ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ଓଡ଼ିଶାରେ ଶାସନ ଓ ପ୍ରଶାସନର ଭାଷା ଓଡ଼ିଆ ହେବା କଥା। ଏଥିପାଇଁ ସ୍ପଷ୍ଟ ଆଇନ ଅଛି। ଆଇନକୁ ଲାଗୁ କରିବାରେ କେଉଁଠି କିଛି ଦ୍ବନ୍ଦ୍ବ ନାହିଁ। କେବଳ ଦରକାର ଇଚ୍ଛାଶକ୍ତି ଓ ଆନ୍ତରିକତା। ସେତିକି ଅଭାବରେ ଆଜି ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନ ହୋଇପାରୁନି। ବର୍ଷ ବର୍ଷ ଧରି ଓଡ଼ିଆ ଭାଷା ଯେ କେବଳ ପ୍ରଶାସନିକ ଛଳନାର ଶିକାର ହୋଇଛି, ତାହା ଆଉ ବୁଝିବାକୁ ବାକି ନାହିଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ଶାସନକୁ ଆସିଥିବା ନୂଆ ସରକାର ଓଡ଼ିଆରେ ଓଡ଼ିଶା ଶାସନ କେବେ ଠାରୁ କରୁଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନୂଆ ସରକାର ସବୁ ବିଭାଗକୁ ୧୦୦ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ କହିଛନ୍ତି। ବିଭାଗୀୟ ଅଧିକାରୀମାନେ ଏଥିପାଇଁ ଲାଗି ପଡ଼ିଛନ୍ତି। ଏହି କାର୍ଯ୍ୟଖସଡ଼ାକୁ ନେଇ ବିଭାଗଗୁଡ଼ିକ ଆଗକୁ ବଢ଼ିବେ। କାର୍ଯ୍ୟଖସଡ଼ା ପ୍ରସ୍ତୁତ କଲା ବେଳେ ଓଡ଼ିଆ ଭାଷାରେ ଯେପରି ଶାସନ କାର୍ଯ୍ୟ ଚାଲିବ, ସେ ଦିଗ ପ୍ରତି ସରକାର ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ନଚେତ ସରକାରଙ୍କ ଯୋଜନାଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହେବନାହିଁ। ଏହା ସହ ‘ଓଡ଼ିଆ ଅସ୍ମିତା’ ବି କେବଳ ରାଜନୈତିକ ସ୍ଲୋଗାନ୍ ହୋଇ ରହିଯିବ।
ଓଡ଼ିଆ ଭାଷାରେ ଶାସନ କରିବା ପ୍ରସଙ୍ଗ ଆଦୌ ନୂଆ କଥା ନୁହେଁ। ଏଥିପାଇଁ ସ୍ବତନ୍ତ୍ର ଆଇନ ବଳବତ୍ତର ରହିଛି। କିନ୍ତୁ ତାହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନି। ଓଡ଼ିଆ ଅସ୍ମିତାର କେନ୍ଦ୍ର ହିଁ ଓଡ଼ିଆ ଭାଷା। ଏହି ଭାଷାକୁ ଭିତ୍ତି କରି ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା। ଗତ ସରକାର ସମୟରେ ଓଡ଼ିଆ ଭାଷାକୁ ନେଇ ସରକାର ବିଭିନ୍ନ ସମୟରେ ଘୋଷଣା କରି ଚର୍ଚ୍ଚାରେ ରହିଥିଲେ। ସାମୟିକ ଭାବେ ସରକାର ପ୍ରଶଂସା ସାଉଁଟିଥିଲେ। ଏହି ଘୋଷଣା ମାଧ୍ୟମରେ ଲୋକଙ୍କ ଭାବପ୍ରବଣତାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶାସନ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତରରେ ଓଡ଼ିଆ ଭାଷା ପ୍ରତି ନକରାତ୍ମକ ଭାବନା ବାରି ହୋଇପଡ଼ୁଥିଲା। ଯେହେତୁ ନିଜେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା କହିପାରୁ ନଥିଲେ କି ପଢ଼ି ପାରୁ ନଥିଲେ, ସେଥିପାଇଁ ଆଇଏଏସ୍ ଅଧିକାରୀମାନେ ଭାଷାକୁ ଗୁରୁତ୍ବ ଦେଉ ନଥିଲେ। ଆଉ ତାହାର ସିଧାସଳଖ ପ୍ରଭାବ ତଳ ସ୍ତରରେ ପଡ଼ୁଥିଲା। ଭାଷାକୁ ନେଇ ସରକାରଙ୍କ ସବୁ ଘୋଷଣା ମୂଲ୍ୟହୀନ ହୋଇପଡ଼ୁଥିଲା। ଭାଷା ଉପରେ ପ୍ରଶାସନିକ ଅତ୍ୟାଚାର ସୀମା ଲଂଘିଥିଲା।
ଓଡ଼ିଆ ଭାଷାକୁ ଅବହେଳିତ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ହେବା ପରେ ୨୦୧୬ ମେ’ ମାସରେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟ ୧୫ରୁ ଓଡ଼ିଆ ଭାଷାରେ ଶାସନ ଚାଲିବ ବୋଲି କହିଲେ। ସବୁ ବିଭାଗର କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ଆଠ ବର୍ଷ ପରେ ବି ସ୍ଥିତି କିଛି ବଦଳିନି। କେବଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କାମ ଓଡ଼ିଆରେ ଚାଲିଛି। ଆଉ ଦୁଇ ତିନିଟି ବିଭାଗରେ କାଁ ଭାଁ ଓଡ଼ିଆରେ ଫାଇଲ୍ ହେଉଛି। ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଆ ଭାଷାର ସ୍ଥିତି ନାହିଁ କହିଲେ ଭୁଲ୍ ହେବ ନାହିଁ। ଏପରିକି ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ବିଭାଗଗୁଡ଼ିକ ମଧ୍ୟ ଓଡ଼ିଆରେ ନିର୍ଦ୍ଦେଶନାମା ଜାରି କରିବାକୁ କୁଣ୍ଠାବୋଧ କରୁଛନ୍ତି। ସେହି ଅଗଷ୍ଟ ମାସରେ ସରକାର ଘୋଷଣା କରିଥିଲେ ଯେ ସରକାରୀ କାର୍ଯ୍ୟରେ ଯେଉଁ କର୍ମଚାରୀ ଓଡ଼ିଆ ଭାଷାର ଭଲ ବ୍ୟବହାର କରିବ ସେ ପୁରସ୍କୃତ ହେବେ। ଯିଏ ଓଡ଼ିଆ ଭାଷା ବ୍ୟବହାର କରିବେ ନାହିଁ ସେ ଦଣ୍ଡିତ ହେବେ। କିନ୍ତୁ ଏ ଯାଏ କେହି ପୁରସ୍କୃତ ହୋଇନାହାନ୍ତି କି ଦଣ୍ଡିତ ହୋଇନାହାନ୍ତି। ସେହିପରି ସରକାରୀ ପୋର୍ଟାଲ୍ରେ ସବୁ ତଥ୍ୟ ଉଭୟ ଓଡ଼ିଆ ଓ ଇଂରାଜୀରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ତାହା ବି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନି।
୨୦୧୭ ଡିସେମ୍ବରରେ ପୁରୀ ହୋଇଥିବା କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷା କମିସନ୍ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ଯାଏ କମିସନ୍ ଗଠନ ହୋଇପାରିଲାନି। କାହିଁକି ଗଠନ ହୋଇପାରୁନି, ତାହାର ଉତ୍ତର ବି ସରକାରଙ୍କର କୌଣସି ବିଭାଗ ଦେବାକୁ ପ୍ରସ୍ତୁତ ନଥିଲେ।ଓଡ଼ିଆ ଭାଷା ପ୍ରଶାସନର ଭାଷା ହୋଇପାରୁ ନଥିବାରୁ ଭାଷାର ବିକାଶ ଯେତିକି ହେବା କଥା ହୋଇପାରୁନି। ଅନ୍ୟ ରାଜ୍ୟରେ ସରକାରୀ କଳରେ ତାଙ୍କ ଆଞ୍ଚଳିକ ଭାଷାର ବ୍ୟାପକ ବ୍ୟବହାର ଯୋଗୁ ତାହା ବିଭିନ୍ନ କ୍ଷେତ୍ରରେ ବିକାଶର ରାସ୍ତାକୁ ପ୍ରଶସ୍ତ କରୁଛି। କିନ୍ତୁ ଓଡ଼ିଶାରେ ଭାଷାକୁ ନେଇ ପ୍ରତିଟି ସ୍ତରରେ ଉଦାସୀନତା ଦେଖିବାକୁ ମିଳୁଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାକୁ ୧୦ ବର୍ଷ ପୂରିଗଲାଣି। କିନ୍ତୁ ଶାସ୍ତ୍ରୀୟ ମାନ୍ୟତା ପରେ ଭାଷାର କ’ଣ ବିକାଶ ହେଲା, ତାହା ସାଧାରଣ ଜନତା ଜାଣିପାରୁ ନାହାନ୍ତି। ବୁଦ୍ଧିଜୀବୀମାନଙ୍କର କହିବା କଥା ହେଲା, ଯଦି ଗୋଟିଏ ରାଜ୍ୟର ମାତୃଭାଷା ସେହି ରାଜ୍ୟର ଶାସନର ଭାଷା ହୋଇ ନପାରିବ, ତେବେ ଭାଷାକୁ ସାଧାରଣରେ ବ୍ୟବହାର କିପରି ବ୍ୟାପକ କରାଯାଇପାରିବ? ଯଦି ସରକାର ନିଜେ ଭାଷାକୁ ବ୍ୟବହାର ନକରିବେ, ସାଧାରଣ ଜନତାଙ୍କୁ କିପରି ଏହାର ବ୍ୟବହାର ପାଇଁ ପ୍ରଭାବିତ କିରପାରିବେ? ସମ୍ଭବତଃ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମାତୃଭାଷାକୁ ଶାସନର ଭାଷା କରିବାକୁ ବାରମ୍ବାର ଦାବି କରିବାକୁ ପଡ଼ୁଛି।