କାଳିଆ ପାଇଁ ଆକସ୍ମିକ ପାଣ୍ଠି ବିନିଯୋଗ ସମ୍ବିଧାନ ସମ୍ମତ: ବିଜେଡି

ଭୁବନେଶ୍ବର : କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ଆକସ୍ମିକ ପାଣ୍ଠିରୁ ୭୩୪ କୋଟି ଟଙ୍କା ନେବା ସମ୍ବିଧାନ ସମ୍ମତ । ବିରୋଧୀ ଆକସ୍ମିକ ପାଣ୍ଠି ବିନିଯୋଗ ବିଷୟରେ ନଜାଣି ସରକାରଙ୍କୁ ସମାଲୋଚନା କରିଚାଲିଛନ୍ତି।

ମଙ୍ଗଳବାର ଆକସ୍ମିକ ପାଣ୍ଠି ବିନିଯୋଗ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ପାଇଁ ବିଜେଡି ସରକାରର କାଳିଆ ଯୋଜନା ସହାୟତା ଏକ ଐତିହାସିକ ନିଷ୍ପତ୍ତି । ସମ୍ବିଧାନର ଧାରା ୨୬୭ ଅନୁଯାୟୀ ଯେକୌଣସି ଆକସ୍ମିକ କାର୍ଯ୍ୟ ପାଇଁ ଆକସ୍ମିକ ପାଣ୍ଠିରୁ ସରକାର ସମ୍ବଳ ବିନିଯୋଗ କରିପାରିବେ।।ଜାତୀୟ ସ୍ତରରେ ସରକାରଙ୍କ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ଅନୁୁମୋଦନ କରିଥାନ୍ତି ଓ ରାଜ୍ୟ କ୍ଷେତ୍ରରେ ରାଜ୍ୟପାଳ ଏହି ପାଣ୍ଠିର ବିନିଯୋଗ ପାଇଁ ଅନୁମୋଦନ ପ୍ରଦାନ କରିଥାନ୍ତି । ପରବର୍ତ୍ତୀ ଅବସ୍ଥାରେ ସଂସଦ କିମ୍ବା ବିଧାନସଭାରେ ସମ୍ପୃକ୍ତ ଯୋଜନା ପାଇଁ ଅର୍ଥ ବରାଦ କରି ଆକସ୍ମିକ ପାଣ୍ଠି ଅର୍ଥ ଫେରାଇବାର ବ୍ୟବସ୍ଥା ସମ୍ବିଧାନରେ ରହିଛି । ଏହି ଅନୁଯାୟୀ କାଳିଆ ଯୋଜନା ପାଇଁ ସରକାର ଓସିଏଫ ପାଣ୍ଠି ବିନିଯୋଗ କରିବା ଯୁକ୍ତିସମ୍ମତ । ଯାହାକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି । ଚାଷୀମାନଙ୍କ ସମସ୍ୟାର ପ୍ରତିକାର ପାଇଁ ଏପରି କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା । ଜରୁରୀକାଳୀନ ପାଣ୍ଠି ବିନିଯୋଗ ନେଇ ବିରୋଧୀ ଯେପରି ଅଭିଯୋଗ କରୁଛନ୍ତି ତାହା ସେମାନେ ହୀନ ଉଦ୍ଦେଶ୍ୟ ରଖି କରୁଛନ୍ତି ।

ବିଜେଡି କହିଛି ପୂର୍ବରୁ ୧୯୬୧ରୁ ଆକସ୍ମିକ ପାଣ୍ଠି କାର୍ଯ୍ୟକାରି ହେବା ପରେ ଓଡ଼ିଶା ସରକାର ବିଭିନ୍ନ ସମୟରେ ଏହି ପାଣ୍ଠିରୁ ଅର୍ଥ ନେଇ ଅନ୍ୟକାମରେ ବିନିଯୋଗ କରିବାର ନଜିର ରହିଛି । କାଳିଆ ଯୋଜନା ଦ୍ବାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀଙ୍କ ଆଶଙ୍କା ଭୁଲ ବୋଲି ଦର୍ଶାଇଛି ବିଜେଡି। ସେ ଦର୍ଶାଇଛନ୍ତି, ଅଭିବୃଦ୍ଧିକୁ େଦଖି ଋଣ କରିବାରେ ଅସୁବିଧା ନାହିଁ। ଏସବୁକୁ ନେଇ ବିଚାର କଲେ ଗତ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ କ୍ରମାଗତ ଭାବେ ଅଭିବୃଦ୍ଧି କରିଆସିଛି । ସିଏଜି ରିପୋର୍ଟ ଆଧାରରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଓଡ଼ିଶା ସରକାରଙ୍କ ଋଣ ଅର୍ଥ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହୋଇଛି । ବିରୋଧୀ ଏସବୁ ନଜାଣି କେବଳ ରାଜନୀତି କରିବାକୁ ଯାଇ ସରକାରଙ୍କ ବିରୋଧରେ ଅସଫଳ ପ୍ରଚାର କରିଚାଲିଛନ୍ତି । କାଳିଆ ଯୋଜନାର ସୁଫଳ ମିଳିବା ଦେଖି ବିରୋଧୀ ଭୟଭୀତ ହୋଇଛନ୍ତି। ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ସବୁ ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ସହାୟତା ଦେଇ ଚାଷୀକୂଳକୁ ସମୟାନୁଯାୟୀ ସାହାଯ୍ୟ କରିଛନ୍ତି । ଏବେ ଖୋଦ ଭାରତ ସରକାର ରାଜ୍ୟ ସରକାରଙ୍କ ଯୋଜନାକୁ ମଡେଲ ଭାବେ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ସେଥିପାଇଁ ୭୦ହଜାର କୋଟି ବ୍ୟୟ ବରାଦ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର