ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେଲା କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିଲା। ସାଧାରଣ ଲୋକଙ୍କୁ ଭାଗ ନେବା ଲାଗି ଅନୁମତି ମିଳୁ ନ ଥିଲା। ପ୍ରଜ୍ଞାପନ ମେଢ଼ କିମ୍ବା ଲୋକନୃତ୍ୟ ଦେଖିବାକୁ ମିଳୁ ନଥିଲା। ଏଥର କୋଭିଡ୍‌ ସଂକ୍ରମଣ କମିବା ସହ ସ୍ଥିତି ସ୍ବାଭାବିକ ରହିଥିବାରୁ ମହାତ୍ମା ଗାନ୍ଧୀ ମାର୍ଗରେ ପୂର୍ଣ୍ଣାଙ୍ଗ ପରେଡ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ପରେଡ୍‌ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମୁଖ୍ୟଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆଇଜି ପୁଲିସ, ଏନ୍‌ସିସିର ଡେପୁଟି ଡିଜି ତାଙ୍କୁ ପାଛୋଟି ନେବେ। ସକାଳ ୮ଟା ୨୮‌ରେ ରାଜ୍ୟପାଳ ପରେଡ୍‌ ଗ୍ରାଉଣ୍ଡରେ ପହଞ୍ଚିବେ ଏବଂ ୮ଟା ୩୦ରେ ପତାକା ‌ଉତ୍ତୋଳନ କରିବେ। ଏହାପରେ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହେବ, ଯେଉଁଥିରେ ସାଂସ୍କୃତିକ ଦଳ ଓ ପ୍ରଜ୍ଞାପନ ମେଢ଼ ସାମିଲ ହେବେ। ଏବର୍ଷ ସର୍ବାଧିକ ୫୦ଟି ଦଳ ପରେଡ୍‌ରେ ଅଂଶଗ୍ରହଣ କରିବେ। ଏହା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେଉଥିବାରୁ ସମସ୍ତ ଜିଲ୍ଲାର ପ୍ରତିନିଧିତ୍ବ ଯେପରି ହେବ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ପ୍ରତି ସଂସ୍ଥାରୁ ଗୋଟିଏ ଲେଖାଏଁ ଦଳ ଏଥିରେ ଭାଗ ନେଇପାରିବେ। ପରେଡ୍‌ରେ ଭାଗ ନେଉଥିବା ଦଳକୁ ସମ୍ୟକ୍‌ ପରୀକ୍ଷା ଦେବାକୁ ପଡ଼ିବ, ଯାହାକି ଅତିରିକ୍ତ ପୁଲିସ କମିସନରଙ୍କ ନେତୃତ୍ବରେ କରାଯିବ। ସିଆରପିଏଫ୍‌ ଓ ଅଗ୍ନିଶମ ସେବାର ବ୍ୟାଣ୍ଡ୍‌ ଏହି ପେରେଡ୍‌ରେ ଭାଗ ନେବେ। ରାଜ୍ୟର ବିଭିନ୍ନ ଲୋକନୃତ୍ୟ ଦଳ ଭାଗ ନେବେ, ପ୍ରତି ଟ୍ରୁପ୍‌କୁ ୩ ମିନିଟ୍‌ ଲେଖାଏଁ ସମୟ ମିଳିବ। ସଂସ୍କୃତି ବିଭାଗର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପରେଡ୍‌ ପୂର୍ବରୁ ୩ ଦିନ ରିହର୍ସାଲ ଅନୁଷ୍ଠିତ ହେବ। ମହାତ୍ମା ଗାନ୍ଧୀ ମାର୍ଗରେ ଜାନୁଆରି ୨୨, ୨୩ ଓ ୨୪ ତାରିଖ କେଉଁ ସମୟରେ କରାଯିବ, ହକି ବିଶ୍ବକପ୍‌କୁ ନଜରରେ ରଖି ପୁଲିସ କମିସନର ନିଷ୍ପତ୍ତି ନେବେ। ୨୬ ତାରିଖ ସକାଳ ୭ଟା ୫୫ ପୂର୍ବରୁ ଭାଗ ନେବାକୁ ଥିବା ଦଳ ପରେଡ୍‌ କମାଣ୍ଡରଙ୍କ ନିକଟରେ ରିପୋର୍ଟ କରିବେ। ନ ହେଲେ ତାଙ୍କୁ ଭାଗ ନେବାକୁ ଅନୁମତି ମିଳିବ ନାହିଁ। ସୁରକ୍ଷା ଦାୟିତ୍ବ ଭୁବନେଶ୍ବର-କଟକ ପୁଲିସ କମିସନରଙ୍କ ଉପରେ ନ୍ୟସ୍ତ ହୋଇଛି। ପରେଡ୍‌ ସ୍ଥଳରେ ସିସିଟିଭି ଲଗାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ପୁଲିସ କମିସନରଙ୍କ ସହ ଆଲୋଚନା କରାଯାଇ ସେଠାରେ ବାରିକେଡିଂ ବ୍ୟବସ୍ଥା କରାଯିବ।
ସେହିପରି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମଧ୍ୟାହ୍ନ ୧୨ଟାରେ ଗୃହ ବିଭାଗ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁଲିସ, ଅଗ୍ନିଶମ, ହୋମ୍‌ଗାର୍ଡ, ସିଭିଲ୍‌ ଡିଫେନ୍ସ ଅଧିକାରୀଙ୍କୁ ପଦକ ବଣ୍ଟନ କରାଯିବ। ୨୫ତାରିଖ ମଧ୍ୟାହ୍ନ ୧୨ଟାରେ ରିହର୍ସାଲ ହେବ। ଏଥିରେ ରାଜ୍ୟପାଳ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।