କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ସଦର ଏସ୍ଡିଜେଏମ୍ ଅଦାଲତରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ବର୍ଷା ମାମଲା ରୁଜୁ କରିଛନ୍ତି। ବର୍ଷା ଦାୟର କରିଥିବା ମାମଲା ପ୍ରସଂଗରେ ପଚରାଯିବାରୁ ସାଂସଦ ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ଆଜି କହିଥିଲେ ଯେ ତାଙ୍କ ପାଖକୁ ସେମିତି କିଛି ଲିଗାଲ ନୋଟିସ୍ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେବେ ଆସିବ ସେ ଜଣାଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।
ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ୨୦୧୪, ଫେବ୍ରୁଆରି ୮ରେ ଅନୁଭବଙ୍କ ସହିତ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା। ଏହାର ୬ ବର୍ଷ ପୂର୍ବରୁ ଅନୁଭବଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ଥିଲା। ଅନେକ ସମୟରେ ଅନୁଭବ ନିଜ ହାତ, ଗୋଡ, ଛାତି ଛୁରୀରେ କାଟି ଦେଇ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଥିଲେ। ଏହାପରେ ତାଙ୍କ ମା’ ଅନ୍ୟ କୌଣସି ଉପାୟ ନ ପାଇ ଅନୁଭବଙ୍କୁ ତାଙ୍କୁ ବିବାହ ଦେବାକୁ ରାଜି ହୋଇଥିଲେ। ବିବାହ ସମୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ତାଙ୍କ ଘର ପକ୍ଷରୁ ବର ପକ୍ଷକୁ ଦାବି ମୁତାବକ ଦିଆଯାଇଥିଲା। ୨ ହଜାର ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ୨୦୧୯ ପର୍ଯ୍ୟନ୍ତ ଉଭୟ ପତି-ପତ୍ନୀ ଭାବେ ଚଳିଥିଲେ।
ବିଭାଘର ପରେ ବର୍ଷା ଅନୁଭବଙ୍କ ସହିତ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ଗୋଟିଏ ଟଙ୍କା ପାରିଶ୍ରମିକ ମିଳି ନ ଥିଲା। ଅନ୍ୟପକ୍ଷରେ ତାଙ୍କ ଉପରେ ପ୍ରଥମେ ଏପରି ଭାବେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ ବାବଦ ତାଙ୍କୁ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବା କଥା। ଏହାପରେ ବର୍ଷାଙ୍କୁ ବାହାରକୁ କାମ କରିବାକୁ ଦିଆ ଯାଇ ନଥିଲା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅନୁଭବ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ। ଅନୁଭବଙ୍କ ପରିବାର ଲୋକେ ତାଙ୍କୁ ସମର୍ଥନ ଦେଉଥିଲେ ଓ ବର୍ଷାଙ୍କୁ ଅନୁଭବଙ୍କ ଚଳଚ୍ଚିତ୍ର ଜୀବନରେ ହସ୍ତକ୍ଷେପ ନ କରିବାକୁ କହିଥିଲେ। ଅନୁଭବ ଅନେକ ସମୟରେ ମଦ ପିଉଥିବା ସେ ଅଭିଯୋଗ କରିଛନ୍ତି। ଏପରି ଘଟଣାର ପ୍ରତିବାଦ କରିଲେ ବର୍ଷାଙ୍କୁ ମାଡ଼ ମରାଯାଉଥିଲା। ଏଭଳି ଭାବେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ବର୍ଷାଙ୍କ କଥାକୁ କେହି ଶୁଣୁ ନଥିବା ବେଳେ ଘରଲୋକମାନେ ଅନୁଭବଙ୍କୁ ସମର୍ଥନ କରୁଥିଲେ। ପରିବାରର ସମ୍ମାନ ଦୃଷ୍ଟିରୁ ସେ ଚୁପ୍ ରହୁଥିଲେ। କିନ୍ତୁ ଧୀରେ ଧୀରେ ବର୍ଷାଙ୍କୁ ନିର୍ଯାତନା ବଢିଥିଲା ଓ ତାଙ୍କ ସହିବା ଶକ୍ତି ବାହାରକୁ ଚାଲି ଯାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
![]()
ତେବେ ପରିବାରର ସମ୍ମାନ ଦୃଷ୍ଟିରୁ ବର୍ଷା ଚୁପ୍ ରହୁଥିଲେ। ଚଳିତ ବର୍ଷ ଲକ୍ ଡାଉନ ପୂର୍ବରୁ ଅନୁଭବ ଓ ତାଙ୍କ ପରିବାର ସଦସ୍ୟ ଦିଲ୍ଳୀ ଚାଲି ଯାଇଥିବା ବେଳେ ମେ ୨୫ ପର୍ଯ୍ୟନ୍ତ ସେଠାରେ ରହି ଫେରିଥିଲେ। ଏଠାରେ ଶ୍ବଶୁରଘରେ ଏକା ବର୍ଷା ରହିଯାଇଥିଲେ। ସାଧାରଣ ମୌଳିକ ସୁବିଧା ମଧ୍ୟ ଏହି ସମୟରେ ତାଙ୍କୁ ପ୍ରଦାନ ପାଇଁ ଅନୁଭବଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନଥିଲା। ଫେରିବା ପରେ ମେ ୨୫ରେ ଅନୁଭବ ବର୍ଷାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଆପତ୍ତି କରି ନଥିଲେ।
ଜୁନ୍ ୭ ତାରିଖ ରାତିରେ ଅନୁଭବ ବର୍ଷାଙ୍କୁ ଖରାପ ଭାଷା ପ୍ରୟୋଗ କରି ଦୁଇ ଘଣ୍ଟା ଧରି ଗାଳିଗୁଲଜ କରିଥିଲେ। ବର୍ଷାଙ୍କ ମା’ ଓ ଭଉଣୀଙ୍କ ନାଁ ନେଇ ମଧ୍ୟ ଗାଳିଗୁଲଜ କରାଯାଇଥିଲା। ଜୁନ୍ ୧୧ରେ ଆପୋଷରେ ଛାଡପତ୍ର ପାଇଁ ଅନୁଭବ ବର୍ଷାଙ୍କୁ କହିଥିଲେ ଓ ଯଦି ନ ମାନନ୍ତି ତେବେ ତାଙ୍କୁ ଭୟଙ୍କର ପରିଣତି ଭୋଗ କରିବାକୁ ପଡିବ ବୋଲି ଧମକ ଦେଇଥିଲେ। ଏଭଳି ଅସହ୍ୟ ଅତ୍ୟାଚାର ପରେ ବର୍ଷା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନୁଭବଙ୍କ ଘରେ ରହିବା ପାଇଁ ଦିଆଯାଉ; ନଚେତ ମାସିକ ୨୦ହଜାର ଟଙ୍କାର ଘର ଭଡ଼ା ଦିଆଯାଉ। ମାସିକ ଭରଣପୋଷଣ ବାବଦକୁ ୫୦ହଜାର ଟଙ୍କା, କ୍ଷତି ପୂରଣ ବାବଦକୁ ୧୩କୋଟି ଟଙ୍କା ଓ ରୋଜଗାର ହରାଇବା ଓ ଚିକିତ୍ସା ଖର୍ଚ୍ଚ ବାବଦକୁ ୨କୋଟି ଟଙ୍କା ପ୍ରଦାନ କରାଯାଉ ବୋଲି ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରାର୍ଥନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/anubhav-barsha-disput-050_Thumb-1.jpg)