ଓପିଜିସିର ପୂରା ମାଲିକ ଏବେ ରାଜ୍ୟ ସରକାର

ଏଇଏସ୍‌‌ର ୪୯% ଅଂଶଧନ ଫେରାଇନେବେ ସରକାର
ଆଦାନୀ ବାଟ ବନ୍ଦ, ଶକ୍ତି ବିଭାଗ ସମ୍ମତିପତ୍ର ଦେଲେ
ହଜାରେ କୋଟିରେ କିଣିବେ, ପୂର୍ବରୁ ୫୧% ଅଂଶଧନ ଥିଲା
ଓଏଚ୍‌ପିସି ଓ ଓପିଜିସିରୁ ଅର୍ଥ ଆଣି ସରକାର ପ୍ରଦାନ କରିବେ

ଭୁବନେଶ୍ୱର : ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କଂପାନିକୁ ବିକ୍ରି କରିବା ଲାଗି ଚାଲିଥିବା ମୂଲଚାଲ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବରଂ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓପିଜିସି ହାତରେ ଥିବା ଏଇଏସ୍ ଅଂଶଧନକୁ ନିଜେ କିଣିନେବା ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୩୫ ମିଲିୟନ୍ ଆମେରିକୀୟ ଡଲାର ବା ପାଖାପାଖି ୧୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟ ସରକାର ଏହାକୁ କିଣିବେ। ଶକ୍ତି ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ଧନଞ୍ଜୟ ସ୍ବାଇଁଙ୍କ ଦସ୍ତଖତରେ ଆଜି ଏ ସଂକ୍ରାନ୍ତ ଏକ ନିର୍ଦେଶନାମା ଏଇଏସ୍ କର୍ପୋରେସନ୍‌ର ମୁଖ୍ୟ ମାର୍କ ଗ୍ରିନଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ ସରକାର କହିଛନ୍ତି ଯେ ଏଇଏସ୍‌କୁ ଏକଦା ଦିଆଯାଇଥିବା ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ କିଣି ନେବାକୁ ସ୍ଥିର କରିଛନ୍ତି। ପୂର୍ବରୁ ଓଡ଼ିଶା ସରକାର ଓ ଏଇଏସ୍ ମଧ୍ୟରେ ହୋଇଥିବା ସେୟାର ହୋଲଡର ଏଗ୍ରିମେଣ୍ଟ ଅନୁସାରେ ଏହାକୁ ନୋଟିସ ବୋଲି ବିବେଚନା କରାଯାଇପାରେ। ଚୁକ୍ତିନାମା ଅନୁସାରେ, ରାଜ୍ୟ ସରକାର ଏହି ୪୯ ପ୍ରତିଶତ ଅଂଶ କିଣିବାକୁ ମନା କରିଥିଲେ, ତାହା ଅନ୍ୟ କୌଣସି କଂପାନିକୁ ବିକ୍ରି ଯଗ୍ୟୋ ହୋଇଥାନ୍ତା। ହେଲେ ରାଜ୍ୟ ସରକାର ନିଜେ ରଖିବାକୁ ନିଷ୍ପତ୍ତି ନେବା ଫଳରେ କଂପାନିର ୪୯ ପ୍ରତିଶତ ଅଂଶଧନ କୌଣସି ବାହାର ଲୋକଙ୍କ ନିକଟକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି। ପରିଣାମରେ ଓପିଜିସି କଂପାନି ଏବେ ଶତପ୍ରତିଶତ ରାଜ୍ୟ ସରକାରଙ୍କର ହୋଇ ରହିବ। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରାଜ୍ୟ ସରକାର ଓପିଜିସି ଓ ଓଏଚପିସିରୁ ୧୦୦୦ କୋଟି ଟଙ୍କା ନେଇ ଏହି କଂପାନିକୁ କିଣିବାକୁ ସ୍ଥିର କରିଛନ୍ତି। ଆକଳନ କରାଯାଇ ଦେଖାଯାଇଛି, ଏହି କଂପାନି ସରକାରଙ୍କ ହାତରେ ରହିଲେ, ଏହା ଲାଭଜନକ ହେବ। ଯେହେତୁ ଓପିଜିସି ହାତରେ କୋଲ୍ ବ୍ଲକ୍‌ ରହିଛି, ଏଣୁ ସେ ଦିଗରେ ମଧ୍ୟ କୌଣସି ସମସ୍ୟା ନାହିଁ। ବର୍ତମାନ ପରିସ୍ଥିତି ଏହା ଏକ ବଡ଼ ସଫଳତା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ସରକାର ଏଇଏସ୍‌କୁ ଯେଉଁ ଚିଠି ଦେଇଛନ୍ତି, ସେଥିରେ କୁହାଯାଇଛି ୪୯ ପ୍ରତିଶତ ଅଂଶଧନ ବିକ୍ରି ବାବଦରେ ଏଇଏସ୍ ଯେଉଁ ଅର୍ଥ ପାଇବାର ରହିଛି, ତାହା କିଭଳି ଦିଆଯିବ ଓ ଏଥିପାଇଁ କି କି ନୀତି ଅନୁସୃତ ହେବ, ତାହା ଶକ୍ତି ବିଭାଗ ଖୁବ୍ ଶୀଘ୍ର କଂପାନି କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବ।

ଉଲ୍ଲେଖଯୋଗ୍ୟ, ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କଂପାନିକୁ ବିକ୍ରି କରିବା ଲାଗି ଅଭିଯୋଗ ହୋଇଥିଲା। ଆଦାନୀ କର୍ତ୍ତୃପକ୍ଷ ଓଡ଼ିଶା ଆସି ଓପିଜିସି ବୁଲି ଦେଖିଥିଲେ ଓ କଥା ବହୁ ଆଗକୁ ବଢ଼ିଥିଲା। ଏପରିକି ଅଧିକାରୀସ୍ତରୀୟ କଥାବାର୍ତା ଗତ ଅଗଷ୍ଟ ୫ ଓ୬ ତାରିଖରେ ଶେଷ ହୋଇଥିବା କୁହାଯାଇଥିଲା। ଶାସକ ଦଳ ସମେତ ବିଭିନ୍ନ ରାଜନୈତିକ ଦଳକୁ ଏହାକୁ କଡ଼ା ବିରୋଧ କରିଥିଲେ। ଅଭିଯୋଗ କରିଥିଲେ ଯେ ଓପିଜିସି ହାତରେ କୋଲ୍ ବ୍ଲକ୍‌ ଥିବା କାରଣରୁ ଆଦାନୀ ଏହା ଉପରେ ଆଖି ରଖିଛି ଓ ଏଇଏସ୍‌ଠାରୁ ୪୯ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା ଚଳାଇଛି। କେଉଁ ପରିସ୍ଥିତିରେ ଏଇଏସ୍ ଓହରିଯାଉଛି ଓ ରାଜ୍ୟ ସରକାର କେଉଁ ପରିସ୍ଥିତିରେ ମାତ୍ର ହଜାରେ କୋଟି ଟଙ୍କାରେ ବିକ୍ରି କରିବା ଲାଗି ସମ୍ମତି ଦେଉଛନ୍ତି, ତାହା ଜଣାନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ଏଇଏସ୍ ବିକ୍ରି ସଂପର୍କରେ ପ୍ରଥମେ ‘ସମ୍ବାଦ’ରେ ଗତ ଜାନୁଆରି ପ୍ରଥମ ସପ୍ତାହରେ ଖବର ପ୍ରକାଶ ପାଇଥିଲା। ଯେବେ ଏଇଏସ୍ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଏହି କାରଖାନା ବୁଲି ଦେଖିଥିଲେ, ସେତେବେଳେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ସେବେ ସରକାର ଏହା ଲାଭଜନକ ହେବ ନାହିଁ ବୋଲି କହିଥିଲେ ଓ ଏଇଏସ୍ ଗ୍ରିନ୍ ଫିଲ୍ଡ ପ୍ରକଳ୍ପକୁ ଯିବା ଲାଗି ଆଗ୍ରହ ରଖି ଏଥିରୁ ଓହରିଯାଉଥିବା ଦର୍ଶାଇଥିଲେ। ମାତ୍ର ଚାରିଆଡୁ ଚାପ ପଡ଼ିବା ପରେ ଶେଷରେ ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ନିଜ ପାଖରେ ଏହାକୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଓପିଜିସିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ଏଇଏସ୍ ହାତରେ ୪୯ ପ୍ରତିଶତ ଅଂଶଧନ ଥିଲା।

ସମ୍ବନ୍ଧିତ ଖବର