ଗଜା ଧାନ ଛାଡ଼ି ଯାଉଛନ୍ତି ହତାଶ ଚାଷୀ

ଅତାବିରା : ରବି ଫସଲ ଅଦିନିଆ ବର୍ଷା ଓ ଟୋକନ ଅବ୍ୟବସ୍ଥା ଯୋଗୁଁ ଉଜୁଡ଼ି ସାରିଛି। ଚାଷୀ ପାଖରେ ଧାନ ଅଛି, ହେଲେ ବିକି ପାରୁନାହିଁ। ଯେଉଁ ଧାନ ଅଛି ତାହା ଓଦା ହୋଇଗଲାଣି। ନିୟମିତ ବର୍ଷା ଯୋଗୁଁ ଧାନ ଶୁଖି ପାରୁନାହିଁ। ଧାନ ନିଜ ମାନ ହରାଉଥିବାରୁ ମିଲର ଏବଂ ବେପାରୀ କିଣିବାକୁ ମୁହଁ ମୋଡ଼ି ଦେଉଛନ୍ତି। ଗଜା ଧାନ ତ ପଚାରେ କିଏ? ଓଦା ଧାନ ଶୁଖାଇବାକୁ ଯାଇ ଖରା, ବର୍ଷାର ଲୁଚକାଳି ଖେଳରେ ଶେଷରେ ହାର ମାନିଛି ଚାଷୀ। ଧାନକୁ ସାଇତିବାରେ ବିଫଳ ହେବାରୁ ଧାନ ଗଜା ହୋଇଯାଇଛି। ଫଳରେ ଖଳା, ବିଲ, ରାସ୍ତା କଡ଼ରୁ ଚାଷୀ ଆଉ ଧାନ ଆଣୁ ନାହାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ବଜାର ପ୍ରାଙ୍ଗଣ ସମ୍ମୁଖରେ।

ଜାତୀୟ ରାଜପଥ ସଂଲଗ୍ନ ସାର୍ଭିସ ରୋଡ଼ରେ କିଛି ଦିନ ତଳେ ଧାନ ଶୁଖାଇବାକୁ ଆଣିଥିବା ଜଣେ ଚାଷୀଙ୍କ ସବୁ ଧାନ ଗଜା ହୋଇଯାଇଥିଲା। ଏଭଳି ଅନେକ ଚାଷୀ ଗଜା ଧାନ ରାସ୍ତା ଉପରେ ଛାଡ଼ି ପଳାଇଛନ୍ତି। ଏଠାରେ ଦଶ ଦିନ ହେଲା ୪ଟି ଗଦାରେ ଥିବା ଧାନ ଖରାବର୍ଷା ଖାଇ ଶେଷରେ ପାଣି ସୁଅରେ ଧୋଇ ହୋଇ ଡ଼୍ରେନରେ ବୋହି ଯାଇଛି। ବ୍ଲକ୍‌ର ବହୁ ଚାଷୀ ଅମଳ ଧାନକୁ ମଣ୍ଡିକୁ ଆଣି ପାରି ନାହାନ୍ତି। ବିଲ ଓ ଘର ଅଗଣାରେ ପଡ଼ି ଧାନ ନଷ୍ଟ ହୋଇସାରିଛି। ଗୁଡ଼ାଏ ଚାଷୀ କ୍ଷେତରୁ ଧାନ କାଟି ନାହାନ୍ତି। ଯେଉଁମାନେ କିଛି ଧାନ କାଟି ଥିଲେ, ତାହା ଆଉ ଆଣି ପାରି ନାହାନ୍ତି। ଟୋକନ୍‌ ଉଡ଼ିଯିବା ଭୟରେ ଚାଷୀମାନେ ମଣ୍ଡି ଜଗି ଜଗି ଶେଷରେ ଧାନ ମଧ୍ୟ ଅମଳ କରି ପାରିଲା ନାହିଁ କିମ୍ବା ମଣ୍ଡିକୁ ଆଣି ପାରିଲା ନାହିଁ।

ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ କ୍ରୟକେନ୍ଦ୍ର ବନ୍ଦ ହୋଇ ଗଲାଣି। ବହୁ ମାର୍କେଟ ୟାର୍ଡରେ ଟୋକନ ଉଡ଼ିଯିବାରୁ ପେକ୍ସ ଗୁଡ଼ିକ କାମ ବନ୍ଦ କରିଦେଲେଣି। ଟୋକନ୍‌ ଆସିଲେ ସବୁ ସ୍ବାଭାବିକ ହେବ ବୋଲି କୁହାଯାଉଛି। କିନ୍ତୁ ଏସବୁ ଆଶା କ୍ଷୀଣ। ଏବେ କେବଳ ଦୁଇ ତିନୋଟି ୟାର୍ଡରେ ଧାନ କାରବାର ହେଉଛି। ଆଉ ୪ ଦିନ ପରେ ରବି ଧାନ କିଣା ଅବଧି ସରିଯିବ। ସବୁ ପ୍ରଶାସନିକ କଳର ଦାୟିତ୍ବ ସରିଯିବ, ହେଲେ ଚାଷୀର ଦୁର୍ଦ୍ଦଶା ବର୍ଷତମାମ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର