ଭୁବନେଶ୍ବର: ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ କରୁଛି ‘ଅତୁଟ ବନ୍ଧନ’। ମାତ୍ର ଦୁଇ ବର୍ଷରେ ୧୨୫ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ଇଚ୍ଛାକୁ ସାକାର କରିଛି ଅନୁଷ୍ଠାନ। ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରୀତିଶ ବାସା ଓ ସହପ୍ରତିଷ୍ଠାତା ଡ. ସରୋଜ ଦାସମଜୁମଦାର, ଡ. ବିଶ୍ୱଜିତ ମିଶ୍ର ଓ ଡ. ଜାମିସାଗର ପୃଷ୍ଟି ଏଥି ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଚିନ୍ମୟ ରଥ। ନିଟ୍‌ରେ ଉତ୍ତୀର୍ଣ୍ଣ ହୋଇ ଏସ୍‌ସିବି ମେଡିକାଲ କଲେଜରେ ଡାକ୍ତରୀ ପଢ଼ିଲେ। ଭଲରେ ଚାଲିଥିବା ବାପାଙ୍କ ବ୍ୟବସାୟରେ କ୍ଷତି ହେବା ସହ ସେ ହୃଦରୋଗରେ ପୀଡ଼ିତ ହେଲେ। ବାପାଙ୍କ ଓପନ୍‌ ହାର୍ଟ ସର୍ଜରି ହେଲା। କିଛି ବର୍ଷ ପରେ ବାପା ଆଖି ବୁଜିଲେ। ଚିନ୍ମୟଙ୍କ ପାଠ ପଢ଼ାରେ ସମସ୍ୟା ହେଲା । ଏତିକି ବେଳେ ଦେବଦୂତ ହୋଇ ସହାୟତାର ହାତ ବଢ଼ାଇଥିଲା ‘ଅତୁଟ ବନ୍ଧନ’। ସେହି ଭଳି ସ୍ୱର୍ଣ୍ଣପ୍ରଭା ସାହୁଙ୍କ ଜୀବନରେ ବି ଆସିଥିଲା ଅନେକ ଝଡ଼ଝଞ୍ଜା। ସ୍ୱର୍ଣ୍ଣପ୍ରଭା ନିଟ୍‌ରେ ଭଲ ରୢାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହେବା ପରେ ଏସ୍‌ସିବିରେ ସିଟ୍ ପାଇଗଲେ। କିନ୍ତୁ ପାଠପଢ଼ା ଖର୍ଚ୍ଚକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଲେ। ବାପାଙ୍କ ଜଳଖିଆ ଦୋକାନରୁ ହେଉଥିବା ଆୟ ପରିବାର ଚଳାଇବା ସହ ସ୍ୱର୍ଣ୍ଣପ୍ରଭାଙ୍କ ଡାକ୍ତରୀ ପାଠପଢ଼ା ପାଇଁ ଯଥେଷ୍ଟ ନଥିଲା। ଏହି ସମୟରେ ‘ଅତୁଟ ବନ୍ଧନ’ ଏ ବିଷୟରେ ଜାଣିବାକୁ ପାଇ ସାହସ ସଂଚାର କରାଇଥିଲା ବେଲି କହିଛନ୍ତି ସ୍ୱର୍ଣପ୍ରଭା । ସ୍ୱର୍ଣ୍ଣପ୍ରଭାଙ୍କ ଭଳି ସୂର୍ଯ୍ୟସ୍ମିତାଙ୍କର ବି ସମାନ କାହାଣୀ। ସୂର୍ଯ୍ୟସ୍ମିତାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଥିଲା ଅତୁଟ ବନ୍ଧନ। ଏବେ ମାସକୁ ୫ ହଜାର ଟଙ୍କା ସହ ଅନ୍ୟାନ୍ୟ ଖର୍ଚ୍ଚ ବି ଏହି ଅନୁଷ୍ଠାନ ବହନ କରୁଛି ବୋଲି କହିଛନ୍ତି ସୂର୍ଯ୍ୟସ୍ମିତା।

ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ କେବଳ କିଛି ଟଙ୍କା ପାଇଁ ଅଧୁରା ରହିନଯାଉ, ସେଥିପାଇଁ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ର ନିଆରା ଅଭିଯାନ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବାସା ଗତ କିଛି ବର୍ଷ ତଳେ ନିଜ ପୁଅକୁ ହରାଇଥିଲେ। ଏହାର କିଛି ଦିନ ପରେ ଶ୍ରୀ ବାସା ଆରମ୍ଭ କରିଥିଲେ ଏଭଳି ଏକ ନିଆରା ପରିକଳ୍ପନା। ଖୁବ୍‌ ଶୀଘ୍ର ଅନୁଷ୍ଠାନର ୱେବସାଇଟ୍‌ ତିଆରି ହେବ। ଛାତ୍ରଛାତ୍ରୀମାନେ ୱେବସାଇଟ୍‌ ଜରିଆରେ ଯୋଡ଼ି ହୋଇପାରିବେ। ତାଙ୍କ ମୋବାଇଲ୍‌ ନମ୍ବର ୯୪୩୭୦୦୦୪୩୧ରେ କଲ୍‌ କରି ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ବାସା କହିଛନ୍ତି।