧୫୦, ବାଇଗଣ ୫୦, ସାରୁ ୬୦ ଟଙ୍କା, ଲଙ୍କା ୧୨୦ରୁ ୧୫୦ ଟଙ୍କା, ବନ୍ଧାକୋବି ୪୦ ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ, ଖାଉଟି ଯଦି ଗୋଟିଏ କେଜି ନିଅନ୍ତି, ତା’ହେଲେ ତାଙ୍କୁ ଏହି ଦରରେ ବିକ୍ରି କରାଯାଉଛି। ତେବେ କମ୍‌ ପରିମାଣ, ଯଥା-୨୫୦ ଗ୍ରାମ, ୫୦୦ ଗ୍ରାମ କିଣିଲେ, ଦର ଅଧିକ ରହୁଛି। ଅପରପକ୍ଷରେ ଦୀର୍ଘଦିନହେଲା ଉପରମୁହାଁ ରହିଥିବା ଅଦା, ରସୁଣ ଦାମ୍‌ ମଧ୍ୟ କମିବାର ନାଁ ନେଉନି। ବର୍ତ୍ତମାନ ଅଦା କେଜି ପ୍ରତି ୨ ଶହ ଟଙ୍କା ଥିବାବେଳେ ରସୁଣ କେଜି ପ୍ରତି ୨୦୦ରୁ ୩୨୦ ଟଙ୍କା ରହିଛି। ଛୋଟଛୋଟ ପରିବା ବଜାରରୁ କିଣୁଥିବା ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହି ଛୋଟ ବଜାରରେ ବେପାରୀଙ୍କ ମନମର୍ଜିରେ ଦର ଧାର୍ଯ୍ୟ ହେଉଥିବାରୁ ଗ୍ରାହକ ଠକାମିର ଶିକାର ହେବା ହିଁ ସାର।
ଆମ୍ବ ବଜାରରେ ନିଆଁ
କେବଳ ପରିବା ନୁହେଁ, ବରଂ ସହରର ଆମ୍ବ ବଜାର ମଧ୍ୟ ଏବେ ଲୋକଙ୍କୁ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ କରୁଛି। ପ୍ରକୃତରେ, ବର୍ଷସାରା ଆମ୍ବର ଦର ଉପରମୁହାଁ ରହିଛି। ସଂପ୍ରତି ସହରରେ ଲେଙ୍ଗଡ଼ା ଆମ୍ବର ଦାମ କେଜିପ୍ରତି ଶହେ ଟଙ୍କା ଥିବାବେଳେ ଆମ୍ରପଲ୍ଲି ୮୦/୧୦୦ ଟଙ୍କା, ଦସହରି ଆମ୍ବର ଦାମ୍‌ ୧୦୦ ଟଙ୍କା, ବାଇଗଣପଲ୍ଲୀ ୧୨୦ ଟଙ୍କା, ନିଲାମ ୮୦ ଟଙ୍କା, ସୁନ୍ଦରୀ ୧୦୦ ଟଙ୍କା, କିଷନଭୋଗ ଆମ୍ବ ୮୦ ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲାକୁ ଉତ୍ତରପ୍ରଦେଶ ମଲିହାବାଦ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା, ଯଥା- କେନ୍ଦୁଝର, ଢ଼େଙ୍କାନାଳ, ପାଲଲହଡ଼ା ଆଦି ଅଞ୍ଚଳରୁ ଆମ୍ବ ଆମଦାନୀ କରାଯାଇଥାଏ। ଦୈନିକ ପାଖାପାଖି ୨୦/୨୨ ଟନ୍‌ ଆମ୍ବ ସହରକୁ ଆସିଥାଏ। ଏଥିମଧ୍ୟରୁ ପ୍ରାୟ ୧୦/୧୨ ଟନ୍‌ ମଲିଆବାଦରୁ ଅଣାଯାଉଥିବାବେଳେ ଅବଶିଷ୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥାଏ। ଉତ୍ତରପ୍ରଦେଶ ମଲିହାବାଦର ଆମ୍ବ ଜୁନ ୧୫ରୁ ଅଗଷ୍ଟ ଶେଷଯାଏ ଉପଲବ୍ଧ ରହୁଥିବାବେଳେ ରାଜ୍ୟ ଭିତର ଆମ୍ବ ମେ’ ୧ରୁ ଜୁନ ଶେଷ ପର୍ଯ୍ୟନ୍ତ ମିଳିଥାଏ। ସହରରେ ଥିବା ୭/୮ ଜଣ ହୋଲସେଲର ଆମ୍ବ ଆଣି ବିଭିନ୍ନ ବଜାର, ଛୋଟ ବେପାରୀଙ୍କୁ ଯୋଗାଇଥାନ୍ତି।
ସମ୍ବନ୍ଧିତ ଖବର