୪ ମାସରେ ପେଟ୍ରୋଲ ୭, ଡିଜେଲ ୮ ଟଙ୍କା ବଢ଼ିଛି : ଆଜି ପେଟ୍ରୋଲ ୩୪ ଓ ଡିଜେଲ ୨୬ପଇସା ବଢ଼ିବ

ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ସମୟରେ ଦୀର୍ଘ ୧୯ ଦିନ ଧରି ତେଲ ଦର ସ୍ଥିର ରହିଲା। ପଇସାଟିଏ ବି ବଢିଲାନି। ହେଲେ ନିର୍ବାଚନ ଶେଷ ହେବା ପରେ ପରେ ତୈଳ ଦର ବଢିବାରେ ଲାଗିଛି। ଏମିତି ଯେ ମେ’ ମାସ ମଧ୍ୟଭାଗରୁ ସେପ୍ଟେମ୍ବର ୧୪ ତାରିଖ ଅର୍ଥାତ୍‌ ପ୍ରାୟ ୪ ମାସ ଭିତରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଲିଟର ପିଛା ପାଖାପାଖି ୭ଟଙ୍କା ବଢାଇ ସାରିଲେଣି। ସେହିଭଳି ଏହି ସମୟ ମଧ୍ୟରେ ଡିଜେଲ ଦର ବଢିଛି ଲିଟର ପିଛା ପାଖାପାଖି ୮ ଟଙ୍କା।

ନିର୍ବାଚନ ସମୟରେ ତେଲ ଦର ସ୍ଥିର ରହିବା ଓ ପରବର୍ତୀ ସମୟରେ ବୃଦ୍ଧି ଘଟଣାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଠିଲାଣି। ଏକଥା ବି ଆଲୋଚନା ହେଲାଣି ଯେ ନିର୍ବାଚନ ବେଳେ ସରକାରଙ୍କୁ ତାଙ୍କ ତେଲ କଂପାନିମାନେ ସହଯୋଗ କରିବା ପାଇଁ ତେଲ ଦର ବୃଦ୍ଧି ଉପରେ ରୋକ୍‌ ଲଗାଇଥିଲେ କି?

ଉଲ୍ଲେଖଯୋଗ୍ୟ, ଗତ ମେ’ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହୋଇଥିଲା। ଏପ୍ରିଲ ମାସରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହିତ ପ୍ରଚାର ଜୋର ଧରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍‌ ପ୍ରଚାରର ମଙ୍ଗ ଧରିଥିଲେ। ହେଲେ ଯେଉଁ ସମୟରେ ପ୍ରଚାର ତାତି ବଢିଲା, ହଠାତ୍‌ ସେହି ସମୟରେ ତେଲ ଦର ସ୍ଥିର ରହିଲା। ଦେଖାଯାଇଛି ଯେ ସରକାରୀ ତେଲ କମ୍ପାନି ଗୁଡ଼ିକ ୧୯ ଦିନ ଧରି ପେଟ୍ରୋଲ, ଡିଜେଲ ଦରରେ ପଇସାଟିଏ ପରିବର୍ତ୍ତନ ଆଣିଲେ ନାହିଁ।

ହେଲେ ନିର୍ବାଚନ ଶେଷ ହେବା ପରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବା ଆରମ୍ଭ କରିଦେଇଥିଲେ। ମେ’ ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କମ୍ପାନି ଗୁଡ଼ିକ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ଏତେମାତ୍ରାରେ ବଢ଼ାଇଲେ ଯେ ଏହା ରେକର୍ଡ ସ୍ତରକୁ ଚାଲିଗଲା। ନିର୍ବାଚନ ପୂର୍ବରୁ ମୂଲ୍ୟ ସ୍ଥିର ରଖି ଗ୍ରାହକଙ୍କୁ ଯେଉଁ ରିହାତି କମ୍ପାନି ଦେଇଥିଲେ ତାହାକୁ ଉଠାଇବା ସହିତ ଆହୁରି ଅଧିକ ବୋଝ ଲଦିଦେଲେ। ଏହାପରେ କିଛିଦିନ ପାଇଁ ଦରରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ଅଗଷ୍ଟ ମଧ୍ୟଭାଗରୁ ପୁଣି ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୪୭ ପଇସାରେ ପହଞ୍ଚି ଯାଇଛି। ମେ’ ୧୨ ତାରିଖରେ ପେଟ୍ରୋଲ ଦର ୭୩ ଟଙ୍କା ୪୬ ପଇସା ଥିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୧ ପଇସା ମହଙ୍ଗା ହୋଇଯାଇଛି। ସେହିଭଳି ଭୁବନେଶ୍ୱରରେ ଶନିବାର ଡିଜେଲ ଦର ୭୮ ଟଙ୍କା ୯୧ ପଇସା ଛୁଇଁଛି। ମେ’ ୧୨ ତୁଳନାରେ ଡିଜେଲ ଦର ୮ ଟଙ୍କା ୧୬ ପଇସା ବଢ଼ିଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ତୁଳନାରେ ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୩୪ ପଇସା ଏବଂ ୨୬ ପଇସା ବଢ଼ିଛି। ଗତ ୧୨ ତାରିଖରେ ଗୋଟିଏ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ସ୍ଥିର ରହିବା ପରେ ଲଗାତାର ୩ ଦିନ ହେଲା ବଢ଼ୁଛି। ତିନି ଦିନରେ ପେଟ୍ରୋଲ ଦର ୭୫ ପଇସା ଏବଂ ଡିଜେଲ ଦର୬୧ ପଇସା ମହଙ୍ଗା ହୋଇଗଲାଣି।

ସମ୍ବନ୍ଧିତ ଖବର