‘କରୋନା’ ପାଇଁ ଏଫ୍‌ସିଆଇ କାମ ପ୍ରଭାବିତ, ଧାର୍ଯ୍ୟ ସମୟରେ ତାଳଚେର ସାର କାରଖାନା ପୁନରୁଦ୍ଧାର ହେବ ତ?

ଚୀନ୍‌ରୁ ଆସି ପାରୁନାହାନ୍ତି ୭୦୦ ଲୋକ

ତାଳଚେର: ‘କରୋନା’ ଖାଲି ସାରାବିଶ୍ବରେ ଲୋକମାନଙ୍କ ସ୍ବାସ୍ଥ୍ୟଗତ କାରଣ ଓ ଆଶଙ୍କା ପାଇଁ ଆତଙ୍କ ଖେଳାଇ ନାହିଁ, ଏହା ଏକ ଶିଳ୍ପସଂସ୍ଥାର ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ଏହି ଶିଳ୍ପ ସଂସ୍ଥା ହେଉଛି, ତାଳଚେରର ସାର କାରଖାନା। ଚୀନ୍‌ର ଏକ ସଂସ୍ଥା ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦାୟିତ୍ବ ନେଇଥିବାବେଳେ ‘କରୋନା’ ପାଇଁ ଚୀନ୍‌ବାସୀଙ୍କୁ ଏବେ ଭାରତ ଆସିବା ଉପରେ କଟକଣା ଜାରି କରାଯାଇଛି। ଯେଉଁ ୭୦୦ ଲୋକ ଏଠାକୁ ଆସି କାମ ଆରମ୍ଭ କରିବା କଥା, ଆସିପାରୁନାହାନ୍ତି। ଫଳରେ ୨୦୨୩ ମସିହା ସୁଦ୍ଧା ଏହାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଯେଉଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା,ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

୧୯୯୯ ମସିହା ମାର୍ଚ୍ଚ ୩୧ତାରିଖରୁ ତାଳଚେର ସାର କାରଖାନାରୁ ଉତ୍ପାଦନ ବନ୍ଦ ରହିଛି। ଫଳରେ, କାରଖାନାର ୧୬୦୦ କର୍ମଚାରୀ ଏବଂ ୩୦୦୦ ଠିକା କର୍ମଚାରୀ ପ୍ରଭାବିତ ହୋଇଥିଲେ। ଖାଲି ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର ବ୍ୟାବସାୟିକ କାରବାର ଏବଂ ଲୋକମାନଙ୍କ ଜୀବନଶୈଳୀ ଓ ଆର୍ଥିକ ସ୍ଥିତି ବି ମନ୍ଥର ହୋଇଯାଇଥିଲା କିମ୍ବା ଥପ୍‌ ପଡ଼ିଯାଇଥିଲା। ଏହାପରଠାରୁ କାରଖାନାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏହା ବାସ୍ତବ ରୂପ ନେଇନାହିଁ। ୨୦୦୯ ଓ ୨୦୧୦ ମସିହାରେ ଦୁଇ ଦୁଇ ଥର ସାର କାରଖାନା ପରିଦର୍ଶନରେ ଆସି ତତ୍କାଳୀନ କେନ୍ଦ୍ର ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କାରଖାନାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି, ୨୦୧୨ ଅକେ୍ଟାବର ୧୫ ତାରିଖରେ ମନ୍ତ୍ରୀ ଶ୍ରୀ ଜେନା ସାଇଟ୍‌ ଅଫିସ ମଧ୍ୟ ଉଦ୍‌ଘାଟନ କରିଦେଲେ। ମାତ୍ର, ପୁନରୁଦ୍ଧାର ବଦଳରେ ପୁରୁଣା ପ୍ଲାଣ୍ଟକୁ ବିକ୍ରି କରିବା ପାଇଁ ଟେଣ୍ଡର ଡକାଯାଇଥିଲା। ଯାହାକି, ସ୍ଥାନୀୟ ଲୋକଙ୍କ ଆଶାକୁ ଧୂଳିସାତ୍‌ କରିଦେଇଥିଲା। ତେବେ, ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ଗସ୍ତରେ ଆସି ୨୦୨୩ ମସିହା ସୁଦ୍ଧା ଏଠାରେ ଥିବା ସାର କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ, ନୂତନ ପ୍ଲାଣ୍ଟ୍‌ର ଶୁଭ ଦେଇଥିଲେ। ଏହାପରେ, ବିିଶ୍ୱସ୍ତରୀୟ ଟେଣ୍ଡର ପରେ ଚୀନର ଏକ କଂପାନି ମେସର୍ସ ଉହାନ ଇଞ୍ଜିନିୟରିଂ କଂପାନିକୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଗଲା। ଚୁକ୍ତିନାମା ଅନୁଯାୟୀ ୨୦୨୩ ସେପ୍ଟେମ୍ବର ମାସରେ କଂପାନି କାର୍ଯ୍ୟ ଶେଷ କରିବ। ପ୍ରଥମ ୬ ମାସ ମଧ୍ୟରେ ଡିଜାଇନିଂ ଓ ଡ୍ରଇଂ ଶେଷ କରି ଏହାର ପରବର୍ତ୍ତୀ ୩ ବର୍ଷ ନିର୍ମାଣ କାର୍ଯ୍ୟ ଓ ଶେଷ ୬ ମାସ ପ୍ଲାଣ୍ଟ କମିସନିଂ କରାଯାଇ କଂପାନି ଟିଏଫ୍‌ଏଲ (ତାଳଚେର ଫର୍ଟିଲାଇଜର ଲିମିଟେଡ)କୁ ହସ୍ତାନ୍ତର କରିବା ପାଇଁ ନି‌େର୍ଦ୍ଦଶ ରହିଛି। କେନ୍ଦ୍ର ସରକାରଙ୍କର ସାର ଓ ରସାୟନ ବିଭାଗ ସଚିବ ଛବିଦେନ୍ଦ୍ର ରାଉଳ ଗତମାସରେ ତାଳଚେର ଗସ୍ତରେ ଆସି ପ୍ଲାଣ୍ଟ ନିର୍ମାଣସ୍ଥଳୀର ମାଟି ପରୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭର ଶୁଭ ପ୍ରଦାନ କରିଥିଲେ। ଏହି ଗସ୍ତରେ ମେସର୍ସ ଉହାନ ଇଞ୍ଜିନିୟରିଂ କଂପାନିର ପ୍ରତିନିଧି ମଧ୍ୟ ସାମିଲ ଥିଲେ। ଏହାପରେ ସଚିବ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ସନ୍ତୋଷ ପ୍ରକାଶ ସହ ୨୦୨୩ ମସିହାରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲୁଥିବା ବେଳେ ସତେ ଯେମିତି ପୁନରୁଦ୍ଧାର ପ୍ରକ୍ରିୟାରେ ଗ୍ରହଣ ଲାଗିଯାଇଛି। ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଏହାର କାରଣ ସାଜିଛି। ଚୀନର କେନ୍ଦ୍ରୀୟ ସହର ଉହାନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ ବିଶ୍ୱବ୍ୟାପୀ ଚିନ୍ତାର କାରଣ ସାଜିଛି। କରୋନା ଚୀନ୍‌ରେ ମହାମାରୀର ରୂପ ନେଇଛି। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୁପ ଭାରତ ସମେତ ଅନେକ ଦେଶ ଚୀନା ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଥିବା ସହ ଭିସା ମଧ୍ୟ ବାତିଲ କରିଛନ୍ତି।

ଠିକାସଂସ୍ଥାର କାର୍ଯ୍ୟାଳୟ ଉହାନ ପ୍ରଦେଶରେ ଥିବାବେଳେ ଖୁବ୍‌ଶୀଘ୍ର ତାଳଚେର ସାର କାରଖାନା ମୁଖ୍ୟ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କରିବା ପାଇଁ ପ୍ରାୟ ୭୦୦ ଚୀନା ନାଗରିକ ଏଠାକୁ ଆସି କାମ ଆରମ୍ଭ କରିବାର ଥିଲା। ଅନ୍ତତଃପକ୍ଷେ ଆଉ ୨/୩ ମାସ ମଧ୍ୟରେ ଏହା ସମ୍ଭବ ହେଲାଭଳି ଲାଗୁନାହିଁ। ଆଉ ୨/୩ ମାସ ପରେ ଭାରତରେ ବର୍ଷା ଋତୁ ଆସିଯିବ। ଏଭଳି ପରିସ୍ଥିତିରେ କାର୍ଯ୍ୟ ଆରମ୍ଭରେ ବର୍ଷା ବାଧକ ସାଜିବ । ଏ ସବୁକୁ ହିସାବକୁ ନେଲେ ନଭେମ୍ବର ମାସ ପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ। ଯଦି, ଏମିତି ହୁଏ ୨୦୨୩ ମସିହା ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ନେଇ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ତାହା ବାସ୍ତବ ରୂପ ନେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ତେବେ, ତାଳଚେର ଫର୍ଟିଲାଇଜର ଲିମିଟେଡ ପକ୍ଷରୁ ତାଳଚେରର ପୁରୁଣା ସାର କାରଖାନା ସ୍ଥାନରେ ନୂତନ ସାର କାରଖାନାର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। କରୋନା ପ୍ରଭାବରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ। ଏଥିପାଇଁ ଚିନ୍ତାର କୌଣସି କାରଣ ନଥିବା ଟିିଏଫ୍‌ଏଲ୍‌ର ସିଓଓ ପାର୍ଥ ଜାନା ‘ସମ୍ବାଦକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର